ଖାଦ୍ୟକୁ ନେଇ ତେଜୁଛି ବିଶ୍ୱ କୂଟନୀତି : ବଢ଼ିବ କ୍ଷୁଧାମୃତ୍ୟୁ

ନୂଆଦିଲ୍ଲୀ : ସାରା ବିଶ୍ୱ ଖାଦ୍ୟ ସଙ୍କଟ ଆଡକୁ ମୁହାଁଉଛି। ସମସ୍ତ ରାଷ୍ଟ୍ର ଏଭଳି ପରିସ୍ଥିତି ସମ୍ପର୍କରେ ଭଲ ଭାବରେ ଅବଗତ ଅଛନ୍ତି। ଜାତିସଂଘ ମଧ୍ୟ ଏହି ପରିସ୍ଥିତିର ମୁକାବିଲା କରିବାକୁ ଅଗ୍ରଣୀ ଖାଦ୍ୟଶସ୍ୟ ଉତ୍ପାଦନକାରୀ ରାଷ୍ଟ୍ରଗୁଡିକ ସହଯୋଗର ହାତ ବଢ଼ାଇବାକୁ ବାରମ୍ବାର ନିବେଦନ କରୁଛି। କିନ୍ତୁ ପରିବର୍ତ୍ତିତ ଭୂ-ରାଜନୈତିକ ପରିବେଶରେ ସବୁ ରାଷ୍ଟ୍ର ନିଜ ଲୋକଙ୍କ ପାଇଁ ଖାଦ୍ୟ ଶସ୍ୟ ମହଜୁଦ ରଖିବା ଦିଗରେ ଆତ୍ମରକ୍ଷାମୂଳକ ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଏହା ବିଶ୍ୱର କୋଟି କୋଟି ଦରିଦ୍ର ଲୋକଙ୍କ ପାଇଁ ଖାଦ୍ୟାନ୍ନ ସଙ୍କଟକୁ ବହୁଗୁଣିତ କରିବା ଆଶଙ୍କା ଦେଖାଦେଇଛି। କୋଭିଡ ମହାମାରୀ ସମୟରେ ବିଶ୍ୱର ପ୍ରାୟ ସମସ୍ତ ରାଷ୍ଟ୍ରରେ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରଭାବିତ ହେବା, ପରବର୍ତ୍ତୀ ସମୟରେ ୟୁକ୍ରେନ ଯୁଦ୍ଧ କାରଣରୁ କୃଷ୍ଣ ସାଗର ଅଞ୍ଚଳରୁ ଖାଦ୍ୟଶସ୍ୟ ରପ୍ତାନି ସମ୍ପୂର୍ଣ୍ଣ ବନ୍ଦ ରହିବା, ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡିକରେ ବର୍ଦ୍ଧିତ ମୁଦ୍ରାସ୍ଫୀତି, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି କାରଣରୁ ପରିବହନ କ୍ଷେତ୍ର ପ୍ରଭାବିତ ହେବା ତଥା କୃଷି କ୍ଷେତ୍ର ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଖାଦ୍ୟାନ୍ନ ଉତ୍ପାଦନ ଓ କାରବାର ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଇଛି। ୟୁକ୍ରେନରୁ ଗହମ ରପ୍ତାନି ସକାଶେ କୃଷସାଗର ତଟରେ ଥିବା ବନ୍ଦରଗୁଡିକୁ ଅବରୋଧମୁକ୍ତ କରିବା ସକାଶେ ଜାତିସଂଘର ବାରମ୍ବାର ଆହ୍ୱାନ ସତ୍ତ୍ବେ ରୁଷ ନିଜ ଜିଦ୍‍ରେ ଅଟଳ ରହିଛି। ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡିକ ଏହା ବିରୋଧରେ ଜାରି କରିଥିବା କଟକଣା ପ୍ରତ୍ୟାହାର ନକଲେ ଏହା ଗହମ ରପ୍ତାନିକୁ ସୁଯୋଗ ଦେବନାହିଁ ବୋଲି କହିଛି।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ ନିକଟରେ ଚେତାବନୀ ଦେଇ କହିଛନ୍ତି, ଆଗାମୀ କିଛିମାସ ମଧ୍ୟରେ ବିଶ୍ୱ ଗୁରୁତର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି। ଏ ଦିଗରେ ଆନ୍ତର୍ଜାତିକ ସ୍ତରରେ ଜରୁରୀ ପଦକ୍ଷେପ ନିଆନଗଲେ ଏହି ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିବ। ଜାତିସଂଘ ପକ୍ଷରୁ କରାଯାଇଥିବା ଆକଳନରେ କୁହାଯାଇଛି ଯେ ଗତବର୍ଷ ବିଶ୍ୱ ବଜାରରେ ଖାଦ୍ୟ ମୂଲ୍ୟ ପ୍ରାୟ ଏକ ତୃତୀୟାଂଶ
