ପିଠିରେ ଯନ୍ତ୍ରଣା ସତ୍ତ୍ବେ ଫାଇନାଲରେ ଖେଳିଥିଲେ ଏମ୍‍ବାପେ

0

ପ୍ୟାରିସ୍‍ : ରୁଷିଆରେ ଖେଳାଯାଇଥିବା ଫିଫା ବିଶ୍ୱକପ୍‍ର ଫାଇନାଲରେ କ୍ରୋଏସିଆକୁ ପରାସ୍ତ କରି ଫ୍ରାନ୍‍ସ ଚମ୍ପିଆନ୍‍ ହୋଇଥିଲା। ବିଶ୍ୱକପ୍‍ର ସେମିଫାଇନାଲ ଓ ଫାଇନାଲରେ ପିଠିରେ ପ୍ରବଳ ଯନ୍ତ୍ରଣା ସତ୍ତ୍ବେ ଖେଳିଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଫ୍ରାନ୍‍ସର ତାରକା ଷ୍ଟ୍ରାଇକର ଏମ୍‍ବାପେ। ଫ୍ରାନ୍‍ସ ଫୁଟବଲ ମ୍ୟାଗାଜିନ୍‍କୁ ସାକ୍ଷାତକାର ଦେଇ ଏମ୍‍ବାପେ କହିଛନ୍ତି ବେଲ୍‍ଜିୟମ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‍ର ୩ ଦିନ ପୂର୍ବରୁ ତାଙ୍କ ମେରୁଦଣ୍ଡର ୩ଟି ହାଡ଼ରେ ପ୍ରବଳ ଯନ୍ତ୍ରଣା ଅନୁଭୂତ ହେଉଥିଲା। ତେବେ ସେମିଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‍ରେ ଖେଳିବା ସୁଯୋଗକୁ ସେ ହାତଛଡ଼ା କରିବାକୁ ଚାହୁଁନଥିଲେ। ତେଣୁ ଅଳ୍ପ ଚିକିତ୍ସା କରାଇ ସେମିରେ ଖେଳିଥିଲେ। ସେହିପରି ଯନ୍ତ୍ରଣାକୁ ଚାପି ରଖି ସେ ଫାଇନାଲ ମ୍ୟାଚ୍‍ରେ ଖେଳିଥିବା ଏମ୍‍ବାପେ ସୂଚନା ଦେଇଛନ୍ତି। ପିଠିରେ ଆଘାତଜନିତ ସମସ୍ୟାକୁ ଯେପରି ପ୍ରତିପକ୍ଷ ଦଳର ଖେଳାଳି ଜାଣି ନ ପାରିବେ ସେଥିନେଇ ବେଶ୍‍ ଯତ୍ନଶୀଳ ଥିଲେ ବୋଲି ଏମ୍‍ବାପେ କହିଛନ୍ତି। ସୂଚନାଥାଉକି ୧୯ ବର୍ଷୀୟଏମ୍‍ବାପେ ବିଶ୍ୱକପ୍‍ରେ ମୋଟ୍‍ ୪ଟି ଗୋଲ୍‍ ସ୍କୋର କରିଥିଲେ। ସେ ଫାଇନାଲ ମ୍ୟାଚ୍‍ରେ ମଧ୍ୟ ଗୋଲ୍‍ ସ୍କୋର କରିଥିଲେ। ତାଙ୍କୁ ବିଶ୍ୱକପ୍‍ର ଶ୍ରେଷ୍ଠ ଯୁବ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଏମ୍‍ବାପେ ଫ୍ରେଞ୍ଚ ଫୁଟବଲ ଲିଗ୍‍ରେ ପ୍ୟାରିସ୍‍ ସେଣ୍ଟ ଜର୍ମେନ୍‍ ଦଳ ତରଫରୁ ଖେଳୁଛନ୍ତି।

Leave A Reply