ଜାତୀୟ ସ୍ମାରକୀର ମାନ୍ୟତା ମିଳିଥିବା ସିହଂନାଥଙ୍କ ମନ୍ଦିରକୁ ମହାନଦୀର ବନ୍ୟା ପାଣି ଆଣୁଛି ବିପଦ -ପଥର ଘେରୀବନ୍ଧ ଜରୁରୀ

ବଡ଼ମ୍ବା, – ମହାନଦୀର ବକ୍ଷସ୍ଥଳରେ ଅତ୍ୟନ୍ତ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନସ୍ଥଳୀ ପ୍ରଭୁ ସିଂହନାଥ ଦେବଙ୍କ ଶୈବପୀଠ । ଏକ କୁଦ ଉପରେ ବଣପାହାଡ଼ ଘେରା ଏହି ପ୍ରାଚୀନ ପୀଠ କଟକ ଜିଲାର ବଡ଼ମ୍ବା ଦେବୋତ୍ତର ବିଭାଗ ଅଧିନସ୍ଥ । ପୀଠର ଉତ୍ତରରେ ବଡ଼ମ୍ବା ଗୋପୀନାଥପୁର ଏବଂ ଦକ୍ଷିଣପାଶ୍ୱର୍ରେ ବାଙ୍କୀ ଉପଖଣ୍ଡର ବୈଦ୍ୟେଶ୍ୱର ଗ୍ରାମ ଅବସ୍ଥିତ । ନିକଟରେ ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ଗମନାଗମନର ସୁବିଧା ନଥିବା ଏହିପୀଠକୁ ଦୀର୍ଘତମ ସେତୁ ଦ୍ୱାରା ସଂଯୋଗ କରାଯାଇଛି ଯାହାକି ଟି ସେତୁ ଭାବେ ଜଣାଶୁଣା । ଐତିହାସିକଙ୍କ ମତରେ ପୀଠରେ ଅତ୍ୟନ୍ତ ନିଖୁଣ ପ୍ରସ୍ତର କାରୁକାର୍ଯ୍ୟପୂର୍ଣ୍ଣ ୭ମ ଶତାଦ୍ଦୀର ମୁଖ୍ୟମନ୍ଦିର ଅବସ୍ଥିତ । କେନ୍ଦ୍ରସରକାରଙ୍କ ଦ୍ୱାରା ଏହି ମନ୍ଦିର ଜାତୀୟ ସ୍ମାରକୀର ମାନ୍ୟତା ପାଇଛି । ରାମାୟଣ,ମହାଭାରତ ତଥା ପୁରାଣବର୍ଣ୍ଣିତ ବହୁ କିମ୍ବଦତି ଏବଂ ଠାକୁରଙ୍କ ପ୍ରସ୍ତର ଖୋଦେଇ ବିଗ୍ରହ ମନ୍ଦିର ଚାରିପାଖ କାନ୍ଥରେ ବିଦ୍ୟମାନ ଯାହାକି ଆଗନ୍ତୁକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ହେଲେ ବିଡ଼ମ୍ବନା ପ୍ରତ୍ନତତ୍ତ୍ୱ ବିଭାଗ ତଦାରଖରେ ଥିବା ଏହି ମନ୍ଦିର ତଥା ପୀଠର ସୁରକ୍ଷାପ୍ରତି ବେଳକୁବେଳ ବିପଦ ସୃଷ୍ଟି କରୁଛି ମହାନଦୀର ପ୍ରଳୟଙ୍କରୀ ବନ୍ୟା !

ପ୍ରତିବର୍ଷ ବନ୍ୟାଜଳରେ ପୀଠ ଚତୁଃପାର୍ଶ୍ୱର୍ କୁଦରୁ ମାଟି ଧୋଇହୋଇ ଯାଉଛି । ଅନେକମାତ୍ରାରେ ମୃତିକା ଅବକ୍ଷୟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଛନ୍ତି । ଏପରିକି ପୂର୍ବରୁ ଗୋପୀନାଥପୁର ଅଞ୍ଚଳର ବହୁବୁଦ୍ଧିଜୀବୀ ଏନେଇ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇଥିବା ପ୍ରକାଶ । ପୀଠସ୍ଥିତ କୁଦର ପଶ୍ଚିମ,ଉତ୍ତର ଏବଂ ଦକ୍ଷିଣ ପାଶ୍ୱର୍ହୋଇ ନଦୀର ପ୍ରଖର ସ୍ରୋତ ବନ୍ୟା ସମୟରେ ପ୍ରବାହିତ ହୁଏ । ସିଂହନାଥ ପୀଠର ପଶ୍ଚିମ ଦିଗରେ କୁଦସ୍ଥିତ ପାହାଡ଼ ପାଦଦେଶରେ ନଦୀଜଳ ପ୍ରଥମେ ମାଡ଼ହୋଇଥାଏ । ପରେ ଏହା ଦକ୍ଷିଣପାଶ୍ୱର୍ ବୈଦ୍ୟେଶ୍ୱର ଏବଂ ଉତ୍ତରପାଶ୍ୱର୍ ଗୋପୀନାଥପୁର ହୋଇ ଦୁଇଧାର ହୋଇ ବହିଯାଏ ।

ଫଳରେ କୁଦର ମାଟି ପ୍ରତ୍ୟକଟି ବନ୍ୟାରେ ଧୋଇହେବା ସ୍ୱଭାବିକ ଏବଂ ଏହା ଦ୍ୱାରା ମୃତିକା ଅବକ୍ଷୟ ଏକ ପ୍ରାକୃତିକ ପକ୍ରିୟା । ମାଟିକୁଦର ସୁରକ୍ଷା ପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଉନଥିବାରୁ ବେଳକୁବେଳ କୁଦଟି ସଂକୁଚିତ ହେବାରେ ଲାଗିଛି । ବେଳହୁଁ ସତର୍କତା ଅବଲମ୍ବନ କରାନଗଲେ ମନ୍ଦିର ପ୍ରତି ଯେ ବିପଦ ସୃଷ୍ଟି ନହେବ ସେକଥାକୁ ଏଡ଼ାଇ ଦିଆଯାଇନପାରେ । ମନ୍ଦିର ସେବାୟତ କାହିଁକି ଏଠାକୁ ଆସୁଥିବା ପର୍ଯ୍ୟଟକ,ଗବେଷକ ତଥା ପ୍ରକୃତିପ୍ରେମୀ ପୀଠକୁ ନେଇ ଯେତିକି ଆନନ୍ଦ ଅନୁଭବ କରନ୍ତି ଏହାର ସୁରକ୍ଷା ଏବଂ ଉନ୍ନତିକରଣକୁ ନେଇ ମଧ୍ୟ ସେତିକି ଉଦ୍‌ବେଗ ପ୍ରକାଶ କରନ୍ତି । ସୁତରାଂ ଏହି ଐତିହାସିକ ଶୈବପୀଠ ତଥା ଜାତୀୟ ସ୍ମାରକୀର ବନ୍ୟାଦାଉରୁ ସୁରକ୍ଷା ଲାଗି କୁଦ ଚାରିପାଖେ ସ୍ୱତନ୍ତ୍ର ପଥର ସୋଲିଂ ସହିତ ଏକ ସୁଦୃଢ ଘେରିବନ୍ଧ ଅପରିହାର୍ଯ୍ୟ ମନେକରାଯାଉଛି । କେନ୍ଦ୍ର ତଥା ରାଜ୍ୟ ସରକାର ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ଦାବି କରିଛନ୍ତି ।

Comments are closed.