କର୍କଟ ରୋଗାକ୍ରାନ୍ତ ସୁଲୋଚନାକୁ ଭେଟିଲେ ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ

ଔଷଧ ପାଇଁ ଅର୍ଥ ସାଜିଛି ବାଧକ

ଗୁରୁଡିଝାଟିଆ : କଣ୍ଡରେଇ ପଞ୍ଚାୟତ ସତ୍ୟନାରାୟଣପୁର ଗାଁର କର୍କଟରୋଗାକ୍ରାନ୍ତ ସୁଲୋଚନାକୁ ଭେଟିଛନ୍ତି ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି ସଂପାଦକ ଉମା ବଲ୍ଲଭ ରଥ। କଟକସ୍ଥିତ ଆଚର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରୁ ଚିକିତ୍ସିତ ହୋଇ ସୁଲୋଚନା ଫେରିଛି । ଡାକ୍ତରଙ୍କ ପରାମର୍ଶ ନେଇଛନ୍ତି ପ୍ରତ୍ୟେକ ମାସରେ ସଠିକ୍ ଔଷଧ ଖାଇଲେ ଭଲ ହେବାର ସମ୍ଭାବନା ମଧ୍ୟ ରହିଛି । ହେଲେ ଔଷଧ କିଣିବା ପାଇଁ ସୁଲୋଚନା ପାଖରେ ନାହିଁ ଅର୍ଥ। ହଜାର ନୁହେଁ ଦୁଇ ହଜାର ନୁହେଁ ସପ୍ତାହକୁ ୬ହଜାର ଟଙ୍କାର ଔଷଧ ଦରକାର। ସୁଲୋଚନା ଆଣିବ ବା କେଉଁଠୁ ତାର ସମ୍ଭଳ ନାହିଁ । ସ୍ୱାମୀ ନଥିବା ବେଳେ ବାପା ବି ନାହିଁ । ଝିଅ ମଧ୍ୟ ରୋଜଗାରକ୍ଷମ ନୁହେଁ । +୨ରେ ପାଠ ପଢୁଛି । ଝିଅକୁ ଭଲ ମଣିଷ କରିବା ପାଇଁ ସ୍ୱପ୍ନ ଦେଖିଥିବା ସୁଲୋଚନା ପାଇଁ ବଇରି ସାଜିଛି କର୍କଟ ରୋଗ। ନିଜେ ବଞ୍ଚିଲେ ଝିଅର ସ୍ୱପ୍ନକୁ ସାକାର କରିବ।

ସୁଲୋଚନା ସଂପର୍କରେ ଖବର ପାଇ ଆଜି ଅପରାହ୍ନରେ ପୂର୍ବତନ ବିଧାୟକ ଶ୍ରୀ ରଥ ପହଞ୍ଚିଥିଲେ ସତ୍ୟନାରାୟଣପୁର ସ୍ଥିତ ସୁଲୋଚନାର ଘରେ। ତାର ଦାରିଦ୍ର୍ୟ ଚିତ୍ରକୁ ଦେଖି ଶ୍ରୀ ରଥ ବ୍ୟଥିତ ହେବା ସହ ସହଯୋଗ ପାଇଁ ପ୍ରତିଶୃତି ଦେଇଛନ୍ତି । ଅପରପକ୍ଷରେ ସପ୍ତାହକୁ ୬ହଜାର ଟଙ୍କାର ଔଷଧ ସୁଲୋଚନା ଯୋଗାଡ କରିବା ସମ୍ଭବପର ନୁହେଁ । ସୁଲୋଚନାର ଏଭଳିସ୍ଥିତିକୁ ଦେଖି ଆଠଗଡର ଅଗ୍ରଣୀ ସାମାଜିକ ସଂଗଠନ ଆଠଗଡ ବିକାଶ ମଞ୍ଚ କିଛି ପରିମାଣର ଔଷଧ ଯୋଗାଇ ଥିଲେ। ହେଲେ ନିୟମିତ ଭାବରେ ଔଷଧ ଖାଇବାକୁ ଚିକିତ୍ସକ ପରାମର୍ଶ ଦେଇଥିବାରୁ ଏବେ ହାତରେ କାଣି କଉଡିଟିଏ ନଥିବାରୁ ସୁଲୋଚନା ଚାହିଁ ବସିଛି ଅନ୍ୟର ସହାୟତା ପାଇଁ । ସୁଲୋଚନା ର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ କିମ୍ବା ବିଭିନ୍ନ ସାମାଜିକ ସଂଗଠନ ଆଗେଇ ଆସିଲେ ତାର ମୁହଁରେ ହସ ଫୁଟିବ ଓ ତା ଝିଅ ପାଇଁ ଦେଖିଥିବା ସ୍ୱପ୍ନ ମଧ୍ୟ ସାକାର ହୋଇପାରିବ। ପୂର୍ବତନ ବିଧାୟକ ଶ୍ରୀ ରଥଙ୍କ ସହିତ ସୁମନ ବେହେରା, ଶ୍ରୀନିବାସ ବାରିକ,ଲକ୍ଷ୍ମୀ ଦେବୀ ଓ ସୁଜାତା ବାରିକ ପ୍ରମୁଖ ସୁଲୋଚନାକୁ ଭେଟିଥିଲେ।

Comments are closed.