ବନ୍ୟା ବିପତ୍ତି, ସ୍ଥିତି ଗମ୍ଭୀର

୪୨୫ ଗାଁ ଜଳବନ୍ଦୀ, ୬ ଜିଲା ଗୁରୁତର ପ୍ରଭାବିତ, ଆଜିଠୁ ପୁଣି ବର୍ଷା

ଭୁବନେଶ୍ବର : ରାଜ୍ୟରେ ବନ୍ୟାସ୍ଥିତି ଗୁରୁତର ରହିଛି। ମହାନଦୀ ଓ ଏହାର ଶାଖା ନଦୀ ଅବବାହିକାର ୧୨ଟି ଜିଲାରେ ୬୪ ବ୍ଲକ୍‌ର ୧୭୫୭ଟି ଗାଁ ଓ ୧୦ଟି ସହରାଞ୍ଚଳର ୬୦ଟି ୱାର୍ଡର ୪ ଲକ୍ଷ ୬୭ ହଜାର ୩୨୧ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବିଶେଷକରି କଟକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲାରେ ବନ୍ୟା ବିପତ୍ତି ଅଧିକ ରହିଛି। ମହାନଦୀ ସମେତ ପାଇକା, କାଠଯୋଡ଼ି, କୁଆଖାଇ, ବିରୂପା, ଦେବୀ, ଦୟା, ଭାର୍ଗବୀ, କୁଶଭଦ୍ରା, ମକରା, ରାଜୁଆ ଆଦି ଏବେ ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ବନ୍ୟାଜଳ ଗାଁରେ ପ୍ରବେଶ କରି ଲୋକଙ୍କ କକର୍ଥନା ବଢାଇଛି। ବିଭିନ୍ନ ନଦୀବନ୍ଧରେ ବ୍ୟାପକ ଘାଇ ଓ ଘଳିଆ ପଡିବାରୁ ବନ୍ୟାଜଳ ଜନପଦରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। କେବଳ ବନ୍ୟାରେ ୩୪,୭୦୧.୬୪ ହେକ୍ଟର ଚାଷଜମି ଓ ପନିପରିବା ଫସଲ ତିନିଦିନ ହେଲା ପାଣି ଭିତରେ ବୁଡି ରହିଛି। କେଉଁ ଗାଁ ଦାଣ୍ଡରେ ଛାତିଏ ଉଚ୍ଚର ପାଣିର ସୁଅ କାଟୁଛି ତ’ ଆଉ କେଉଁଠି ଘର ଭିତରେ ବନ୍ୟାପାଣି ଲହଡି ଭାଙ୍ଗୁଛି। ଦେଢ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। କେତେକ ଗାଁରେ ତଳ ମହଲା ବୁଡିଯିବାରୁ ଲୋକେ ଗୋରୁ ଗାଈ ସହ ଉପର ମହଲା ଛାତରେ ଆଶ୍ରୟ ନେଇଛନ୍ତି। ସମ୍ବଲପୁର, ବୌଦ୍ଦ, ସୋନପୁର, ନୟାଗଡ଼, କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକର କେତେକ ଅଞ୍ଚଳରେ ବନ୍ୟା ବିଭୀଷିକା ସୃଷ୍ଟି କରିଛି। ସ୍ଥିତି ଏବେ ବି ଗମ୍ଭୀର ଥିଲେ ମଧ୍ୟ ନିୟନ୍ତ୍ରଣରେ ରହିଥିବା ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସ୍‌ଆରସି) ପ୍ରଦୀପ କୁମାର ଜେନା କହିଛନ୍ତି। ମୁଣ୍ଡୁଳିଠାରେ ମହାନଦୀର ସର୍ବୋଚ୍ଚ ଜଳ ପ୍ରବାହ (ପିକ୍‌ ଫ୍ଲୋ) ଆସନ୍ତାକାଲି ପର୍ଯ୍ୟନ୍ତ ରହିବ। ଲଘୁଚାପ ବର୍ଷା ଆସନ୍ତାକାଲିଠାରୁ ଆରମ୍ଭ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ୩ଟି ଜିଲାକୁ ସତର୍କ କରାଯାଇଛି। ବନ୍ୟାଜଳ ଆଉ ୩ରୁ ୪ ଦିନ ରହିବ ବୋଲି ସେ କହିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏସଆରସି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିଥିବା ସେ ସ୍ବୀକାର କରିବା ସହ ପ୍ରଶାସନ ଏହାର ମୁକାବିଲା କରୁଥିବା ସେ କହିଛନ୍ତି। ସେହିଭଳି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଠଗଡ଼ ସମେତ ବିଭିନ୍ନ ସ୍ଥାନକୁ ଯାଇ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀ ଓ ଫସଲ ସୁରକ୍ଷା ନେଇ ସେ ସମୀକ୍ଷା ବୈଠକ କରିଥିବା ଜଣାପଡିଛି।
ବୁଧବାର ବନ୍ୟା ସମୀକ୍ଷା କରି ଏସଆରସି ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟରେ ଏଯାବତ୍‌ ୬ଟି ସ୍ଥାନରେ ଘାଇ ହୋଇଛି। ଆଜି କୁଶଭଦ୍ରା ନଦୀର ଗଣେଶ୍ୱରପୁର ତେଣ୍ଡିଆକୁଦ ଓ ମହାନଦୀର ରାହାମା ବ୍ଲକ୍‌ ତେରମାଣପୁର ଠାରେ ବଡ଼ ବଡ଼ ଘାଇ ହୋଇଛି। ଗତକାଲି ସତ୍ୟବାଦୀର ରାଜୁଆ ଓ ଖୋର୍ଦ୍ଧାର ମକରା ନଦୀରେ ଘାଇ ହୋଇଥିଲା। ଘାଇ ଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ଜଳସମ୍ପଦ ବିଭାଗ ପଦକ୍ଷେପ ନେଇଛି। ଇତିମଧ୍ୟରେ ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ଛୋଟ ଘାଇ ଓ ଘଳିଆ ମରାମତି କରାଯାଇଛି।
ବନ୍ୟାରେ ୬୪ଟି ବ୍ଳକ୍‌ ଓ ପ୍ରବଳ ବର୍ଷାରେ ୪୩ଟି ବ୍ଲକ୍‌କୁ ମିଶାଇ ମୋଟ ୧୦୭ଟି ବ୍ଲକ୍‌ କ୍ଷତିଗ୍ରସ୍ତ ହୋଇଛି। ବନ୍ୟାରେ ୧୭୫୭ ଗାଁ ୧୦ଟି ସହରାଞ୍ଚଳର ୬୦ଟି ୱାର୍ଡ ଏବଂ ପ୍ରବଳ ବର୍ଷାରେ ୩୫୩ ଗାଁ ଓ ୮ଟି ୱାର୍ଡ ପ୍ରଭାବିତ ହୋଇଛି। ବନ୍ୟାରେ ୪୨୫ ଗ୍ରାମର ୨ ଲକ୍ଷ ୨୬ ହଜାର ୪୪୭ ଲୋକ ଏବେ ଜଳବନ୍ଦୀ ରହିଛନ୍ତି। ବନ୍ୟାରେ ୪ଲକ୍ଷ ୬୭ ହଜାର ୩୨୧ ଓ ପ୍ରବଳ ବର୍ଷା ଯୋଗୁଁ ୨୩ ହଜାର ୮୨୬ ଲୋକଙ୍କୁ ମିଶାଇ ମୋଟ ୪ ଲକ୍ଷ ୯୧ ହଜାର ୧୪୭ ଜଣ ପ୍ରଭାବିତ ହୋଇଛନ୍ତି। ବନ୍ୟାଞ୍ଚଳରେ ୧୫୮ଟି ରନ୍ଧାଖାଦ୍ୟ କେନ୍ଦ୍ର ଜରିଆରେ ପ୍ରାୟ ୬୦ ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଏସବୁ ଅଞ୍ଚଳରେ ୬୦ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ୫୩ ହଜାର ଲୋକଙ୍କ ସ୍ଥାନାନ୍ତର କରାଯାଇଥିବାବେଳେ ବନ୍ୟା ଓ ବର୍ଷାରେ ଅଢେଇ ହଜାର ଘର କ୍ଷତିଗ୍ରସ୍ତ ହୋଇଥିବା ଏସଆରସି ଶ୍ରୀ ଜେନା ସୂଚନା ଦେଇଛନ୍ତି।
