ହିନ୍ଦୁ ମହାସଭାର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା

ଲକ୍ଷ୍ନୌ: ହିନ୍ଦୁ ମହାସଭାର ପୂର୍ବତନ ଅଧ୍ୟକ୍ଷ କମଳେଶ ତିୱାରୀଙ୍କୁ ଶୁକ୍ରବାର ଲକ୍ଷ୍ନୌର ଖୁର୍ସିଦାବାଦସ୍ଥିତ ତାଙ୍କ ବାସଭବନଠାରେ ଗୁଳିକରି ହତ୍ୟା କରାଯାଇଛି। ଗୁଳିକାଣ୍ଡ ପରେ ତାଙ୍କୁ ନିକଟସ୍ଥ ଟ୍ରମା ସେଣ୍ଟରକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତିୱାରୀ ବାସଭବନସ୍ଥ କାର୍ୟ୍ୟାଳୟରେ ବସିଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ସହକାରୀ ଏସପି(ପଶ୍ଚିମ) ବିକାଶ ଚନ୍ଦ୍ର ତ୍ରିପାଠୀ କହିଛନ୍ତି ହତ୍ୟାକରୀମାନେ ତିୱାରୀଙ୍କ ପରିଚିତ ବ୍ୟକ୍ତି। ବ୍ୟକ୍ତିଗତ ଶତ୍ରୁତା କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ଭାବେ କହିଛି। ସେମାନେ ତିୱାରୀଙ୍କୁ ଭେଟିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗେରୁଆ ବସ୍ତ୍ର ପରିଧାନ କରି ହାତରେ ମିଠା ଡବା ଧରିଥିଲେ। କାର୍ୟ୍ୟାଳୟରେ ବସି ଚା’ ପାନ କରିବା ପରେ ତତ୍‌କ୍ଷଣାତ ବନ୍ଧୁକ କାଢି ତିୱାରୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିବା ସହ ତାଙ୍କ ଗଳା କାଟି ଦେଇଥିଲେ।

ତାଙ୍କର ଦୁଇ ସୁରକ୍ଷା କର୍ମୀ ତଳ ମହଲାରେ ମୁତୟନ ଥିବା ବେଳେ ଉପର ମହଲାରେ ହତ୍ୟାକାଣ୍ଡ ଘଟିଥିଲା। ତିୱାରୀ ୨୦୧୭ରେ ହିନ୍ଦୁ ସମାଜ ପାର୍ଟି ଗଠନ କରିଥିଲେ। ପୂର୍ବରୁ ସେ ହିନ୍ଦୁ ମହାସଭାର ଅଧ୍ୟକ୍ଷ ଥିଲେ। ମୁସଲମାନଙ୍କ ସମ୍ବନ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସେ ଗିରଫ ହୋଇଥିଲେ। ତାଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ଲାଗୁ କରାଯାଇଥିଲା। ନିକଟରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ପୀଠ ତାଙ୍କ ବିରୋଧରେ ଏନଏସଏ ଉଚ୍ଛେଦ କରିଥିଲେ।

Comments are closed.