ରାଜୀବ କୁମାରଙ୍କୁ ଆଗୁଆ ଜାମିନ

କଲକାତା: ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ କଲକାତାର ପୂର୍ବତନ ପୁଲିସ କମିଶନର ତଥା ପଶ୍ଚିମବଙ୍ଗ ସିଆଇଡି ମହାନିର୍ଦେଶକ ରାଜୀବ କୁମାରଙ୍କୁ ମଙ୍ଗଳବାର ଆଗୁଆ ଜାମିନ ମିଳିଛି। କଲକାତା ହାଇକୋର୍ଟ ତାଙ୍କୁ ୫୦ ହଜାର ଟଙ୍କାର ମୁଚାଲିକା ବଦଳରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜରେ ଜେରା କରାଯିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ସିବିଆଇ ଯେତେବେଳେ ତାଙ୍କୁ ସମନ ଜାରି କରିବ ସେତେବେଳେ ସେ ଜେରା ପାଇଁ ହାଜର ହେବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

ତେବେ ରାଜୀବଙ୍କୁ ଆଗୁଆ ଜାମିନ ମିଳିବା ଫଳରେ ସିବିଆଇ ପାଇଁ ଅଡୁଆ ବଢ଼ିଯାଇଛି। ରାଜୀବ କ୍ଷମତାର ଦୁରୁପୋଯୋଗ କରି ପ୍ରମାଣ ନଷ୍ଟ କରିବେ ବୋଲି ସିବିଆଇ ଅଭିଯୋଗ କରିଛି। ଶାରଦା କମ୍ପାନୀ ପକ୍ଷରୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଏବଂ ରାଜନେତାଙ୍କୁ ଟଙ୍କା ନେଣଦେଣ କରାଯାଇଛି, ଯାହାର ପ୍ରମାଣ ଏକ ଡାଏରି ଏବଂ ପେନ୍‌ ଡ୍ରାଇଭରେ ରହିଛି। ଉକ୍ତ ପେନ୍‌ ଡ୍ରାଇଭଟି ରାଜୀବଙ୍କ ଅଧ୍ୟକ୍ଷତାରେ ଗଠିତ ଏସଆଇଟି ନିକଟରେ ରହିଥିଲା। କିନ୍ତୁ ତାହାକୁ ସିବିଆଇକୁ ପ୍ରଦାନ କରାଯାଇ ନାହିଁ ବୋଲି ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି।

Comments are closed.