ରିୟାଙ୍କ ସପିଂ, ମେକଅପ୍, ସୌଭିକଙ୍କ ଟ୍ୟୁସନ ଫି ବାବଦରେ ସୁଶାନ୍ତଙ୍କ ଆକାଉଣ୍ଟରୁ ଦିଆଯାଇଛି ଟଙ୍କା

ବଲିଉଡ ତାରକା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି । ଏହା ସତ୍ବେ ସିବିଆଇ ଅନୁସନ୍ଧାନ ଅବ୍ୟାହତ ରହିଛି । ତାଙ୍କ ବ୍ୟାଙ୍କ ଜମାଖାତାର ଫରେନସିକ୍ ଯାଞ୍ଚ ଆରମ୍ଭ ହୋଇଛି ଏବଂ ଏଥିରେ କେତେକ ଚମକାଇଦେବା ଭଳି ତଥ୍ୟ ମିଳିଛି ।

ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ସମସ୍ତ ବ୍ୟାଙ୍କ ଜମାଖାତା ଅନୁସାରେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୭୦ କୋଟି ଟଙ୍କା କାରବାର ହୋଇଛି । ଏହାମଧ୍ୟରୁ ବର୍ତମାନ ସୁଦ୍ଧା ରିୟା ଓ ତାଙ୍କ ଭାଇଙ୍କ ପାଇଁ ୫୫ ଲକ୍ଷ ଟଙ୍କା ଏହି ବ୍ୟାଙ୍କ ଖାତା ଜରିଆରେ ବ୍ୟୟ ହୋଇଛି । ବୁଲାବୁଲି କରିବା, ସ୍ପା, ମେକଅପ୍ ଓ ଉପହାର କ୍ରୟ ବାବଦରେ ଏହି ଅର୍ଥ ଖର୍ଚ ହୋଇଥିବା ସୂଚନା ମିଳିଛି ।

ସୁଶାନ୍ତଙ୍କ ପିତା କେ.କେ ସିଂ  ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ୧୫ କୋଟି ଟଙ୍କା ଠକେଇ ମାମଲା ଦାୟର କରିଥିଲେ। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏଥିପାଇଁ ଆଧାର ଭାବରେ ମନି ଲଣ୍ଡରିଂ ମାମଲା ଦାୟର କରିଥିଲା। ଏହି ମାମଲାରେ ଅଭିନେତ୍ରୀଙ୍କୁ ତିନିଥର ପଚରାଉଚରା କରାଯାଇଛି। ତଥାପି ଇଡି ଏପର୍ଯ୍ୟନ୍ତ ଏହାର ଅନ୍ତିମ ରିପୋର୍ଟ ସାର୍ବଜନୀନ କରିନାହିଁ। ଏହି ମାମଲାର ଅନୁସନ୍ଧାନ ବେଳେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଫୋରେନସିକ୍ ଅଡିଟ୍ କରାଯାଇଛି ।

ଏହି ମାମଲାରେ ଦୁଇ ଡଜନରୁ ଅଧିକ ଲୋକଙ୍କୁ ସିବିଆଇ ଜେରା  କରିଛି। ଏଥିମଧ୍ୟରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟ, ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ, ତାଙ୍କ କର୍ମଚାରୀ ଏବଂ ଘର ପରିଚାଳକ, ଯେଉଁଠାରେ ତାଙ୍କର ଆକାଉଣ୍ଟ୍ ଥିବା ବ୍ୟାଙ୍କ କର୍ମଚାରୀ, ତାଙ୍କର ମାନସିକ ରୋଗ ବିଶେଷଜ୍ଞ ଏବଂ କିଛି ବନ୍ଧୁ ଏବଂ ପରିଚିତ ଅଛନ୍ତି। ସୁଶାନ୍ତ ଛୁଟିରେ ଯାଇଥିବା ପାଭାନା ଡ୍ୟାମ ରିସୋର୍ଟର କର୍ମଚାରୀଙ୍କୁ ମଧ୍ୟ ସିବିଆଇ ଜେରା କରିଛି ।

