ଖାଲ ପୋତିବା ନାଁରେ ପାଉଁଶ ପାହାଡ଼: ପାଉଁଶ ପାଣିରେ ପ୍ରାକୃତିକ ନାଳ ପ୍ରଦୂଷିତ

ଝାରସୁଗୁଡ଼ା: ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ଏକ ଖାଲ ପୋତିବାକୁ ଦିଆଯାଇଥିଲା ଅନୁମତି, ହେଲେ ପାଉଁଶ ମଧ୍ୟସ୍ଥିମାନେ ଖାଲ ତ ପୋତିଲେ, ତା ସାଙ୍ଗକୁ ଗଦା କରିଦେଲେ ପାହାଡ଼ ଉଚ୍ଚତାର ପାଉଁଶ । ଆଉ ଗତ ୨ ଦିନ ଧରି ପ୍ରବଳ ବର୍ଷାରେ ପାଉଁଶ ଧୋଇଯାଇ ନାଳରେ ପଶିଛି । ପ୍ରାକୃତିକ ନାଳ ଜଳ ପ୍ରଦୂଷିତ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଝାରସୁଗୁଡ଼ା ଜିଲାପାଳ କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯିବ ଓ ଯଦି କୌଣସି ଅନିୟମିତତା ହୋଇଥିବ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପାଉଁଶ ମଧ୍ୟସ୍ଥିମାନଙ୍କ କାମ ହେଉଛି ବିଭିନ୍ନ କମ୍ପାନୀରୁ ପାଉଁଶ ନେଇ ତାହାକୁ ଖାତଖମା ଭର୍ତି କରିବା । ଆଉ ତାହା ବଦଳରେ ହାତ ଚିକ୍କଣ କରିବା । ସରକାରୀ ନିୟମ ଅନୁସାରେ ପାଉଁଶ ବର୍ଜ୍ୟ ପରିଚାଳନା ନିମନ୍ତେ କମ୍ପାନୀମାନେ ବାଧ୍ୟ । ଅର୍ଥାତ୍ ପାଉଁଶର ଉପଯୁକ୍ତ ବିନିଯୋଗ କରିବା ସେମାନଙ୍କ ଦାୟିତ୍ଵ । ଏଥିପାଇଁ ପାଉଁଶ ପୋଖରୀ କରାଯାଉଛି ଓ ସ୍ଥଳ ବିଶେଷ​‌ରେ ବିଭିନ୍ନ ଖାଲୁଆ ସ୍ଥାନ ପୂରଣ ଓ ଜମି ସମତଳକରଣ ପାଇଁ ପାଉଁଶ ବ୍ୟବହାର ହେଉଛି । ଏଥିପାଇଁ କମ୍ପାନୀମାନେ ବେଶ୍ ଅର୍ଥ ଖର୍ଚ କରୁଛନ୍ତି ।

ମଧ୍ୟସ୍ଥିମାନେ କମ୍ପାନୀରୁ ପାଉଁଶ ଓ ଟଙ୍କା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପଛପଟ ଖାତରେ ଭର୍ତି କରିବା ଆରମ୍ଭ କଲେ । ଖାତ ତ ଭର୍ତି ସରିଲା, ହେଲେ ପାଉଁଶ ଗଦାଇବା ବନ୍ଦ ହେଲା ନାହିଁ । ଯେତେ ଟ୍ରକ୍ ପାଉଁଶ ପଡ଼ିବ, ସେହି ଅନୁପାତରେ ସେମାନଙ୍କ ପକେଟରେ ମୋଟା ଅର୍ଥ ପଶିବ । ଶେଷକୁ ଏମିତି ହେଲା ଯେ ପାଉଁଶ ଗଦା ପାହାଡ଼ ସଦୃଶ ହୋଇଗଲା। ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡ଼ା ସହରାଞ୍ଚଳର ୯ ନମ୍ବର ୱାର୍ଡ଼ର ପଞ୍ଚପଡ଼ା ଅଞ୍ଚଳରେ ଜିଲାପାଳଙ୍କ କାର୍ଯ୍ୟାଳୟ ପଛକୁ ଲାଗିଥିବା ଖାଲୁଆ ସରକାରୀ ଜମିକୁ ପାଉଁଶରେ ସମତଳ କରିବା ନିମନ୍ତେ ଅନୁମତି ଦିଆଯାଇଥିଲା । ମାତ୍ର ସମତଳ ହୋଇ ପାହାଡ଼ ହୋଇଯିବା ପରେ ମଧ୍ୟ ଏହା ଉପରେ ସରକାରୀ ଅଧିକାରୀଙ୍କର କୌଣସି ନଜର ନାହିଁ । ଫଳରେ ବର୍ଷାଦିନେ ପାଉଁଶ ବୋହି ଚାଷଜମି, ପ୍ରାକୃତିକ ଜଳସ୍ରୋତରେ ମିଶୁଛି, ଖରା ହେଲେ ପବନରେ ଉଡ଼ି ଆକାଶକୁ ଧୂଳିଆ କରି ଦେଉଛି ।

ଅନ୍ୟପକ୍ଷରେ ଆଜି ପାଉଁଶ ପାହାଡ଼ ଧସିବା ଅଭିଯୋଗ ପରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଜିଲା ବିଜେପି ସଭାପତି ଓ ତାଙ୍କର କିଛି ସହଯୋଗୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପାଉଁଶ ପାହାଡ଼ରୁ ପାଉଁଶ ଓ ବର୍ଜ୍ୟ ଜଳ ବୋହି ନିକଟସ୍ଥ ଜଳସ୍ରୋତ ପ୍ରଦୂଷିତ ହୋଇଥିବା ଅଭିଯୋଗ କରି ସେ ପାଉଁଶ ଗଦା କରୁଥିବା କମ୍ପାନୀ, ପରିବହନ ସଂସ୍ଥା ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ ନିମନ୍ତେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି ।

 

Comments are closed.