ପୂର୍ବତନ ରାଜ୍ୟ ଫୁଟବଲ ଖେଳାଳି ଶିବାଜୀ ଓ ନିର୍ମଳଙ୍କ ଅକାଳ ବିୟୋଗ

କଟକ: ଓଡ଼ିଶା ଫୁଟବଲ ପାଇଁ ଏହା ଅତ୍ୟନ୍ତ ଦୁଃଖଦ ଖବର। ବୁଧବାର ରାଜ୍ୟର ୨ ଜଣ ପୂର୍ବତନ ଜାତୀୟସ୍ତରର ଫୁଟବଲ ଖେଳାଳି ଶିବାଜୀ ବୋଷ ଓ ନିର୍ମଳ ସାହୁଙ୍କର ଅକାଳ ବିୟୋଗ ଘଟିଛି। କଟକର ଚୁନଭାଟି ଗଳିର ବାସିନ୍ଦା ତଥା ପ୍ରଖ୍ୟାତ ଫୁଟବଲ ଖେଳାଳି ଲକ୍ଷ୍ମୀକାନ୍ତ ବୋଷ (ଖୁଚୁଦା’)ଙ୍କ ସୁପୁତ୍ର ଶିବାଜୀଙ୍କର ବୁଧବାର ମଧ୍ୟାହ୍ନରେ ୫୧ ବର୍ଷ ବୟସରେ ଦେହାନ୍ତ ଘଟିଛି। ସ୍ବର୍ଗତ ଶିବାଜୀ ଟୁକ୍ଟୁକ୍ ନାମରେ ପରିଚିତ ଥିଲେ। ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଶିବାଜୀ ଓଡ଼ିଶା ସିନିୟର ଦଳ ପକ୍ଷରୁ ଜାତୀୟ ପ୍ରତିଯୋଗିତା ସନ୍ତୋଷ ଟ୍ରଫିରେ ଏକାଧିକ ଥର ଖେଳିଥିଲେ। ଏହାଛଡ଼ା ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ କ୍ଳବ ପକ୍ଷରୁ ମଧ୍ୟ ଖେଳିଥିଲେ। ସ୍ବର୍ଗତ ଶିବାଜୀ ଓଡ଼ିଶା ଏଜି କାର୍ଯ୍ୟାଳୟରେ ନିଯୁକ୍ତିରତ ଥିଲେ। ସ୍ବର୍ଗତ ଶିବାଜୀଙ୍କ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଶିବାଜୀଙ୍କ ଆକସ୍ମିକ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳ ସହ ଫୁଟବଲପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ବହୁ କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀ ଶିବାଜୀଙ୍କ ଶେଷଦର୍ଶନ କରିଥିଲେ।

ସେହିପରି ଜାମସେଦପୁରସ୍ଥ ଦକ୍ଷିଣ-ପୂର୍ବ ରେଳବାଇରେ କାର୍ଯ୍ୟରତ ଥିବା ପୂର୍ବତନ ରାଜ୍ୟ ଫୁଟ୍ବଲର ନିର୍ମଳ ସାହୁ ବୁଧବାର ସକାଳେ ମାତ୍ର ୪୦ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ନିର୍ମଳ ଓଡ଼ିଶା ପାଇଁ ଜାତୀୟ ପ୍ରତିଯୋଗିତା ସନ୍ତୋଷ ଟ୍ରଫିରେ ମଧ୍ୟ ପ୍ରତିନିଧିତ୍ବ କରିଥିଲେ। ନିର୍ମଳ ତାଙ୍କର ପତ୍ନୀ ଓ ଦୁଇ କନ୍ୟାଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଶିବାଜୀ ଓ ନିର୍ମଳଙ୍କ ଦେହାନ୍ତରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଓ ଯୁଗ୍ମ ସମ୍ପାଦକ ଅଭିଜତ୍ ପାଲ ସ୍ବର୍ଗତ ଶିବାଜୀ ବୋଷ ଓ ନିର୍ମଳ ସାହୁଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସହିତ ଗଭୀର ଶୋକ ପ୍ରକାଶକରି ଦୁହିଁଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି।

Comments are closed.