ମଜୁରୀ ଦାବୀ ନେଇ ଫରେଷ୍ଟ ରେଞ୍ଜ ଅଫିସ ଘେରିଲେ ମଜୁରିଆ

କଣ୍ଟାବାଞ୍ଜି: କରୋନା ମହାମାରୀ ସମୟରେ ମଜୁରିଆମାନେ କାମ କରି ଗତ ୪/୫ ମାସ ହେଲା ମଜୁରି ପାଇ ନ ଥିବା ଯୋଗୁଁ ବୁଧବାର ଦିନ କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜ ଅଫିସକୁ ଶତାଧିକ ମଜୁରିଆ ଆସି ଘେରାଉ କରିଛନ୍ତି। ଦୀର୍ଘ ଦିନ ହେଲା କରୋନା ଯୋଗୁଁ ଅଭାବ ଅନଟନରେ ଚଳୁଥିବା ବେଳେ ମଜୁରି ଦେବା ଦାବୀ କରି ଅଫିସକୁ ଘେରାଉ କରିଛନ୍ତି।

ପ୍ରକାଶ ଥାଉ କି, ତୁରେକେଲା ବ୍ଲକର ଉପାନ୍ତ ଦାଦନ ପ୍ରବଣ ପଞ୍ଚାୟତ କମେଇମୁଣ୍ଡାର ଝରଣିପଦର, ରହେନଭଟା, ଖଗସା ପଞ୍ଚାୟତର ପାଟିମାଲ, ହିଆଁଲ ପଞ୍ଚାୟତର ଢୁଷାମୁଣ୍ଡା ଓ ବେଲପଡା ବ୍ଲକ ସଲଣ୍ଡି ଗାଁର ଶତାଧିକ ମହିଳା ବନ ବିଭାଗର କାମ୍ପା ଯୋଜନାରେ ଗତ ଜୁନ ୨୦୨୦ରେ ବିଭିନ୍ନ ନର୍ସରୀରେ ଚାରା କରିବା, ଗାତ ଖୋଲିବା, ଚାରା ଲଗାଇବା ଏବଂ ଚାରାରେ ପାଣି ଦେବା ଆଦି ୪ ମାସ କାମ କରିଥିଲେ। କାମ କରିବା ମଧ୍ୟରେ ଗୋଟିଏ ଦିନର ମଜୁରୀ ମଧ୍ୟ ୫ ମାସ ହେଲା ବିତିଯାଇଛି। ଯଦ୍ୱାରା ଶତାଧିକ ମଜୁରିଆମାନେ କଣ୍ଟାବାଞ୍ଜି ରେଞ୍ଜ ଅଫିସକୁ ଆସି ନିଜର ମଜୁରି ଦାବୀ କରିଥିଲେ। କିନ୍ତୁ ସଦରରେ ଫରେଷ୍ଟ ରେଞ୍ଜ ଅଫିସର ଶ୍ରଦ୍ଧାଦେବ ବଡମାଲି ଉପସ୍ଥିତ ରହି ମଧ୍ୟ ମଜୁରିଆଙ୍କ ସହ କୌଣସି ଯୋଗାଯୋଗ ନ କରି ନିଜ ସରକାରୀ ବାସଭବନରେ ଛପି ରହିଥିଲେ। ଫଳରେ ଦୁଇ ଘଣ୍ଟା କାଳ ହୋହାଲ୍ଲା ପରେ ବଲାଙ୍ଗିର ସହକାରି ବନ ସଂରକ୍ଷକ( ଏସିଏଫ)ଙ୍କୁ ଫୋନ ଯୋଗେ ଅଭିଯୋଗ କରିଥିଲେ। ଏହା ପରେ ସଂପୃକ୍ତ ଏସିଏଫ ଅନୁସନ୍ଧାନ କରି ଯଥା ଶୀଘ୍ର ମଜୁରି ଦେବାର ବ୍ୟବସ୍ଥା କରିବେ ବୋଲି ମଜୁରିଆଙ୍କି ପ୍ରତିଶୃତି ଦେଲା ପରେ ମଜୁରିଆମାନେ ଫେରିଯାଇଛନ୍ତି।

 

Comments are closed.