ଭୋପାଳ ଆଶ୍ରୟକେନ୍ଦ୍ରରେ ଯୌନ କେଳେଙ୍କାରୀ: ପୂର୍ବତନ ସେନା କର୍ମଚାରୀ ଗିରଫ

0

ଭୋପାଳ : ବିହାର ଏବଂ ଉତ୍ତରପ୍ରଦେଶ ପରେ ଏବେ ମଧ୍ୟପ୍ରଦେଶ ଆଶ୍ରୟକେନ୍ଦ୍ରରେ ଯୌନ ନିର୍ଯାତନା ଭଳି ମାମଲା ଲୋକଲୋଚନକୁ ଆସିଛି। ଏଠାରେ ନିର୍ଯାତନାର ଶିକାର ହୋଇଛନ୍ତି ଉଭୟ ନାବାଳିକା ଓ ନାବାଳକ। ଖୋଦ ଆଶ୍ରୟକେନ୍ଦ୍ରର ମାଲିକ ସେମାନଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି କିଛି ଅନ୍ତେବାସୀ। ଏପରିକି ଯୌନ ଉତ୍ପୀଡ଼ନ ପରେ ଅତ୍ୟଧିକ ରକ୍ତସ୍ରାବ କାରଣରୁ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ସେମାନେ ପୁଲିସ ନିକଟରେ ପ୍ରକାଶ କରିଛନ୍ତି। ପୁଲିସ ଏ ନେଇ ଏକ ଏତଲା ରୁଜୁ କରି ଆଶ୍ରୟକେନ୍ଦ୍ରର ୭୦ ବର୍ଷ ବୟସ୍କ ମାଲିକଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ସେନାର ଜଣେ ପୂର୍ବତନ କର୍ମଚାରୀ ବୋଲି ଜଣାପଡିଛି। ପୁଲିସ ନିକଟରେ ଅଭିଯୋଗ କରିବା ପୂର୍ବରୁ ୩ ନାବାଳକ ଓ ୨ ନାବାଳିକା ଅନ୍ତେବାସୀ ପ୍ରଥମେ ସାମାଜିକ ନ୍ୟାୟ ବିଭାଗ ନିକଟକୁ ଯାଇଥିଲେ। ଅଭିଯୋଗରେ ସେମାନେ ଦର୍ଶାଇଥିଲେ ଯେ ଆଶ୍ରୟକେନ୍ଦ୍ରର ଜଣେ ନାବାଳକଙ୍କ ମୁଣ୍ଡକୁ ଅଭିଯୁକ୍ତ ଜଣକ ଖୁବ୍‍ ଜୋରରେ କାନ୍ଥରେ ପିଟି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ମାଲିକଙ୍କ କଥା ଅମାନ୍ୟ କରିବାରୁ ଜଣେ ନାବାଳକଙ୍କୁ ଏକ ଶୀତରାତିରେ ସମ୍ପୂର୍ଣ୍ଣ ଭାବେ ଘରୁ ବାହାରେ କାଟିବାର ଦଣ୍ଡ ମିଳିଥିଲା। ଅତ୍ୟଧିକ ଥଣ୍ଡା ସହି ନ ପାରି ସେ ପ୍ରାଣ ହରାଇଥିଲେ।
ଏହି ଆଶ୍ରୟକେନ୍ଦ୍ର ୧୯୯୫ରେ ପଞ୍ଜିକୃତ ହୋଇଥିଲା। ସେହିଦିନଠାରୁ ଏହା ସରକାରୀ ପାଣ୍ଠିରେ ପରିଚାଳିତ ହୋଇଆସୁଥିଲା। ଏଠାରେ ୪୨ ଜଣ ବାଳକ ଏବଂ ୫୮ ଜଣ ବାଳିକା ୨୦୦୩ ପରଠାରୁ ରହିଆସୁଛନ୍ତି। ଗତ ୧୦ ବର୍ଷ ହେବ ପୂର୍ଣ୍ଣକାଳୀନ ୱାର୍ଡେନଙ୍କ ଅନୁପସ୍ଥିତିରେ ୪ ଜଣ ଶିକ୍ଷକଙ୍କୁ ଆଶ୍ରୟସ୍ଥଳର ଦେଖାଶୁଣା ନିମନ୍ତେ ନିୟୋଜିତ କରାଯାଇଥିଲା। ଆଶ୍ରୟକେନ୍ଦ୍ର ସଂସ୍ପର୍ଶରେ ଥିବା କିଛି ଲୋକଙ୍କ ସୂଚନା ଅନୁସାରରେ ଉପଯୁକ୍ତ ଯୋଗ୍ୟତା ନ ଥିବାରୁ ପୂର୍ଣ୍ଣକାଳୀନ ୱାର୍ଡନ୍‍ଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିଲା। ସାମାଜିକ ନ୍ୟାୟ ବିଭାଗର ନିର୍ଦେଶକ କୃଷ୍ଣମୋହନ ତିୱାରୀ କହିଛନ୍ତି, କେତେକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ତାଙ୍କ ଭାଷା ଅନୁବାଦକଙ୍କ ସହିତ ବିଭାଗୀୟ କାର୍ଯ୍ୟାଳୟକୁ ଆସି ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଏବଂ ଶାରୀରିକ ନିର୍ଯାତନା ସମ୍ବନ୍ଧରେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ବିଭାଗ ପକ୍ଷରୁ ଜିଲାପାଳ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରାଯିବା ସହ ତଦନ୍ତ ଲାଗି ନିବେଦନ କରାଯାଇଥିଲା।

Leave A Reply