ପ୍ରକୃତିର ସୁରକ୍ଷା ପାଇଁ ସମର୍ପିତ ଅନ୍ତପାଲି ଯୁବଗୋଷ୍ଠୀ

ବଲାଙ୍ଗିର: ବର୍ତ୍ତମାନର ଯୁବ ସମାଜ ନିଶା, ଜୁଆ ଭଳି ଅନେକ ଅସାମାଜିକ କାମରେ ନିଜକୁ ନିୟୋଜିତ କରୁଛନ୍ତି। ଡିଜିଟାଲ ଦୁନିଆରେ ଯୁବକମାନେ ବେଶୀ ସମୟ ବିତାଉଛନ୍ତି ମୋବାଇଲରେ। କିନ୍ତୁ ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକ ଅନ୍ତପାଲିରେ ଏମିତି ଅନେକ ଯୁବକ ରହିଛନ୍ତି ଯେଉଁମାନେ କି ମାସକୁ ଅନେକ ଦିନ ନିଜ ଅଞ୍ଚଳର ଜଙ୍ଗଲ, ପ୍ରାକୃତିକ ସୌନ୍ଦର୍ୟ୍ୟର ସୁରକ୍ଷା ପାଇଁ ସମୟ ଦେଉଛନ୍ତି। ଗାଁର ପ୍ରତି ଘରୁ ଜଣେ ଜଣେ ବାହାରି ଜଙ୍ଗଲ ଜଗୁଥିବା ବେଳେ ଅନ୍ତପାଲି, କୁମିଆପାଲି, ପୋଢମୁଣ୍ଡ ଭିତରେ ରହିଥିବା ଏକ ସୁବିସ୍ତୀର୍ଣ୍ଣ ଜଙ୍ଗଲ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ଦୂରରେ ରହିଛି। ଏହି ଗାଁର ଯୁବକମାନେ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ।

ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକ ରେଙ୍ଗାଲି, ଅନ୍ତପାଲି, କୁମିଆପାଲି ଓ ପୋଢମୁଣ୍ଡ ଭିତରେ ୧୩ଶହ ହେକ୍ଟରର ଏକ ସୁବିସ୍ତୀର୍ଣ୍ଣ ସଂରକ୍ଷିତ ଜଙ୍ଗଲ ରହିଛି। ସୁକତେଲ ନଦୀ ନିକଟରେ ଥିବା ଏହି ଜଙ୍ଗଲ ଉପରେ ସେଠାକାର ଅଧିବାସୀ ନିର୍ଭର କରନ୍ତି। ଜଙ୍ଗଲକୁ ଲାଗି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ଚାଲୁଥିବା ବେଳେ ଜଙ୍ଗଲ ଉପରେ ସବୁବେଳେ ମାଫିଆଙ୍କ ନଜର। ରେଙ୍ଗାଲ, ଶାଳ, ଶାଗୁଆନ, ବାଉଁଶ ସହ ଅନେକ ଔଷଧୀୟ ଗଛ ଏହି ଜଙ୍ଗଲରେ ରହିଛି। ବିଶେଷ କରି ବାଉଁଶ ଗଛରୁ ବାହାରୁଥିବା କରଡି, ହେଣ୍ଡୁଆ ପାଇଁ ବାହାର ଅଞ୍ଚଳର ଲୋକେ ଏହି ଜଙ୍ଗଲକୁ ଆସି ଜଙ୍ଗଲ ନଷ୍ଟ କରିଥାନ୍ତି। ତେବେ ୯୦ ଦଶକରେ ଅନ୍ତପାଲି ଗାଁର ଯୁବକମାନେ ଜଙ୍ଗଲ ସୁରକ୍ଷା ପାଇଁ ଏକାଠି ହୋଇଥିଲେ। ସୁଭାଷ ବୋଷ ଯୁବ ସଙ୍ଗଠନ କରି ଜଙ୍ଗଲ ଜଗିବା ଆରମ୍ଭ କରିଥିଲେ। ପରେ ଏହି ସଙ୍ଗଠନ ଭାଙ୍ଗି ଯାଇଥିଲା। ଯାହାଫଳରେ ପୁଣି ଏହି ଅନ୍ତପାଲି ସଂରକ୍ଷିତ ଜଙ୍ଗଲରୁ ଗଛ ଚୋରା ଚାଲାଣ ହେବା ଆରମ୍ଭ ହୋଇଥିଲା। ଜଙ୍ଗଲ ଭିତରେ ଭରି ରହିଥିବା ପ୍ରଚୁର ପରିମାଣର ମାଙ୍ଗାନିଜ ମଧ୍ୟ ଚାଲାଣ ହେଉଥିଲା। ନଷ୍ଟ ହେଉଥିବା ଜଙ୍ଗଲ ଓ ଖଣି ଲୁଟକୁ ଦୃଷ୍ଟିରେ ରଖି ଗତ ପ୍ରାୟ ୧୫ ବର୍ଷ ପୂର୍ବରୁ ପୁଣି ଅନ୍ତପାଲି ଗ୍ରାମବାସୀ ଏକାଠି ହୋଇଥିଲେ। ସେଠାରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରତି ଘରର ଜଣେ ଜଣେ ସଦସ୍ୟ ଜଙ୍ଗଲ ଜଗିବାରେ ନିୟୋଜିତ ହେବେ। ପ୍ରାୟତଃ ପ୍ରତି ଘରର ଯୁବକମାନେ ଏହି ଜଙ୍ଗଲ ଜଗିବା ପାଇଁ ଅଗେଇ ଆସିଥାନ୍ତି।

ଗଲା ୧୫ ବର୍ଷ ହେଲା ଚାଲି ଆସିଥିବା ଏହି ବ୍ୟବସ୍ଥା ଏବେ ପରମ୍ପରା ପାଲଟିଛି। ଗ୍ରାମବାସୀଙ୍କ ସୂଚନା ଅନୁସାରେ ଜୁନ ମାସରୁ ନଭେମ୍ବର ମାସ ପର୍ୟ୍ୟନ୍ତ ବିଶେଷ କରି ବାଉଁଶ ଗଛ ନଷ୍ଟ କରାଯାଇଥାଏ। ଫଳରେ ୬ ମାସ ପ୍ରତିଦିନ ୧୫ ଜଣ ଗାଁ ଲୋକ ଜଙ୍ଗଲକୁ ସୁରକ୍ଷା ଦିଅନ୍ତି। ଅନ୍ୟ ୬ ମାସ ୭ ଜଣ ଲେଖାଏଁ ଜଗୁଆଳି ଦାୟିତ୍ୱ ନେଇଥାନ୍ତି। କିଏ କେଉଁଦିନ ଜଙ୍ଗଲ ଜଗିବା ପାଇଁ ଯିବ ତାହା ପୂର୍ବରୁ ସ୍ଥିର ହୋଇ ଗାଁରେ ଝୁଲୁଥିବା ବୋର୍ଡରେ ସୂଚନା ଦିଆଯାଇଥାଏ। ଏହି ଜଙ୍ଗଲ ଭିତରେ ବାରାହା, କୁଟୁରା, ଠେକୁଆ, ମୟୁର ଭଳି ଅନେକ ବନ୍ୟଜନ୍ତୁ ରହିଛନ୍ତି। ସେମାନଙ୍କ ସୁରକ୍ଷା ସହ ମୂଲ୍ୟବାନ ଗଛର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଏହି ଅନ୍ତପାଲିର ଲୋକେମାନେ ଖଣିଜ ଦ୍ରବ୍ୟର ମଧ୍ୟ ସୁରକ୍ଷା କରୁଛନ୍ତି। ଗତ କିଛି ମାସ ତଳେ ମାଙ୍ଗାନିଜ ଚୋରା ଚାଲାଣ ଚାଲିଥିବା ବେଳେ ଏହି ଯୁବକମାନେ ଚାଲାଣ ହେଉଥିବା ଟ୍ରକକୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ସେହିଦିନ ଠାରୁ ମାଙ୍ଗାନିଜ ଚୋରା ଚାଲାଣ ବନ୍ଦ ରହିଛି। ତେବେ ବାହାର ଅଞ୍ଚଳରୁ ଆସି କାଠ, ବାଉଁଶ ଗଛ କାଟୁଥିବା ଲୋକଙ୍କୁ ଧରିଲେ ସେଥିରୁ ଆଦାୟ ହେଉଥିବା ଜରିମାନା ଟଙ୍କାରେ ଜଗୁଆଳି ଦାୟିତ୍ୱ କରୁଥିବା ଲୋକେ ନିଜ ପାଉଣା ପାଇଥାନ୍ତି। ଏହା ସହିତ ବଳକା ଜରିମାନା ଟଙ୍କାରେ ଗାଁର ସାମୂହିକ କାମ କରାଯାଉଥିବା ସଦସ୍ୟ ମାନେ କହିଛନ୍ତି। ଏହି ଗାଁ କମିଟିର ଜଙ୍ଗଲ ସୁରକ୍ଷା ପ୍ରୟାସକୁ ବନ ବିଭାଗ ମଧ୍ୟ ପ୍ରଶଂସା କରିଛି।

Comments
Loading...