ଆତ୍ମନିର୍ଭରଶୀଳ ଭାରତ ପାଇଁ ବିଶ୍ୱସ୍ଥରୀୟ ଉତ୍ପାଦ ପ୍ରସ୍ତୁତ ଉପରେ ମୋଦୀଙ୍କ ଗୁରୁତ୍ୱ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ର ଶେଷ ରବିବାରରେ ଆଜି ନିଜ ମନର କଥା ଦେଶବାସୀଙ୍କୁ କହିଛନ୍ତି। ସେ କହିଛନ୍ତି, ଚାରି ଦିନ ପରେ ବର୍ଷ ଅତିବାହିତ ହେବାକୁ ଯାଉଛି। ଏହି ବର୍ଷ ଆମପାଇଁ ଅନେକ ଆହ୍ୱାନ ଏବଂ ସଙ୍କଟ ଦେଖାଦେଇଥିଲା କିନ୍ତୁ ଆମେ ନୂତନ ସମ୍ଭାବନା ସୃଷ୍ଟି କରିପାରିଛୁ। ସେ କହିଛନ୍ତି ଯେ ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ବିଶ୍ୱ ସ୍ତରୀୟ ଉତ୍ପାଦ ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆ ବର୍ଷ ୨୦୨୧ରେ ନୂଆ ସଂକଳ୍ପ ଗ୍ରହଣ କରିବାର ସମୟ ଆସିଛି। ଆମ ଦେଶ ୨୦୨୧ ମସିହାରେ ସଫଳତାର ନୂତନ ଶିଖରକୁ ସ୍ପର୍ଶ କରିବ ଯାହା ଭାରତର ବିଶ୍ୱରେ ମାନ୍ୟତା ଏବଂ ସଶକ୍ତିକରଣ ହେବାର ଇଚ୍ଛଠାରୁ ଅଧିକ ହେବ। ଲୋକମାନଙ୍କ ଠାରୁ ମିଳିଥିବା ଚିଠିଗୁଡ଼ିକରେ ଏକ ବିଶେଷ ବାର୍ତ୍ତା ରହିଛି ଓ ତାହା ହେଉଛି ଲୋକମାନେ ଦେଶର ଶକ୍ତି ଓ ଦେଶବାସୀଙ୍କ ସାମୂହିକ ଶକ୍ତିକୁ ସେମାନେ ପ୍ରଶଂସା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଯେତେବେଳେ ଜନତା କର୍ଫ୍ୟୁ ଭଳି ଅଭିନବ ପରୀକ୍ଷଣ ସମଗ୍ର ବିଶ୍ୱ ପାଇଁ ପ୍ରେରଣା ପାଲଟିଥିଲା ସେତେବେଳେ କରତାଳି ଦେଇ ଦେଶ ଏକତା ପ୍ରଦର୍ଶନ କରିଥିଲା ଓ ଆମର କରୋନା ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନ ଦେଇଥଲା। ସେ କହିଛନ୍ତି, ଆମ ପାଇଁ ସମୟ ଆହ୍ୱାନପୂର୍ଣ୍ଣ ଥିଲା ଓ ଅନେକ ସଙ୍କଟ ଆସିଥିଲା, ବିଶ୍ୱରେ କରୋନା ସମୟରେ ଯୋଗାଣ ଶୃଙ୍ଖଳାରେ ଅନେକ ପ୍ରତିବନ୍ଧକ ଆସିଥିଲା କିନ୍ତୁ ଆମେ ପ୍ରତ୍ୟେକ ସଙ୍କଟରୁ ନୂତନ ଶିକ୍ଷା ଗ୍ରହଣ କରିଥିଲୁ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସଙ୍କଟ ସମୟରେ ଦେଶରେ ନୂତନ ଶକ୍ତି ଉଭା ହୋଇଥିଲା ଏବଂ ତାହା ହେଉଛି ‘ଆତ୍ମନିର୍ଭରତା’। ଆଜି ମଧ୍ୟ ଆମ ଦେଶର ହଜାର ହଜାର ବର୍ଷ ପୁରୁଣା ସଂସ୍କୃତି, ସଭ୍ୟତା ଓ ରୀତିନୀତିକୁ ବଞ୍ଚାଇବା ପାଇଁ ମହାନ ବଳିଦାନକୁ ସ୍ମରଣ କରିବାର ଦିନ ଅଟେ ବୋଲି କହିବା ସହ ଏହି ଦିନ ଗୁରୁ ଗୋବିନ୍ଦଙ୍କ ପୁଅ ସାହବଜାଦେ ଜୋରୱର ସିଂ ଏବଂ ଫତେହ ସିଂଙ୍କୁ କାନ୍ଥରେ ଜୀବନ୍ତ ସମାଧି ଦିଅଯାଇଥିଲା ଏବଂ ଅତ୍ୟାଚାରୀମାନେ ଚାହୁଁଥିଲେ ସାହବଜାଦେ ତାଙ୍କ ବିଶ୍ୱାସ ଏବଂ ମହାନ ଗୁରୁ ପରମ୍ପରା ତ୍ୟାଗ କରନ୍ତୁ। କିନ୍ତୁ, ଆମର ସାହବଜାଦା ଏତେ କମ୍ ବୟସରେ ମଧ୍ୟ ବହୁତ ସାହସ ପ୍ରଦର୍ଶନ କରିଥିଲେ। ସେ କହିଛନ୍ତି, ୨୦୧୪ରୁ ୨୦୧୮ ମଧ୍ୟରେ ଭାରତରେ ଚିତାବାଘ ସଂଖ୍ୟା ୬୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଯାହା ଆପଣଙ୍କୁ ଖୁସି ଏବଂ ଗର୍ବିତ କରିବ। ବିଶେଷ କରି କେନ୍ଦ୍ରୀୟ ଭାରତରେ ଚିତାବାଘ ସଂଖ୍ୟା ବୃଦ୍ଧି ପାଇଛି। ଚିତାବାଘର ସର୍ବାଧିକ ସଂଖ୍ୟା ବିଶିଷ୍ଟ ରାଜ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଶୀର୍ଷରେ ରହିଛି। ଏହା ଏକ ବଡ ସଫଳତା।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଭାରତରେ ସିଂହଙ୍କ ସଂଖ୍ୟା ବୃଦ୍ଧି ପାଇଛି ଓ ବାଘ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ସହିତ ଭାରତୀୟ ଜଙ୍ଗଲ କ୍ଷେତ୍ର ମଧ୍ୟ ବୃଦ୍ଧି ପାଇଛି।ସେ କହିଛନ୍ତି ଯେ ଭାରତରେ ସେଭଳି ପ୍ରଶଂସନୀୟ ଲୋକ ଅଛନ୍ତି, ଯେଉଁମାନେ ପଶୁମାନଙ୍କ ପ୍ରତି ବହୁତ ଦୟା ଦେଖାଇଛନ୍ତି। ଆମେ ସମସ୍ତେ ମଣିଷମାନଙ୍କ ପାଇଁ ଏକ ହ୍ୱିଲ୍ ଚେୟାର ଦେଖିଛୁ, କିନ୍ତୁ ତାମିଲନାଡୁର କୋଏମ୍ବାଟୁରର ଗାୟତ୍ରୀ ତାଙ୍କ ପିତାଙ୍କ ସହ ମିଶି ଏକ କୁକୁର ପାଇଁ ହ୍ୱିଲ୍ ଚେୟାର ତିଆରି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମନ କି ବାତରେ ଗାୟତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଅନ୍ୟମାନଙ୍କ ଯତ୍ନ ନେବା ପାଇଁ ସେବାର ଏଭଳି ପ୍ରୟାସକୁ ଆମେ ଉତ୍ସାହିତ କରିବା,ଏହା ପ୍ରକୃତରେ ଏକ ଆତିଥ୍ୟ ଯାହା ସମାଜର ସମ୍ବେଦନଶୀଳତାକୁ ଦୃଢ କରିଥାଏ। ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ କୌସାମ୍ବିରେ ବନ୍ଦୀ ଥିବା କଏଦୀମାନଙ୍କ କଥା କହିଛନ୍ତି, ସେ କହିଛନ୍ତି ଯେ ସେହି କଏଦୀମାନେ ଗାଈମାନଙ୍କୁ ଶୀତରୁ ରକ୍ଷା କରିବା ପାଇଁ ପୁରୁଣା ଏବଂ ଚିରିଯାଇଥିବା କମ୍ବଳରେ ଶୀତ ବସ୍ତ୍ର ପ୍ରସ୍ତୁତ କରୁଛନ୍ତି। ଏହି କମ୍ବଳ ଅନ୍ୟ ଜିଲ୍ଲାର ଜେଲରୁ ସଂଗ୍ରହ କରାଯାଇଥାଏ ଏବଂ ପରେ ସିଲେଇ ହୋଇ ଗୋଶାଳାକୁ ପଠାଯାଇଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ମୁଁ ଭାରତର ଯୁବକମାନଙ୍କୁ ଦେଖେ ମୁଁ ଖୁସି ଏବଂ ଆତ୍ମବିଶ୍ୱାସ ଅନୁଭବ କରେ, କାରଣ ମୋ ଦେଶର ଯୁବକମାନଙ୍କର ଦେଶ ପାଇଁ କିଛି କରିବାର ଇଚ୍ଛା ଅଛି। ଶ୍ରୀ ମୋଦୀ ତାମିଲନାଡୁର ଶିକ୍ଷୟିତ୍ରୀ ହେମଲତା ଏନ.କେ.ଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ଦୁନିଆର ସର୍ବ ପୁରାତନ ଭାଷା ତାମିଲ ଶିକ୍ଷା ଦିଅନ୍ତି ଓ ସେଥିପାଇଁ ଆମେ ଗର୍ବିତ।ସେ ଆହ୍ୱାନ ଦେଇଛନ୍ତି ଯେ ଦୂରଦୂରାନ୍ତରେ ରହୁଥିବା ଛାତ୍ରଛାତ୍ରୀମାନେ ଯେଭଳି ଉପକୃତ ହେବେ ସେଥିପାଇଁ ଶିକ୍ଷକମାନେ ପୋର୍ଟାଲରେ ପାଠ୍ୟକ୍ରମ ସାମଗ୍ରୀ ଅପଲୋଡ୍ କରନ୍ତୁ।

Comments are closed.