କୋଟାକ ମହିନ୍ଦ୍ରା ବ୍ୟାଙ୍କ ଷ୍ଟେଟମେଣ୍ଟ ଅନୁସାରେ ୨୦୧୯ ଜୁଲାଇ ୧୪, ୨୨, ଅଗଷ୍ଟ ୨, ୮ ଓ ୧୫ ତାରିଖରେ ସୁଶାନ୍ତଙ୍କ ବ୍ୟାଙ୍କ ଜମାଖାତାରୁ ପୂଜାପୂଜି ପାଇଁ ଟଙ୍କା ଖର୍ଚ କରାଯାଇଛି । ଏ ସମ୍ପର୍କରେ ସିବିଆଇ ଯାଞ୍ଚ ଆରମ୍ଭ କରିଛି ।

ଅନ୍ୟପକ୍ଷରେ ସୁଶାନ୍ତଙ୍କ ଜମାଖାତାରୁ ୯୦ ଦିନରେ ୩.୨୪ କୋଟି ଟଙ୍କା ଖର୍ଚର ଅନୁସନ୍ଧାନ ମଧ୍ୟ ଆରମ୍ଭ ହୋଇଛି । ୨୦୧୯ ଅକ୍ଟୋବର ୧୪ ତାରିଖରେ ସୁଶାନ୍ତଙ୍କ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୪.୬୪ କୋଟି ଟଙ୍କା ରହିଥିଲା। ମାତ୍ର ୯୦ ଦିନ ମଧ୍ୟରେ ଏଥିରୁ ୩.୨୪ କୋଟି ଟଙ୍କା ଖର୍ଚ ହୋଇ ଯାଇଥିଲା । ସୁଶାନ୍ତଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର ହୋଇଥିବା ଅଧିକାଂଶ ଅର୍ଥ ରିୟା ଚକ୍ରବର୍ତୀ ବା ତାଙ୍କ ପରିବାର ପାଇଁ ବ୍ୟୟ ହୋଇଥିବା ଜଣାପଡ଼ିଛି ।

ଅକ୍ଟୋବର ୧୪ରେ ରିୟାଙ୍କ ଭାଇ ଶୋଭିକଙ୍କ ଆକାଉଣ୍ଟକୁ ୮୧୯୦୧ ଟଙ୍କା ଟ୍ରାନ୍ସଫର 

୧୫ ଅକ୍ଟୋବର ୨୦୧୯ ରେ ଦିଲ୍ଲୀର ତାଜ ହୋଟେଲ ବିଲ୍ ବାବଦରେ ୪.୩ ଲକ୍ଷ ଟଙ୍କା ପଇଠ 

୨୦୧୯ ଅକ୍ଟୋବର ୬ ତାରିଖରେ ରିୟା ଏବଂ ଶୋଭିକଙ୍କ ଦିଲ୍ଲୀ ବିମାନ ଟିକେଟ ପାଇଁ ୭୬ ହଜାର ଟଙ୍କା ପଇଠ

୨୦୧୯ ନଭେମ୍ବର ୧୪ ତାରିଖରେ ରିୟାଙ୍କ ଆକାଉଣ୍ଟକୁ ଦେଢ଼ ଲକ୍ଷ ଟଙ୍କା ଟ୍ରାନ୍ସଫର 

୨୦୧୯ ନଭେମ୍ବର ୨୦ ଓ ୨୧ ତାରିଖରେ ରିୟାଙ୍କ ମେକଅପ୍ ଓ ସପିଂ ପାଇଁ ୭୫ ହଜାର ଟଙ୍କା ବ୍ୟୟ

୨୦୧୯ ନଭେମ୍ବର ୨୪ ତାରିଖରେ ରିୟାଙ୍କ ସପିଂ ପାଇଁ ୨୨୨୨୦ ଟଙ୍କା ପ୍ରଦାନ

ନଭେମ୍ବର ୨୫ ତାରିଖରେ ରିୟାଙ୍କ ଭାଇ ଶୋଭିକଙ୍କ ଟ୍ୟୁସନ ଫି ବାବଦରେ ଅର୍ଥ ପ୍ରଦାନ

Comments are closed.