ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଚାଲିଛି ଅବାଧ ବନ୍ୟଜନ୍ତୁ ଶୀକାର : ୨୫କେ.ଜି ସମ୍ବର ମାଂସ ଜବତ,ଜଣେ ଗିରଫ

ନୟାଗଡ଼ ରୁ ବୌଦ୍ଧକୁ ଲମ୍ବିଛି ଜଙ୍ଗଲୀ ମାଂସ ଚୋରା ବେପାର ଚେର

ହରଭଙ୍ଗା : ବୌଦ୍ଧଜିଲ୍ଲା ପୁରୁଣାକଟକ ଫରେଷ୍ଟ ରେଞ ଅର୍ନ୍ତଗତ ଝାରଖମଣ ଗ୍ରାମରେ ଶନିବାର ଭୋର ସକାଳୁ ସକାଳୁ ବନବିଭାଗ ଚଢଉକରି ସନ୍ତୋଷ କୁମାର ସାହୁଙ୍କଠାରୁ ୨୫କେ.ଜି ଓଜନର ଜଙ୍ଗଲୀ ସମ୍ବର ମାଂସ ଜବତ କରିଛି। ଏହି ଘଟଣାରେ ବନବିଭାଗ ଅଭିଯୁକ୍ତ ସନ୍ତୋଷଙ୍କୁ ମଧ୍ୟ ଗରିଫ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଗତକାଲି ରାତିରେ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳରୁ ଏକ ଜଙ୍ଗଲୀ ସମ୍ବର ଶୀକାର କରାଯାଇ ବୌଦ୍ଧଜିଲ୍ଲା ଝାରଖମଣ ଗ୍ରାମକୁ ବିକ୍ରୀ ପାଇଁ ଚୋରା ଚାଲାଣ ହୋଇଥିବା ସମ୍ପର୍କରେ ବୌଦ୍ଧ ଡିଏଫଓ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବରପାଇଥିଲେ। ସେହି ଅନୁସାରେ ଡିଏଫଓ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ବର ମାଂସ ଜବତ ପାଇଁ ମୋବାଇଲ ଷ୍ଟାଫ,ଏସିଏଫଙ୍କୁ ନେଇ ଏକ ଚଢଉ ଟିମ୍‍ ଗଠନ କରାଯାଇଥିଲା। ସେହି ଅନୁସାରେ ମୋବାଇଲ ଟିମ ସହିତ ୩ଜଣ ଏସିଏଫ ଏବଂ ପୁରୁଣା କଟକ ରେଞ ଅଫିସର ଏବଂ ବନକର୍ମଚାରୀ ସଦଳବଳେ ଆଜି ଭୋର ୫ଟାରୁ ଝାରଖମଣ ଗ୍ରାମର ସନ୍ତୋଷ ସାହୁଙ୍କ ଘରେ ଅଚାନକ ଚଢଉ କରିଥିଲେ। ଚଢଉ ସମୟରେ ତାଙ୍କ ପାଖରୁ ପଲିଥିନରେ ବନ୍ଧା ହୋଇରହିଥିବା ୨୫ କେ.ଜି ଓଜନର ଜଙ୍ଗଲୀ ସମ୍ବର ମାଂସ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କୁ ପଚରାଉଚରା ପରେ ତାଙ୍କ ନିକଟରୁ ସମ୍ବର ଶୀକାର ସମ୍ପର୍କରେ ଅନେକ ତଥ୍ୟ ବନବିଭାଗକୁ ମିଳିଥିଲା।

ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ଛାମୁଣ୍ଡିଆ ବନ୍ୟପ୍ରାଣୀ ରେଞର ବାଙ୍କଝରୀ ଅଞ୍ଚଳରୁ ସମ୍ବର ଶୀକାର ହୋଇଥିବା ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବନବିଭାଗକୁ ମିଳିଥିଲା। ଏ ସର୍ମ୍ପକରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ ଅଫିସର ପ୍ରଦୀପ ଭୂତିଆ ମଧ୍ୟ ପୁରୁଣା କଟକରେ ପଂହଚି ଅଭିଯୁକ୍ତଙ୍କୁ ଘଟଣା ସର୍ମ୍ପକରେ ଅଧିକ ପଚରାଉଚରା କରିଥିଲେ। ଏହାପରେ ପୁରୁଣାକଟକ ବନବିଭାଗ ଟିମ ଏବଂ କୁଶଙ୍ଗ ବନ୍ୟପ୍ରାଣୀ ଟିମ ସହାୟତରେ ଶୀକାରୀଙ୍କୁ ଗିରଫ ପାଇଁ ବାଙ୍କଝରୀ ପଂହଚିଥିଲେ। ମାତ୍ର ଶୀକାର ଜଣଙ୍କ ଫେରାରଥିବାରୁ ତାଙ୍କୁ ଧରିବାରେ ବନବିଭାଗ ସକ୍ଷମ ହୋଇନାହିଁ। ସୂଚନା ଯୋଗ୍ୟ ଯେ, ନୟାଗଡ଼ ମହାନଦୀ ବନଖଣ୍ଡ ଅଧିନସ୍ଥ କୁଶଙ୍ଗ, ଛାମୁଣ୍ଡିଆ ରେଞ ଅଞ୍ଚଳରୁ ନିୟମିତ ଅବାଧ ବନ୍ୟଜନ୍ତୁ ଶୀକାର କରାଯାଇ ବୌଦ୍ଧ ,ଆଠମଲ୍ଲିକ ଅଞ୍ଚଳକୁ ଚୋରାଚାଲାଣ ଚାଲିଥିବା ଅଭିଯୋଗ ହେଉଛି। ମାତ୍ର ବନ୍ୟପ୍ରାଣୀ ବିଭାଗ ଏ ସମ୍ପର୍କରେ ସୁରାଗ ନପାଇବା ତାଙ୍କର କାର୍ଯ୍ୟକଳାପ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ଦିଗରେ ମୁଖ୍ୟ ବନସଂରକ୍ଷକ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଅଭୟାରଣ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି। ଏହି ଚଢଉବେଳେ ବୌଦ୍ଧ ଏସିଏଫ ରାଜେନ୍ଦ୍ର ଗୋଛାୟତ, ସୌମ୍ୟରଞ୍ଜନ ଗୋଛାୟତ, ଜିତେନ୍ଦ୍ର ବେହେରା,ମୋବାଇଲ ଟିମ ବୌଦ୍ଧର ଡେପୁଟି ରେଞ ଅଫିସର ପ୍ରଦୋଷ, ମହାରାଣା, ପୁରୁଣାକଟକ ରେଞ ଅଫିସର ନିହାର ରଞ୍ଜନ ମଲ୍ଲିକ,ବନରକ୍ଷୀ ସିତିଶ ରଞ୍ଜନ କମ୍ପ ପ୍ରମୁଖ ସାମିଲ ଥିଲେ।

 

Comments are closed.