ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ : ପ୍ରତାରଣା ଅଭିଯୋଗରେ ବନପାଳ ଗିରଫ

ମାଲକାନଗିରି : ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପ୍ରତାରଣା ଅଭିଯୋଗରେ ମାଲକାନଗିରି ଜିଲା ସଦର ବନାଞ୍ଚଳର ବନପାଳ ମୂରଲିଧର ଅନୁଗୁଳିଆଙ୍କୁ ପୁଲିସ ଗିରଫ କରିଛି। ବନପାଳ ମୂରଲିଧର ମାଲକାନଗିରି ଜିଲା ଓର୍କେଲ ଥାନା ଅଧୀନ ଅଞ୍ଚଳର ଏକ ଗ୍ରାମର ଜଣେ ୨୬ ବର୍ଷର ଯୁବତୀଙ୍କ ସହ ପୂର୍ବରୁ ପରିଚିତ ହୋଇଥିଲେ। ଗତ ଏପ୍ରିଲ ୫ ତାରିଖରେ ବନପାଳଙ୍କ ବାସଭବନକୁ ଯୁବତୀ ଜଣଙ୍କ ବୁଲିବାକୁ ଆସିଥିଲେ। ସେହିଦିନ ରାତିରେ ଯୁବତୀଙ୍କ ଅନିଚ୍ଛା ସତ୍ବେ ବନପାଳ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ବିବାହର ପ୍ରତିଶ୍ରୁତି ଦେଇ ଘଟଣା ସମ୍ପର୍କରେ ଅନ୍ୟ କାହାକୁ ନ ଜଣାଇବା ପାଇଁ ଯୁବତୀଙ୍କୁ ଅନୁଗୁଳିଆ କହିଥିଲେ। ଏପ୍ରିଲ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ବନପାଳ ପୀଡିତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ପରେ ଯୁବତୀଙ୍କୁ ବୁଝାସୁଝା କରି ଘରକୁ ପଠାଇ ଦେଉଥିଲେ। ଘଟଣା ସମ୍ପର୍କରେ ଉଭୟ ଯୁବତୀ ଓ ଅନୁଗୁଳିଆଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ। ଉଭୟ ପରିବାର ମିଶି ବିବାହ କରାଇ ଦେବା ପାଇଁ ସହମତି ପ୍ରକାଶ କରିଥିଲେ। ପରେ ପୀଡିତାଙ୍କୁ ବିବାହ କରିବି ବୋଲି କହି ଅନୁଗୁଳିଆ ଦିନ ଗଡାଇ ଚାଲିଥି​‌େ​‌ଲ। ଏହାମଧ୍ୟରେ ଅନୁଗୁଳିଆ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଏହି ସମ୍ପର୍କରେ ପୀଡିତା ଜଣଙ୍କ ଜାଣି ଅନୁଗୁଳିଆଙ୍କୁ ପଚାରିବାରୁ ସେ ଧମକ ଦେବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିଥିଲେ ବୋଲି ଅଭିଯୋଗ ହୋଇଛି। ବାଧ୍ୟ ହୋଇ ପୀଡିତା ଜଣଙ୍କ ମାଲକାନଗିରି ଏସଡିଜେଏମ କୋର୍ଟର ଦ୍ୱାରସ୍ତ ହୋଇଥିଲେ। ଏସଡିଜେଏମଙ୍କ ନିର୍ଦେଶକ୍ରମେ ଆଜି ପୁଲିସ ଏକ ମାମଲା ରୁଜୁ କରି ଅନୁଗୁଳିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି।

Comments are closed.