ପୌଷ୍ଟିକ ଆହାର ଓ ଜଳବାୟୁ ପରିବର୍ତ୍ତନ

ପୃଥିବୀକୁ ବାସ ଅନୁପଯୋଗୀ କରିଦେଲେ ଆମେ ଆଉ ଯିବା କୁଆଡ଼େ?

ମନରେ ପ୍ରଶ୍ନଉଠେ- ଏବେ ଯେତେ ସବୁ ରୋଗ ହେଉଛି, ଆଗକାଳରେ କ’ଣ ସେ ସବୁଥିଲା? ହଇଜା, ବସନ୍ତ, ଯକ୍ଷ୍ମାପରି କେତେକ ସଂକ୍ରାମକ ରୋଗ ଥିଲା ଯାହାର ସଂକ୍ରମଣ ଯୋଗୁଁ ଅନେକ ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ୁଥିଲେ। ରୋଗର କାରଣ ଜଣା ନଥିବାରୁ ଓ ଜୀବାଣୁନାଶକ ଔଷଧର ଉଦ୍ଭାବନ ହୋଇନଥିବାରୁ ଅନେକ ଲୋକ ମରିଯାଉଥିଲେ। ଏବେ ଆଉ ସେପରି ହେଉ ନାହିଁ। ଏବେ କିନ୍ତୁ ହୃଦ୍‌ରୋଗ, କର୍କଟ ଓ ମଧୁମେହ ରୋଗ କାୟା ବିସ୍ତାର କରି ଚାଲିଛି। ତା’ ସହିତ ଇବୋଲା, ଜିକା, ସାର୍ସ, ଡେଙ୍ଗୁ, କରୋନା ଆଦି ନୂଆନୂଆ ରୋଗ ମଣିଷର ସ୍ଥିତିକୁ ଦୁର୍ବଳ କରିବାକୁ ବସିଲେଣି। ଅନ୍ୟ ଅନେକ ଅଜଣା ରୋଗ ପୁଷ୍ଟିସାର, ଖଣିଜ ଲବଣ ଓ ଜୀବସାର ଅଭାବ ଯୋଗୁଁ ମଧ୍ୟ ହେଉଛି, ଯାହା ପୂର୍ବରୁ ଏତେ ହେଉନଥିଲା। ଏପରି କାହିଁକି ହେଉଛି? ଏସବୁ ରୋଗର ଭୟାବହତା ସମ୍ପର୍କରେ ଆଲୋଚନା ହୋଇ ଉଦ୍‌ବେଗ ପ୍ରକାଶ ପାଉଛି ସତ, ହେଲେ ତା’ର ମୂଳକାରଣ ଖୋଜିବାକୁ ଏପର୍ୟ୍ୟନ୍ତ ଉଦ୍ୟମ ଆରମ୍ଭ ହୋଇନାହିଁ।
ଏବେ ପୃଥିବୀର ବିଭିନ୍ନ ଅଂଶରେ ତାପମାତ୍ରା ବୃଦ୍ଧି ପାଉଛି। ଏହାର ପ୍ରଭାବରେ ଅତିବୃଷ୍ଟି, ଅନାବୃଷ୍ଟି, ଘୂର୍ଣ୍ଣିବାତ୍ୟା, ବନ୍ୟା ଭୂମିକମ୍ପ ଆଦି ବାରମ୍ବାର ଦେଖିବାକୁ ମିଳୁଛି। ଆଗ୍ନେୟଗିରିରୁ ବାରମ୍ବାର ଉତ୍ତପ୍ତ ଲାଭା ସହିତ ବିଷାକ୍ତ ସଲ୍‌ଫର୍‌ ଡାଇଅକ୍ସାଇଡ୍‌ ଓ ନାଇଟ୍ରସ୍‌ ଅକ୍ସାଇଡ ବାଷ୍ପର ଘନ କୁଣ୍ଡଳୀ ଉଦ୍‌ଗିରଣ ହେବ। ହିମାଳୟ, ଆଲ୍‌ପସ୍‌ ପରି ଉଚ୍ଚ ଗିରିଶୃଙ୍ଗର ବରଫ ଏବଂ ମେରୁ ଅଞ୍ଚଳର ସ୍ତୂପୀକୃତ ବରଫ ତରଳି ସମୁଦ୍ର ପତନ ବୃଦ୍ଧି କରୁଛି। ବାୟୁ ମଣ୍ଡଳ ଅଧିକ ସମୟ ଧରି ଉଷ୍ଣ ଓ ଆର୍ଦ୍ର ରହୁଥିବାରୁ ତାହା ନାନା ପ୍ରକାର ନୂତନ ମାରାତ୍ମକ ଭୂତାଣୁ ଓ ଜୀବାଣୁ ସୃଷ୍ଟିରେ ସହାୟକ ହେଉଛି। ବାୟୁମଣ୍ଡଳରେ ଉଷ୍ଣତା ଯୋଗୁଁ ମାଟି ଶୀଘ୍ର ଶୁଖି ଯାଉଛି। ଫଳରେ ଜମି ଯେତେ ଉର୍ବର ହେଲେ ବି ଉତ୍ପାଦନ ହ୍ରାସ ପାଉଛି। ଏକ ସମୀକ୍ଷାରୁ ଜଣାପଡ଼ିଛି, ୨୦୫୦ ବେଳକୁ ଖାଦ୍ୟର ଚାହିଦା ପ୍ରତି ଦଶ ବର୍ଷରେ ଶତକଡ଼ା ୧୦ ହାରରେ ବୃଦ୍ଧି ପାଇବ, କିନ୍ତୁ ଉତ୍ପାଦନ ଶତକଡ଼ା ୨ ହାରରେ ହ୍ରାସ ପାଇବ। ଉନ୍ନତ କୃଷି ପ୍ରଣାଳୀ ଯୋଗୁଁ ଉତ୍ପାଦନ ବୃଦ୍ଧି ପାଉଛି, ଆସନ୍ତା ୫୦ ବର୍ଷ ମଧ୍ୟରେ ମୋଟାମୋଟି କୃଷି ଉତ୍ପାଦନ କମ୍‌ ହେବ।
ଅନ୍ୟପକ୍ଷରେ ୨୦୫୦ ବେଳକୁ ପୃଥିବୀର ଜନସଂଖ୍ୟା ବର୍ତ୍ତମାନର ୭୫୭ କୋଟିରୁ ବୃଦ୍ଧି ପାଇ ପ୍ରାୟ ୯୦୦ କୋଟିରେ ପହଞ୍ଚିବ। ସେତେବେଳେ ପିଲାଙ୍କ ତୁଳନାରେ ଅଧିକ ବୟସ୍କ ଲୋକ ଥିବେ ଯେଉଁମାନେ ବେଶୀ ଖାଦ୍ୟ ଖାଇବେ। ପୁଣି ମଣିଷର ହାରାହାରି ବୟସସୀମା ବୃଦ୍ଧି ପାଉଥିବାରୁ ଲୋକେ ଅଧିକ ଦିନ ପର୍ୟ୍ୟନ୍ତ ଖାଇବେ। ଦ୍ରୁତ ସହରୀକରଣ ଯୋଗୁଁ କୃଷିକାର୍ୟ୍ୟ ପ୍ରତି ବିମୁଖ ହୋଇ ଲୋକେ ଚାକିରି ଓ ବ୍ୟବସାୟ ପ୍ରତି ଆକୃଷ୍ଟ ହେବେ। ଏପରି ଏକ ପରିସ୍ଥିତିରେ କୃଷି ଉତ୍ପାଦନ ହ୍ରାସ ପାଇଲେ ଅନେକ ଲୋକ ଆବଶ୍ୟକ ପରିମାଣର ଖାଦ୍ୟ ଖାଇବାକୁ ପାଇବେ ନାହିଁ। ଆଉ ଯତ୍‌କିଞ୍ଚିତ ଖାଦ୍ୟ ପାଇବେ ସେଥିରେ ଯଦି ଆବଶ୍ୟକ ପୋଷକତତ୍ତ୍ବ ନ ଥିବ ତେବେ ସେମାନେ ନାନା ରୋଗରେ ପଡ଼ିବେ, ଯାହା ଏବେ ଦେଖାଯାଉଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ସନ୍ଦର୍ଭରେ କୁହାଯାଇଛି ଯେ ମାଟିରୁ ଖଣିଜ ଅଣୁଗୁଡ଼ିକ ଧୋଇହୋଇ ଯାଉଥିବାରୁ ଶାଗ, ପନିପରିବା, ଫଳ ଓ ଅନ୍ୟ ଶସ୍ୟମାନଙ୍କରେ ତା’ର ପରିମାଣ କମିଯାଉଛି। ଚାଷ ପ୍ରଣାଳୀରେ ପରିବର୍ତ୍ତନ, କିସମ ପରିବର୍ତ୍ତନ, ଫସଲରେ ରାସାୟନିକ ସାର ଓ ରୋଗ ପୋକ ଦମନ ପାଇଁ ବିଭିନ୍ନ ରାସାୟନିକ ପଦାର୍ଥର ଉପଯୋଗ, ଖାଦ୍ୟ ପ୍ରକ୍ରିୟାକରଣରେ ରାସାୟନିକ ପଦାର୍ଥ ବ୍ୟବହାର ଆଦି କାରଣରୁ ଖାଦ୍ୟ ପଦାର୍ଥର ପୌଷ୍ଟିକମାନ ହ୍ରାସ ପାଉଛି। ଦେଖାଯାଉଛି ୫ରୁ ୧୦ ବର୍ଷ ମଧ୍ୟରେ ଅନେକ ପିଲା ଏବେ ପୁଷ୍ଟିସାର ଅଭାବଜନିତ ମାରାସ୍‌ମସ୍‌ ଓ କ୍ବସିୱରକର ରୋଗର ଶିକାର ହେଉଛନ୍ତି। ଆଇରନ୍‌ ଅଭାବଜନିତ ରକ୍ତହୀନତାରେ କେବଳ ଆମ ଦେଶର ୧୧କୋଟି ଶିଶୁ ଓ ୪୦କୋଟି ମହିଳା ପୀଡ଼ିତ। ଜିଙ୍କ ଅଭାବ ଯୋଗୁଁ ବାଳ ଝଡ଼ିବା, ଚର୍ମ ରୋଗ, ଆଖିରେ ଧଳାଦାଗ, ଓଜନ ହ୍ରାସ, ମାନସିକ ଅସ୍ଥିରତା, ନପୁଂସକତା, ତରଳ ଝାଡ଼ା, ଘା’ ଶୁଖିବାରେ ବିଳମ୍ବ ପରି ଲକ୍ଷଣମାନ ବେଶୀ ଦେଖାଯାଉଛି।
କ୍ରୋମିୟମ୍‌ ନାମକ ଏକ ପୋଷକତତ୍ତ୍ବ ଡାଇବେଟିସ୍‌ ନିୟନ୍ତ୍ରଣ କରେ। ପଟାସିୟମ, ମ୍ୟାଗ୍ନିସିୟମ ଓ ଜିଙ୍କ ଶରୀରରେ ଶ୍ବେତସାର ବା ମିଠା ସହନଶୀଳତା ସୁଦୃଢ଼ କରନ୍ତି। ଭିଟାମିନ୍‌ ଡି-୩ ଓ କ୍ୟାଲସିୟମ ମିଳିତ ଭାବେ ଇନ୍‌ସୁଲିନ୍‌ କ୍ଷରଣରେ ସହାୟକ ହୁଅନ୍ତି, କିନ୍ତୁ ଏସବୁ ପଦାର୍ଥ ପରିସ୍ରାବାଟେ ଶରୀରରୁ ନିଷ୍କାସିତ ହୋଇଯାଉଥିବାରୁ ଆମେ ବିଭିନ୍ନ ଖାଦ୍ୟ ପଦାର୍ଥରୁ ପୁଣି ସେଗୁଡ଼ିକ ଗ୍ରହଣ କରି ନେଉ। ଯଦି ଖାଦ୍ୟ ପଦାର୍ଥରେ ଏସବୁ ନ ରହିବ ତେବେ ଆମେ ତାହା ପାଇବା କେଉଁଠୁ? ତେଣୁ ଇନ୍‌ସୁଲିନ୍‌ର ଅଭାବ ଓ ଶ୍ବେତସାର ସହନଶୀଳ କ୍ଷମତାର ଅଭାବ ହୋଇ ଡାଇବେଟିସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।
