ମୋଡ୍ରିକ ଶ୍ରେଷ୍ଠ ଫିଫା ଫୁଟବଲର

0

ଲଣ୍ଡନ : ଫୁଟବଲ ଖେଳର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ୨୦୧୭-୧୮ ସିଜିନ ନିମନ୍ତେ କ୍ରୋଏସିଆର ଲୁକା ମୋଡ୍ରିକଙ୍କୁ ଶ୍ରେଷ୍ଠ ପୁରୁଷ ଖେଳାଳିଭାବେ ପୁରସ୍କୃତ କରାଯାଇଛି। ସୋମବାର ସ୍ଥାନୀୟ ରୟାଲ ଫେଷ୍ଟିଭାଲ ହଲରେ ଆୟୋଜିତ ଉତ୍ସବରେ ମୋଡ୍ରିକଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଏଥର ମୋଡ୍ରିକଙ୍କୁ ଏହି ସମ୍ମାନ ମିଳିବା ଫଳରେ ବିଗତ ଦଶ ବର୍ଷ ଧରି ଏହି ପୁରସ୍କାର ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରିଆସୁଥିବା ଲିଓନେଲ ମେସି (ଆର୍ଜେଣ୍ଟିନା) ଓ କ୍ରିଷ୍ଟିଆନୋ ରୋନାଲଡୋ (ପର୍ତ୍ତୁଗାଲ) ଯୁଗର ଅବସାନ ଘଟିଛି। ସୂଚନାଯୋଗ୍ୟ ୨୦୦୮ରୁ ୨୦୧୭ ପର୍ଯ୍ୟନ୍ତ ମେସି ଓ ରୋନାଲଡୋ ପାଞ୍ଚଥର ଲେଖାଏଁ ଏହି ପୁରସ୍କାର ଜିତିଛନ୍ତି।
୩୩ ବର୍ଷୀୟ ମୋଡ୍ରିକ ଚଳିତବର୍ଷ ରୁଷିଆରେ ଆୟୋଜିତ ବିଶ୍ୱକପରେ କ୍ରୋଏସିଆକୁ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବିଗତ ପାଞ୍ଚବର୍ଷ ମଧ୍ୟରେ ସ୍ପେନର ରିଏଲ ମାଦ୍ରିଦ କ୍ଲବ ଚାରିଥର (୨୦୧୪, ୨୦୧୬, ୨୦୧୭, ୨୦୧୮) ୟୁଇଏଫଏ ଚମ୍ପିଆନ୍‍ସ ଲିଗ୍‍ ଟାଇଟଲ ଜିତିଥିବାବେଳେ ମୋଡ୍ରିକ ବିଜେତା ଦଳକୁ ପ୍ରତିନିଧିତ୍ୱ କରିଥିଲେ। ମିଡ୍‍ଫିଲ୍ଡର ପୋଜିସନରେ ଖେଳୁଥିବା ମୋଡ୍ରିକ ୨୦୧୨ରୁ ରିଏଲ ମାଦ୍ରିଦକୁ ପ୍ରତିନିଧିତ୍ୱ କରୁଥିବାବେଳେ ସେ ଏପର୍ଯ୍ୟନ୍ତ କ୍ଲବ ପକ୍ଷରୁ ୧୭୧ଟି ମ୍ୟାଚ ଖେଳି ୯ଟି ଗୋଲ ସ୍କୋର କରିଥିବାବେଳେ କ୍ରୋଏସିଆ ପକ୍ଷରୁ ୧୧୫ଟି ମ୍ୟାଚରୁ ୧୪ଟି ଗୋଲ ସ୍କୋର କରିଛନ୍ତି।
ଅପରପକ୍ଷରେ ବ୍ରାଜିଲର ମାର୍ତା ଭିଏରା ଡା’ ସିଲ୍‍ଭା ଚଳିତବର୍ଷ ଫିଫା ପକ୍ଷରୁ ଶ୍ରେଷ୍ଠ ମହିଳା ଫୁଟବଲରଭାବେ ପୁରସ୍କୃତ ହୋଇଛନ୍ତି। ୩୨ ବର୍ଷୀୟା ମାର୍ତା ୨୦୦୨ରୁ ବ୍ରାଜିଲ ପକ୍ଷରୁ ୧୩୩ଟି ମ୍ୟାଚ ଖେଳି ୧୧୦ଟି ଗୋଲ ସ୍କୋର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱକପ ବିଜେତା ଫ୍ରାନ୍‍ସ ଦଳର ଡିଡିୟର ଡେସଚାମ୍ପ ଶ୍ରେଷ୍ଠ ପ୍ରଶିକ୍ଷକ ବିବେଚିତ ହୋଇଥିବାବେଳେ ବେଲଜିୟମର ଥିବଟ୍‍ କୋର୍ଟଏସ ଶ୍ରେଷ୍ଠ ଗୋଲରକ୍ଷକ, ଜର୍ମାନୀ ଫରୱାର୍ଡ ଲିନାର୍ଟ ଥାଏଙ୍କୁ ‘ଫେୟାର ପ୍ଲେ’ ଟ୍ରଫି ପ୍ରଦାନ କରାଯାଇଛି। ଏହାବ୍ୟତୀତ ଫିଫା ପକ୍ଷରୁ ଚଳିତବର୍ଷର ଶ୍ରେଷ୍ଠ ଦଳ ମନୋନୟନ କରାଯାଇଛି। ଘୋଷିତ ଦଳ: ଗୋଲରକ୍ଷକ-ଡେଭିଡ ଜିଆ (ସ୍ପେନ), ଡିଫେଣ୍ଡର-ଡାନି ଆଲଭିସ (ବ୍ରାଜିଲ), ରାଫେଲ ଭାରାନେ (ଫ୍ରାନ୍‍ସ), ସର୍ଗିଓ ରାମୋସ (ସ୍ପେନ), ମାର୍ସେଲୋ (ବ୍ରାଜିଲ), ମିଡ୍‍ଫିଲ୍ଡର-ଲୁକା ମୋଡ୍ରିକ (କ୍ରୋଏସିଆ), ଏନ୍‍ଗୋଲୋ କାନ୍‍ତେ (ଫ୍ରାନ୍‍ସ), ଇଡେନ ହାଜାର୍ଡ (ବେଲଜିୟମ), ଫରୱାର୍ଡ-କିଲିଆନ ଏମ୍‍ବାପେ (ଫ୍ରାନ୍‍ସ), ଲିଓନେଲ ମେସି (ଆର୍ଜେଣ୍ଟିନା) ଓ କ୍ରିଷ୍ଟିଆନୋ ରୋନାଲଡୋ (ପର୍ତ୍ତୁଗାଲ)।

Leave A Reply