ଆରଏଲଡି ମୁଖ୍ୟ ଅଜିତ ସିଂହଙ୍କ କରୋନାରେ ପରଲୋକ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖିଆ ଚୋୖଧୁରୀ ଅଜିତ ସିଂହଙ୍କର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଚିକିତ୍ସିତ ଥିଲେ। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। କରୋନାରେ ସଂକ୍ରମିତ ହେବାପରେ ତାଙ୍କୁ ଗତମାସ ୨୦ ତାରିଖରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଗୁରୁବାର ସକାଳେ ତାଙ୍କର ବିୟୋଗ ଘଟିଛି। ସେ ହେଉଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୋୖଧୁରୀ ଚରଣ ସିଂହଙ୍କ ପୁଅ। ଅଜିତ ସିଂହ ଉତ୍ତର ପ୍ରଦେଶର ବାଘ୍‍ପତ ଆସନରୁ ସାତଥର ଲୋକସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ୧୯୯୬ରେ ରେ ରାଷ୍ଟ୍ରୀୟ ଲୋକ ଦଳ ଗଠନ କରିଥିଲେ। ପଶ୍ଚିମ ଉତ୍ତର ପ୍ରଦେଶରେ ତାଙ୍କ ଦଳର ଯଥେଷ୍ଟ ପ୍ରଭାବ ରହିଥିଲା। ସେ କଂଗ୍ରେସ ନେତୃତ୍ୱରେ ପରିଚାଳିତ ଉପା ସରକାରର ଦ୍ୱିତୀୟ ପାଳିରେ କେନ୍ଦ୍ରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ। ତାହା ପୂର୍ବରୁ ଅଟଳ ବିହାରୀ ବାଜପାୟୀଙ୍କ ମନ୍ତ୍ରିମଣ୍ଡଳରେ ସେ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ କୃଷିମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେହିଭଳି ପି ଭି ନରସିଂହ ରାଓ ଏବଂ ଭି ପି ସିଂହଙ୍କ ସରକାରରେ ସେ ଯଥାକ୍ରମେ ଖାଦ୍ୟ ପ୍ରକ୍ରିୟାକରଣ ଓ ବାଣିଜ୍ୟ ମନ୍ତ୍ରୀ ରହିଥିଲେ। ୧୯୮୬ରେ ସେ ପ୍ରଥମେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୮୯, ୧୯୯୧, ୧୯୯୬, ୧୯୯୭, ୧୯୯୯, ୨୦୦୪ ଏବଂ ୨୦୦୯ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଅଜିତ ସିଂହ ଆଇଆଇଟି ଖଡଗପୁରରୁ କଂପୁଟର ବିଜ୍ଞାନରେ ବି ଟେକ୍‍, ଇଲିନଏସ ଇନଷ୍ଟିଚ୍ୟୁଟ ଅଫ ଟେକ୍‍ନୋଲୋଜିରୁ ଏମଏସ ଡିଗ୍ରୀ ହାସଲ କରିଥିଲେ। ବୃତ୍ତିରେ ଜଣେ କଂପୁଟର ବିଜ୍ଞାନୀ ଥିବା ଅଜିତ ଅନ୍ୟତମ ପ୍ରଥମ ଭାରତୀୟ ଭାବରେ ୧୯୬୦ ଦଶକରେ ଆଇବିଏମ୍‍ରେ କାର୍ଯ୍ୟ କରିଥିଲେ।

Comments are closed.