ତେବେ ଏହାର ସମାଧାନ କ’ଣ? କହିବା ନିଷ୍ପ୍ରୟୋଜନ ଯେ ଜଳବାୟୁ ପରିବର୍ତ୍ତନର କୁ-ପ୍ରଭାବ କୌଣସି ଗୋଟିଏ ଦେଶର ସୀମା ସରହଦ ଭିତରେ ସୀମିତ ହୋଇ ରହିବ ନାହିଁ। ଏହାର କୁଫଳ ସମସ୍ତେ ଭୋଗିବେ। ତେଣୁ ପୃଥିବୀର ପ୍ରତ୍ୟେକ ଦେଶ ସବୁଜକୋଠରି ବାଷ୍ପ ସୃଷ୍ଟି କରୁଥିବା କଳକାରଖାନାକୁ ବନ୍ଦକରିବା ସହିତ ଗାଡ଼ିମଟରରେ ପେଟ୍ରୋଲ ଡିଜେଲ ବ୍ୟବହାର ନକରି ସିଏନ୍‌ଜି ପରି ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ପଡ଼ିବ। ପର୍ୟ୍ୟାପ୍ତ ପରିମାଣରେ ଚାରା ରୋପଣ, ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର, ବିସ୍ତୀର୍ଣ୍ଣ ଅଞ୍ଚଳରେ ନୂତନ ଜଙ୍ଗଲ ସୃଷ୍ଟି, ଜଙ୍ଗଲ ନିଆଁକୁ ଦୃଢ଼ ହସ୍ତରେ ଦମନ, ପାଣିର ସଂରକ୍ଷଣ ଓ ଦୂରଦର୍ଶୀ ବ୍ୟବହାର, ଖାଦ୍ୟ ପ୍ରକ୍ରିୟାକରଣ ଓ ରୋଗ ପୋକ ଦମନ ବେଳେ ସମୁଚିତ ତଥା ସ୍ବଳ୍ପ ରାସାୟନିକ ପଦାର୍ଥ ଓ ଔଷଧ ବ୍ୟବହାର, ପୌଷ୍ଟିକତତ୍ତ୍ବ ସନ୍ନିବେଶିତ ଖାଦ୍ୟଶସ୍ୟ ଚାଷ, ଅଳ୍ପ ଜମିରେ ଅଧିକ ଉତ୍ପାଦନର କୌଶଳ ଅବଲମ୍ବନ ଓ ଅଳ୍ପ ଜଳ ଆବଶ୍ୟକ କରୁଥିବା ମକା, ମାଣ୍ଡିଆ, ଯଅ, ବାଜରା, ଡାଲିଜାତୀୟ ଫସଲ ଚାଷ ଉପରେ ଗୁରୁତ୍ବ ଦିଆଗଲେ ଏ ସମସ୍ୟା କିଛିଟା ଦୂର ହୋଇପାରିବ। ମନେ ରଖନ୍ତୁ ପୃଥିବୀ ହେଉଛି ବିଶ୍ବର ଏକମାତ୍ର ସ୍ଥାନ ଯେଉଁଠି ଜୀବଜଗତ ତିଷ୍ଠି ରହିବା ପାଇଁ ଉପଯୁକ୍ତ ପରିବେଶ ରହିଛି। ଏହାକୁ ବାସ ଅନୁପଯୋଗୀ କରିଦେଲେ ଆମେ ଆଉ ଯିବା କୁଆଡ଼େ?
ଶଶିଭୂଷଣ ମହାପାତ୍ର
ଗୋପାଳପୁର, କଟକ-୧୧

Comments are closed.