ଇଟାଲୀର ଫୁଟ୍‌ବଲ କିମ୍ବଦନ୍ତୀ ପାଓଲୋ ରସିଙ୍କ ଦେହାନ୍ତ

ରୋମ୍‌: ଇଟାଲୀର ପୂର୍ବତନ ଫୁଟବଲର୍‌ ପାଓଲୋ ରସିଙ୍କର ୬୪ ବର୍ଷ ବୟସରେ ପରଲୋକ ହୋଇ ଯାଇଥିବା ଜଣାପଡ଼ିଛି। ୧୯୮୨ ବିଶ୍ବକପ୍‌ ବିଜୟୀ ଇଟାଲୀ ଫୁଟବଲ ଦଳର ସଦସ୍ୟ ଥିଲେ ପାଓଲୋ ରସି। ଫୁଟ୍‌ବଲ ଦୁନିଆରେ ଜଣେ କିମ୍ବଦନ୍ତୀ ରସି ଏହି ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରି ଇଟାଲୀକୁ ଚମ୍ପିଆନ୍‌ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ପାଓଲୋ ରସିଙ୍କ ପରଲୋକ ହୋଇ ଯାଇଥିବା ସଂପର୍କରେ ପ୍ରଥମେ ଇଟାଲୀର ଏକ ଟିଭି ଚ୍ୟାନେଲ୍‌ ତରଫରୁ ସୂଚନା ଦିଆ ଯାଇଥିଲା। ଏହି ଟିଭି ଚ୍ୟାନେଲରେ ପାଓଲୋ ରସି ଫୁଟବଲ ବିଶେଷଜ୍ଞ ଭାବେ କାମ କରୁଥିଲେ। ତେବେ ପାଓଲୋ ରସିଙ୍କ ପରଲୋକ କିପରି ହେଲା ସେ ସଂପର୍କରେ ଚ୍ୟାନେଲ୍‌ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ପାଓଲୋ ରସି ୧୯୮୨ ଫୁଟବଲ୍‌ ବିଶ୍ବକପ୍‌ରେ ଇଟାଲୀ ତରଫରୁ ୬ଟି ଗୋଲ୍‌ ସ୍କୋର କରିଥିଲେ। ସେ ଗ୍ରୁପ୍‌ ପର୍ଯ୍ୟାୟରେ ବ୍ରାଜିଲ୍‌ ବିପକ୍ଷରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିବା ବେଳେ ସେମିଫାଇନାଲରେ ପୋଲାଣ୍ଡ ବିପକ୍ଷରେ ୨ଟି ଗୋଲ୍ ସ୍କୋର କରିଥିଲେ। ସେମିଫାଇନାଲରେ ଇଟାଲୀ ଦଳ ୨-୦ରେ ବିଜୟୀ ହୋଇଥିଲା। ସେହିପରି ଫାଇନାଲରେ ଇଟାଲୀ ଦଳ ତତ୍‌କାଳୀନ ପଶ୍ଚିମ ଜର୍ମାନୀକୁ ୩-୧ ଗୋଲ୍‌ରେ ପରାସ୍ତ କରିଥିବା ବେଳେ ପାଓଲୋ ରସି ଗୋଟିଏ ଗୋଲ୍‌ ସ୍କୋର କରିଥିଲେ। ସେ ଜୁଭେଣ୍ଟ୍‌ସ ତରଫରୁ ୪ ବର୍ଷ କ୍ଲବ ଫୁଟବଲ ଖେଳିଥିଲେ। ତାଙ୍କ ସମୟରେ ଜୁଭେଣ୍ଟ୍‌ସ ଦୁଇଥର ଇଟାଲିଆନ୍‌ ଫୁଟବଲ୍‌ ଲିଗ୍‌ ଚମ୍ପିଆନ୍‌, ଥରେ ୟୁରୋପିଆନ୍ କପ୍‌ ଓ ଥରେ କୋପା ଇଟାଲିଆ କପ୍‌ ଚମ୍ପିଆନ୍ ହୋଇଥିଲା।

Comments are closed.