ପାଦ ଚଲା ପାଟ୍ରୋଲିଂ ଆରମ୍ଭ

ଭୁବନେଶ୍ବର: କୋଭିଡ୍‍-୧୯ ସଂକ୍ରମଣ ସମୟରେ ରାଜଧାନୀରେ ଅନେକ ଅପରାଧ ପୁଲିସର ମୁଣ୍ଡ ବ୍ୟଥା ବଢ଼ାଇ ଦେଇଥିଲା। ସେହିପରି କୋଭିଡ ସଂକ୍ରମଣକୁ ଆୟତ୍ତ କରିବା ଲାଗି ପୁଲିସକୁ କୋଭିଡ ସଂକ୍ରାନ୍ତ ନିୟମ ଉଲ୍ଲଘଂନକାରୀଙ୍କୁ ସାବାଡ଼ କରିବା ଲାଗି ଆରମ୍ଭ ହୋଇଥିଲା ଏନ୍‍ଫୋର୍ସମେଣ୍ଟ ଡ୍ରାଇଭ୍‍। ପ୍ରତ୍ୟେକ ଥାନା ଅଧିକାରୀଙ୍କୁ ସକାଳେ ଓ ସନ୍ଧ୍ୟାରେ ମାର୍କେଟ ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ନିର୍ଦେଶ ଦିଆଯାଇଥିଲା। ଗାଡ଼ିରେ ନୁହେଁ ପାଦରେ ଚାଲି କରି ଥାନା ଅଧିକାରୀ ପୁଲିସ ଫୋର୍ସ ସହିତ ମାର୍କେଟ୍‍ ଅଞ୍ଚଳକୁ ବୁଲିବେ। ଏହାର ଉଦ୍ଦେଶ୍ୟ ଥିଲା ଜନସାଧାରଣଙ୍କୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନେଇ ସତର୍କ କରାଇବା। ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା। ସେହିପରି ମାର୍କେଟ ଅଞ୍ଚଳରେ ଲୁଟ୍‍ପାଟ୍‍ ଭଳି ଘଟଣା କିଛି ଦିନ ହେବ ପୁଲିସର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି।
ଏସବୁକୁ ରୋକିବା ଲାଗି କମିସନରେଟ ପୁଲିସ ପକ୍ଷରୁ ଫୁଟ୍‍ ପାଟ୍ରୋଲିଂ ଭଳି ନୂତନ ପଦକ୍ଷେପ ନିଆଯାଇଛି। ପ୍ରତ୍ୟେକ ଥାନା ଅଞ୍ଚଳରେ ଥିବା ପ୍ରମୁଖ ମାର୍କେଟ ଚିହ୍ନଟ ସହିତ ସେଠାରେ ବ୍ୟକ୍ତିଗତ ଭାବେ ଥାନା ଅଧିକାରୀ ପାଦରେ ଚାଲି ପଇଁତରା ମାରିବେ। ଏଭଳି ପାଟ୍ରୋଲିଂ ଗତ ୧୦ ତାରିଖରୁ ରାଜଧାନୀର ମୁଖ୍ୟ ମାର୍କେଟ ଅଞ୍ଚଳରେ ଆରମ୍ଭ ହୋଇଥିବା କହିଛନ୍ତି ଡିସିପି ଡ. ଉମାଶଙ୍କର ଦାସ। ସନ୍ଧ୍ୟା ବେଳେ ଫୁଟ୍‌ ପାଟ୍ରୋଲିଂ ପାଇଁ ପ୍ରତ୍ୟେକ ଥାନାକୁ ଅତିରିକ୍ତ ପୁଲିସ ଫୋର୍ସ ମଧ୍ୟ ପ୍ରଦାନ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି।

Comments are closed.