ବେଆଇନ କରତକଳ, ସାଗୁଆନ କାଠ ଓ ଟାକ୍ଟର ଜବତ

ଆଠଗଡ : ଆଠଗଡ ବନାଞ୍ଚଳ ଅନ୍ତର୍ଗତ ସଠିଲୋ ପଞ୍ଚାୟତ ଅଧିନ କୁଆଁଳ ଗ୍ରାମରେ ବେଆଇନ ଭାବେ ଚାଲିଥିବା ଭ୍ରାମ୍ୟମାଣ କରତକଳ ସମେତ ବହୁ ସାଗୁଆନ କାଠ ଲଗ୍, ପଟ୍ଟା ଓ କରତ କଳ ଚଳାଇବାରେ ବ୍ୟବହୃତ ଟ୍ରାକ୍ଟର ବନ ବିଭାଗ ପକ୍ଷରୁ ବୁଧବାର ଚଢଉ କରି ଜବତ କରାଯାଇଛି। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଆଠଗଡର ନବନିଯୁକ୍ତ ଡିଏଫଓ ସୁଦର୍ଶନ ଗୋପିନାଥ ଯାଧବଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ରେଞ୍ଜର ଆୟଶା ଅଖତରୀ ନିଶା ସଦଳବଳେ ବୁଧବାର ସକାଳେ କୁଆଁଳ ଗ୍ରାମ ଉପରେ ଚଢଉ କରିଥିଲେ। ଏକ ପରିତ୍ୟକ୍ତ ସ୍ଥାନରେ ଟ୍ରାକ୍ଟର ଇଞ୍ଜିନ୍ ସାହାଯ୍ୟରେ କରତକଳ ଚଳାଇ ସାଗୁଆନ କାଠ ଚିରଟ କରାଯାଉଥିବାବେଳେ ବନବିଭାଗ ଅଧିକାରୀ ଓ କର୍ମଚାରୀ ଅତର୍କିତ ଚଢଉ କରିଥିଲେ। ଚଢଉ ବେଳେ ୪୦ ଘନଫୁଟର ଏକାଧିକ ସାଗୁଆନ ଲଗ୍ ଓ ୧୦ ଘନଫୁଟର ୨୦ଖଣ୍ଡରୁ ଉର୍ଦ୍ଧ୍ବ ସାଗୁଆନ ପଟ୍ଟା ଜବତ କରାଯାଇଛି। ଯାହାର ଆନୁମାନିକ ବଜାର ଦର ୮୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଏଥିସହିତ ବେଆଇନ ଭାବେ ଚାଲୁଥିବା କରତକଳ ସହିତ ସେଥିରେ ବ୍ୟବହୃତ ଚେନ୍ ଓ ବ୍ଲେଡ୍ ଏବଂ ଏକ ଟ୍ରାକ୍ଟର ଜବତ କରାଯାଇଥିଲା। ବନବିଭାଗର ଚଢଉ ପୂର୍ବରୁ କାଠ ଚିରଟ କରୁଥିବା ଚୋରାକାଠ ବ୍ୟବସାୟୀ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଯେଉଁ ସ୍ଥାନରେ କାଠ ଚିରଟ ହେଉଥିଲା ସେହି ଜାଗାର ମାଲିକଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ରେଞ୍ଜର ସୁଶ୍ରୀ ଆୟଶା ପ୍ରକାଶ କରିଛନ୍ତି। ଏହି ଚଢଉରେ ଆଠଗଡ ସଦର ବନପାଳ କୃଷ୍ଣଚନ୍ଦ୍ର ସ୍ୱାଇଁ, ରାଜନଗର ବନପାଳ କୃଷ୍ଣଚନ୍ଦ୍ର ଦେହୁରୀ, ସଦର ବନରକ୍ଷୀ ସୁଶିଲ କୁମାର ଜେନା, କୁଲାଇଲୋ ବନରକ୍ଷୀ ନିଳମାଧବ ଦଳାଇଙ୍କ ସମେତ ବହୁ ବନବିଭାଗ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Comments are closed.