୧୫ ବିଦେଶୀ ରାଷ୍ଟ୍ରଦୂତ ଗସ୍ତ କଲେ ଜାମ୍ମୁ କାଶ୍ମୀର

ନୂଆଦିଲ୍ଲୀ: ବିଦେଶୀ ରାଷ୍ଟ୍ରଦୂତମାନଙ୍କର ଏକ ୧୫ ଜଣିଆ ପ୍ରତିନିଧି ଦଳ ଆଜି ଜାମ୍ମୁ କାଶ୍ମୀର ଗସ୍ତ କରିଛନ୍ତି। ସେହି ରାଷ୍ଟ୍ରଦୂତମାନଙ୍କ ଅନୁରୋଧ କ୍ରମେ ଏହି ଗସ୍ତର ଆୟୋଜନ କରାଯାଇଥିବା କେନ୍ଦ୍ର ସରକାର କହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ଜାମ୍ମୁ କାଶ୍ମୀରରେ ସ୍ୱାଭାବିକ ଅବସ୍ଥା ଫେରିଆସିବା ବିଷୟରେ ତଥ୍ୟ ସଂଗ୍ରହ ପାଇଁ ସେହି ପ୍ରତିନିଧି ଦଳ ରାଜ୍ୟକୁ ଗସ୍ତ କରିଛନ୍ତି। ପ୍ରତିନିଧି ଦଳର ସଦସ୍ୟମାନେ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ଓ ରାଜନୈତିକ ନେତାମାନଙ୍କୁ ସାକ୍ଷାତ କରିଛନ୍ତି।

ରବିଶ କୁମାର କହିଛନ୍ତି, ୟୁରୋପୀୟ ସଂଘ ରାଷ୍ଟ୍ରଦୂତ ଏକ ବଡ଼ ପ୍ରତିନିଧି ଦଳ ଗସ୍ତ କରିବା ପ୍ରତି ଗୁରୁତ୍ୱାରୋପ କରିଥିଲେ କିନ୍ତୁ ସରକାର ପ୍ରତିନିଧି ଦଳର ଆକାର କମ୍‍ କରିବାକୁ ଚାହିଁଥିଲେ। ଅତି କମ୍‍ ସମୟ ମଧ୍ୟରେ କରାଯାଇଥିବା ଅନୁରୋଧ ଉପରେ ଏହି ଗସ୍ତର ଆୟୋଜନ କରାଯାଇଥିଲା। ଆମେରିକା, ଦକ୍ଷିଣ କୋରିଆ, ଭିଏତନାମ, ବାଙ୍ଗଲାଦେଶ, ମାଳଦୀପ, ମରକୋ, ଫିଜି, ନରୱେ, ଫିଲିପାଇନ୍ସ, ଆର୍ଜେଣ୍ଟିନା, ପେରୁ, ନାଇଜର, ନାଇଜେରିଆ, ଟୋଗୋ ଓ ଗୟାନାର ରାଷ୍ଟ୍ରଦୂତମାନେ ଏହି ପ୍ରତିନିଧି ଦଳରେ ଥିଲେ।

Comments are closed.