ବୃଦ୍ଧି ପାଇଥିବାବେଳେ ସାର ମୂଲ୍ୟ ପ୍ରାୟ ୫୦% ଏବଂ ତୈଳ ଦର ଦୁଇ ତୃତୀୟାଂଶ ବୃଦ୍ଧିପାଇଛି। ଏଥିସହିତ ଖାଦ୍ୟାନ୍ନ ସଙ୍କଟର ସମ୍ମୁଖୀନ ହେଉଥିବା ଲୋକଙ୍କ ସଂଖ୍ୟା ଗତ ଦୁଇବର୍ଷ ମଧ୍ୟରେ ୧୩୫ ନିୟୁତରୁ ବୃଦ୍ଧିପାଇ ସମ୍ପ୍ରତି ୨୭୬ ନିୟୁତରେ ପହଞ୍ଚିଛି। ଇଥିଓପିଆ, ସୋମାଲିଆ ଏବଂ କେନିୟା ଭଳି ରାଷ୍ଟ୍ରରେ ମାତ୍ରାଧିକ କ୍ଷୁଧାର ଶିକାର ଲୋକ ସଂଖ୍ୟା ଗତବର୍ଷ ତୁଳନାରେ ଦ୍ୱିଗୁଣିତ ହୋଇଛି। ଏପରିକି ଏହି ତିନି ରାଷ୍ଟ୍ରରେ ପ୍ରତି ୪୮ ସେକେଣ୍ଡରେ ଜଣେ ଲୋକ ଖାଦ୍ୟାଭାବ ଜନିତ କାରଣରୁ ପ୍ରାଣ ହରାଉଛି।
ଚଳିତ ବର୍ଷ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କାରଣରୁ ଭାରତରେ ଗହମ ଉତ୍ପାଦନ ହ୍ରାସ ପାଇଛି। ଅନ୍ୟପକ୍ଷରେ ବିଶ୍ୱର ଅଗ୍ରଣୀ ଗହମ ଉତ୍ପାଦନକାରୀ ରାଷ୍ଟ୍ର ରୁଷ ଓ ୟୁକ୍ରେନରେ ଯୁଦ୍ଧ କାରଣରୁ ସେଠାରୁ ଚଳିତ ବର୍ଷ ବିଶ୍ୱର ଅନେକ ରାଷ୍ଟ୍ରକୁ ଗହମ ରପ୍ତାନୀ ବସ୍ତୁତଃ ବନ୍ଦ ରହିଛି। ଏହି ଦୁଇ ରାଷ୍ଟ୍ର ସମଗ୍ର ବିଶ୍ୱରେ ରପ୍ତାନୀ କରାଯାଉଥିବା ଗହମ ମଧ୍ୟରୁ ପ୍ରାୟ ୨୫% ଯୋଗାଇଥାନ୍ତି। ସେଠାରୁ ଗହମ ରପ୍ତାନୀ ବନ୍ଦ ହେବାପରେ ଭାରତ ସରକାର ଦେଶରୁ ଚଳିତ ବର୍ଷ ଅଧିକ ଗହମ ରପ୍ତାନୀ ଲକ୍ଷ୍ୟ ରଖିଥିଲେ। କିନ୍ତୁ କିଛି ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଗହମ ମହଜୁଦ ରଖିବା ସହିତ ତାହା ବିଦେଶକୁ ଉଚ୍ଚ ମୂଲ୍ୟରେ ରପ୍ତାନୀ ଯୋଜନା କରିବାରୁ ଭାରତରେ ଗହମ ଦର ବୃଦ୍ଧି ପାଇଥିଲା। ଫଳରେ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗହମ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି। ତାହାସହିତ ଚିନି ରପ୍ତାନୀ ଉପରେ ମଧ୍ୟ ଆସନ୍ତା ଜୁନ୍‌ ପହିଲାରୁ କଟକଣା ଲାଗୁ ହେବାକୁ ଯାଉଛି। ଏହାପରେ ଚାଉଳ ଉପରେ କଟକଣା ଲାଗିପାରେ ବୋଲି ଆଲୋଚନା ହେଲାଣି। ଏହି ସମସ୍ତ କାରଣରୁ ବିଶ୍ୱ ବଜାରରେ ଗହମ ଦର ପ୍ରାୟ ୮୦% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପକ୍ଷରୁ କୁହାଯାଇଛି। ଏସବୁ ସହିତ ଆନ୍ତର୍ଜାତିକ ରାଜନୈତିକ ଓ ଅର୍ଥନୈତିକ କାରଣରୁ ଶ୍ରୀଲଙ୍କା, ପେରୁ ଭଳି ରାଷ୍ଟ୍ରରେ ଗୁରୁତର ଖାଦ୍ୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହେଉଛି। ଆଫଗାନିସ୍ତାନରେ ଅନୁରୂପ ସଙ୍କଟ ଲାଗି ରହିଥିବାବେଳେ ଲେବାନନ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତିକରୁଛି। ଇଣ୍ଡୋନେସିଆ ସରକାର ତାଙ୍କ ରାଷ୍ଟ୍ରର ଆବଶ୍ୟକତାକୁ ଦେଖି ପାମ୍‍ ତେଲ ରପ୍ତାନୀ ଉପରେ ନିକଟରେ ପ୍ରତ୍ୟାହାର କରିଥିବା କଟକଣା ପୁଣି ଲଗାଇଛନ୍ତି। ମାଲେସିଆ ଜୁନ ୧ରୁ ଚିକେନ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଥିବାବେଳେ ସର୍ବିଆ ଏବଂ କାଜାକିସ୍ଥାନ ଶସ୍ୟ ରପ୍ତାନୀ ଉପରେ କୋଟା ବ୍ୟବସ୍ଥା କରିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ ବିଶ୍ୱର ପ୍ରାୟ ୨୦ଟି ରାଷ୍ଟ୍ର ଖାଦ୍ୟ ସାମଗ୍ରୀ ଓ ସାର ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି, ଯାହା ଖାଦ୍ୟ ସାମଗ୍ରୀ ଅଭାବ ସଙ୍କଟକୁ ବହୁଗୁଣିତ କରିବାକୁ ଯାଉଛି। ଆମେରିକା ଓ ୟୁରୋପୀୟ ରାଷ୍ଟ୍ର ଗୁଡିକରେ ଖାଦ୍ୟଶସ୍ୟ ଉତ୍ପାଦନ ଆଶାନୁରୂପ ହୋଇଥିଲେ ମଧ୍ୟ ଉକ୍ତ ରାଷ୍ଟ୍ରଗୁଡିକ ରୁଷ ଯୁଦ୍ଧ ପରିପ୍ରେକ୍ଷୀରେ ନିଜର ଖାଦ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ତାହା ରପ୍ତାନି କରୁନାହାନ୍ତି। ଅନ୍ୟପକ୍ଷରେ ଭାରତ ଭଳି ରାଷ୍ଟ୍ରକୁ ଅଧିକ ଖାଦ୍ୟଶସ୍ୟ ରପ୍ତାନି ପାଇଁ ପ୍ରବର୍ତ୍ତାଇବାରେ ଲାଗିଛନ୍ତି। ସୌଭାଗ୍ୟକୁ ଭାରତ କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଥିବାରୁ ବିଶ୍ୱ ଖାଦ୍ୟ ସଙ୍କଟ ପରିସ୍ଥିତିରେ ଏହା ନିଜକୁ ସୁରକ୍ଷିତ ମନେକରୁଥିଲେ ମଧ୍ୟ ଏହାର କୃଷି ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ଦେଶର କୌଣସି ନା କୌଣସି ଭାଗରେ ବର୍ଷତମାମ ଅତ୍ୟନ୍ତ ପ୍ରତିକୂଳ ପାଣିପାଗ ପରିସ୍ଥିତି ଲାଗି ରହୁଥିବାରୁ କୃଷି ଉତ୍ପାଦନ ପ୍ରଭାବିତ ହେଉଛି। ତାହାସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ଭୋଟର ତୁଷ୍ଟିକରଣ ଯୋଜନାରେ ଦରିଦ୍ର ଜନସାଧାରଣଙ୍କ ପାଇଁ ମାଗଣା/ରିଆତି ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଣ ସରକାରଙ୍କୁ ଏହାର ରପ୍ତାନୀ ପୂର୍ବରୁ ଅନେକ ଥର ଗଭୀର ଭାବରେ ଚିନ୍ତା କରିବାକୁ ବାଧ୍ୟ କରୁଛି। ଏଭଳି ପରିସ୍ଥିତିରେ ବିଶ୍ୱ କୂଟନୀତି ସମ୍ପ୍ରତି ଖାଦ୍ୟଶସ୍ୟ ଆଧାରିତ ହୋଇଯାଇଛି। ସମସ୍ତ ଆନ୍ତର୍ଜାତିକ ମଞ୍ଚରେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ପ୍ରତିରକ୍ଷା ଏବଂ ଖାଦ୍ୟାନ୍ନ ମୁଖ୍ୟ ପ୍ରସଙ୍ଗ ଭାବରେ ସ୍ଥାନପାଉଛି। ଅନ୍ୟପକ୍ଷରେ ଉଭୟ କୃଷି ଉତ୍ପାଦନ ଓ ଅର୍ଥନୀତି ଦୁର୍ବଳ ସେଭଳି ଦରିଦ୍ର ରାଷ୍ଟ୍ର ଗୁଡିକର କୋଟି କୋଟି ଲୋକଙ୍କର ଖାଦ୍ୟାଭାବ ଜନିତ କ୍ଷୁଧାମୃତ୍ୟୁ ଘଟିବା ନେଇ ଆଶଙ୍କା ସୃଷ୍ଟି ହେଲାଣି।

Comments are closed.