ବନ୍ୟା ସ୍ଥିତି ସମୀକ୍ଷା କରିବା ପରେ ସେ କହିଛନ୍ତି, ମହାନଦୀ ଉପର ମୁଣ୍ଡରେ ପ୍ରବେଶ କରୁଥିବା ବନ୍ୟା ପାଣି ଓ ତଳମୁଣ୍ଡରେ ସୃଷ୍ଟି ହୋଇଥିବା ସ୍ଥିତି ନେଇ ସମୀକ୍ଷା ହୋଇଥିଲା। ୬ ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ଯେଉଁ ସ୍ଥାନରେ ଘାଇ କଥା କୁହାଯାଉଛି, ତାହା ଘାଇ ନୁହେଁ ବରଂ ତାହା ଉଚ୍ଛୁଳା ପାଣି (ବ୍ୟାକ୍ ୱାଟର)। ବନ୍ୟାରେ ଅନୁଗୋଳ ଜିଲାର ୬ ବ୍ଳକ୍ର ୯୫ ଗାଁ, ବରଗଡ଼ର ୨ ବ୍ଳକ୍‌ର ୯ ଗାଁ, ବୌଦ୍ଦ ୩ ବ୍ଲକ୍‌ର ୧୦୫ ଗାଁ, କଟକ ୧୦ ବ୍ଲକ୍‌ର ୩୦୭ ଗାଁ, ଜଗତସିଂହପୁର ୮ ବ୍ଳକ୍‌ର ୮୦୯ ଗାଁ, ଯାଜପୁର ଗୋଟିଏ ବ୍ଳକ୍‌ର ୩୧ ଗାଁ, କେନ୍ଦ୍ରାପଡ଼ା ୭ ବ୍ଳକ୍‌ର ୮୬ ଗାଁ, ଖୋର୍ଦ୍ଧା ୫ ବ୍ଳକ୍‌ର ୫୪ ଗାଁ, ନୟାଗଡ଼ ୩ ବ୍ଳକ୍‌ର ୪୭ ଗାଁ, ପୁରୀ ୬ ବ୍ଲକ୍‌ର ୧୩୮ ଗାଁ, ସମ୍ବଲପୁର ୯ ବ୍ଲକ୍‌ର ୪୫ ଗାଁ ଓ ସୋନ୍‌ପୁର ଜିଲାର ୪ ବ୍ଳକ୍‌ର ୩୧ ଗାଁ ଗୁରୁତର ପ୍ରଭାବିତ ହୋଇଛି।
ମହାନଦୀ ଟାପୁ ଅମଙ୍ଗେଈ କୁଦକୁ ଛେଳି ଚରାଇବାକୁ ଯାଇ ୫ ଦିନ ହେଲା ବନ୍ୟାପାଣିରେ ଫସିରହିଥିବା ବାପ ଧୈର୍ଯ୍ୟଧର ଓ ପୁଅ ଅର୍ଜ୍ଜୁନ ଦଳାଇଙ୍କୁ ଓଡ୍ରାଫ୍‌ ଦଳ ଆଜି ଉଦ୍ଧାର କରିଛନ୍ତି।
ଜଗତସିଂହପୁର ଜିଲା ଅନ୍ତର୍ଗତ କୁଜଙ୍ଗ ବ୍ଲକରେ ପୁଣି ୨ ଘାଇ ହୋଇଛି। ଗତକାଲି ଦୁଇଟି ଘାଇ ହୋଇଥିବା ବେଳେ ଆଜି ଆଉ ୨ ଘାଇ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଛି। ମହାନଦୀର ରାହାମା ନିକଟ ତେରମାଣପୁର ଘେରିବନ୍ଧରେ ୬୦ ଫୁଟର ଓ ପାଇକା ନଦୀର କାଠକୋଟ ଗାଁ ନିକଟରେ ୩୦ ଫୁଟର ଘାଇ ହୋଇଛି। ଫଳରେ ୧୨ ପଞ୍ଚାୟତରେ ପାଣି ପଶିଛି। ତିର୍ତ୍ତୋଲ ୯ ଓ କୁଜଙ୍ଗର ୩ ପଞ୍ଚାୟତ ଜଳମଗ୍ନ ହେଇଛି। ସବୁଠୁ କ୍ଷତିଗ୍ରସ୍ତ ହୋଇଛି କଣାସ ବ୍ଲକ୍‌। ଏଠରେ ଦୟା, ରାଜୁଆ ଓ ମକରାରେ ଜଳପତ୍ତନ ବୃଦ୍ଧି ବନ୍ୟାକ୍ଲିଷ୍ଟଙ୍କ ଦୁର୍ଦ୍ଦଶା ବଢାଇଛି।
ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ-୫୭ର ବାଘମାରୀ ଓ ସାରୁଅ ରାସ୍ତା ଉପରେ ୨ଫୁଟର ବନ୍ୟା ପାଣି ଚାଲିଥିବାରୁ କୌଣସି ପ୍ରକାର ଅଘଟଣ ରୋକିବାକୁ ପ୍ରଶାସନ ସେହି ରାସ୍ତାକୁ ବନ୍ଦ କରିଛି। ଫଳରେ ଯାତାୟାତ ଗୁରୁତର ବାଧାପ୍ରାପ୍ତ ହୋଇଛି।
ସେହିପରି ବିରୂପା ନଦୀର ବନ୍ୟାପାଣିରେ ଚୌଦ୍ୱାର-ମଣ୍ଡାପଡ଼ା ରାସ୍ତାରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି। ଜଗତସିଂହପୁର ଜିଲା ପାରାଦୀପର ହଂସୁରା-ସରଳି ରାସ୍ତାରେ ବନ୍ୟାଜଳ ପ୍ରବାହିତ ହୋଇଛି। ପାଇକା ନଦୀରେ ବିରାଟ ଘାଇ ସୃଷ୍ଟି ହେବାରୁ ୨ କିମି ଯାଏ ରାସ୍ତା ଉପରେ ପ୍ରାୟ ୨ ଫୁଟ୍‌ର ପାଣି ପ୍ରବାହିତ ହେଉଛି। ରାସ୍ତା ବୁଡ଼ିଯିବାରୁ ୪ଟି ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କଟକର ବାଙ୍ଗି-ଡମପଡ଼ା, ଆଠଗଡ଼ ଆଦି ଅଞ୍ଚଳ ବ୍ୟାପକ ଜଳମଗ୍ନ ହୋଇଛି। ପୁରୀ ଜିଲାର କଣାସ, ନିମାପଡା, ଗୋପ ଆଦି ବ୍ଲକ୍‌ର ଶତାଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି। କୁଶଭଦ୍ରା ନଦୀ ଏବେ ନିମାପଡ଼ା ଓ ଗୋପ ପାଇଁ ଚିନ୍ତା ବଢାଇଛି। ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହେବାରୁ ସ୍ଥିତି ଗୁରୁତର ହୋଇପଡିଛି। ଖୋର୍ଦ୍ଧାର ଓରବରସିଂହ, ଡିହଖଳା ଆଦି ଅଞ୍ଚଳରେ ଉଚ୍ଛୁଳା ପାଣି ଅନେକ ଗାଁକୁ ବିପଦରେ ପକାଇଛି।
୨୦୧୧ ମସିହା ପରେ ପ୍ରଥମ ଥର ପାଇଁ ଅଧିକ ବନ୍ୟାଜଳ ନଦୀ ଗୁଡିକରେ ଛଡାଯାଇଛି । ୨୦୧୧ ମସିହା ପରେ ମହାନଦୀରେ ୯ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହୋଇଥିବାବେଳେ ଚଳିତ ଥର ୧୨ ଲକ୍ଷ କ୍ୟୁସେକ୍ ପାଣି ଛଡ଼ା ଯାଇଛି। ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ମୁଣ୍ଡଳିରେ ଆଜି ସକାଳ ପର୍ଯ୍ୟନ୍ତ ୧୨ ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ଛଡ଼ା ଯାଉଥିଲା। ରାତି ୩ଟା ଭିତରେ (୯ ଘଣ୍ଟା) ଏହି ପାଣି ଅତିକ୍ରମ କରିଯିବ ବୋଲି ଆଶା ଥିଲା। କିନ୍ତୁ ଏଥିପାଇଁ ୧୨ ଘଣ୍ଟା ସମୟ ଲାଗିଲା। ଏବେ ହୀରାକୁଦରୁ ୪୦ଟି ଫାଟକ ଦେଇ ୬ ଲକ୍ଷ ୭୯ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଆଗକୁ ୧୮ରୁ ୨୦ ତାରିଖ ମଧ୍ୟରେ ଲଘୁଚାପ ଯୋଗୁଁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହି ବର୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳ ଭଣ୍ଡାର ପରିଚାଳନା କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।
ତେଲ ନଦୀର ପାଣି ଆଶାନୁରୂପ ଖସିନି। ଏହା ବର୍ତ୍ତମାନ ଖସି ୧.୮୫ ଲକ୍ଷ କ୍ୟୁସେକ୍‌କୁ ଆସିଛି। ତେବେ ଖଇରମାଳ ଦେଇ ବନ୍ୟାର ମୁଖ୍ୟ ସ୍ରୋତ ପାଣି ନିଷ୍କାସିତ ହୋଇଯାଇଛି। ତେଣୁ ଆଗକୁ ମହାନଦୀର ପାଣି କମିବ। ୨୪ ଘଣ୍ଟା ପରେ କଟକ ମୁଣ୍ଡଳି ଠାରେ ମଧ୍ୟ ପାଣି ଖସିବ। ଏହି ବନ୍ୟା ପାଣି ସମୁଦ୍ରରେ ମିଶିବାକୁ ଆଉ ୯ଘଣ୍ଟା ସମୟ ଲାଗିବ। ତେଣୁ ଆସନ୍ତା ୧୨ ଘଣ୍ଟା ପରେ ଧିରେଧିରେ ବନ୍ୟା ପାଣି କମିଯିବ। ଏହି ସମୟରେ ନଦୀ ବନ୍ଧ ଧସିବାର ଆଶଙ୍କା ଥିବାରୁ ସମସ୍ତଙ୍କୁ ସତର୍କ ନଜର ରଖିବାକୁ କୁହାଯାଇଛି।
ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ୱୟ ରଖି ସମସ୍ତ ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ସାପ କାମୁଡା ଇ‌େ‌ଞ୍ଜକ୍ସନ ଓ ଅନ୍ୟ ଔଷଧ ମହଜୁଦ୍ ରଖିବାକୁ କୁହାଯାଇଛି। ଲୋକଙ୍କ ନିକଟରେ ପାନୀୟଜଳ ଉପଲବ୍ଧ କରିବାକୁ ଜଗତସିଂହପୁର ଓ ପୁରୀରେ ୩ଟି ଲେଖାଏଁ, କେନ୍ଦ୍ରାପଡ଼ା ଓ କଟକରେ ୨ ଲେଖାଏଁ ଭ୍ରାମ୍ୟମାଣ ଆରଓ ପାଣି ପାଉଚ୍ ଯୋଗାଣ ଗାଡ଼ି ମୁତୟନ କରାଯାଇଛି। ଏ ସମସ୍ତ ଜିଲାରେ ଗୋଟିଏ ଲେଖାଏଁ ୟୁନିଟ୍ ଏନ୍‌ଡ଼ିଆରଏଫ୍ ଟିମ୍ ସହ ଓଡ୍ରାଫ ଓ ଅଗ୍ନିଶମ ଦଳ ମୁତୟନ କରାଯାଇ ଜଳବନ୍ଦୀ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି।
ବନ୍ୟା ପରେ ତୁରନ୍ତ କୂଅ ଓ ନଳକୂଅ ସଫେଇ କରିବାକୁ କୁହାଯାଇଛି। ବନ୍ୟା ପୀଡ଼ିତ ଗୋରୁଗାଈଙ୍କୁ ଗୋଖାଦ୍ୟ ଉପଲବ୍ଧ କରିବାକୁ କୁହାଯାଇଛି। ବନ୍ୟା ଅଞ୍ଚଳରେ ପାଣି କମିବା ପରେ ଲୋକଙ୍କୁ ରିଲିଫ ଯୋଗାଇ ଦିଆଯିବ। ପରେ ଘରଭଙ୍ଗା ଓ ଫସଲ କ୍ଷତି ଆକଳନ କରାଯିବ।
ସେହିପରି ସାମ୍ଭାବ୍ୟ ଲଘୁଚାପ ନେଇ ସେ କହିଛନ୍ତି, ବୈତରଣୀରେ ବନ୍ୟା ଆଶଙ୍କା ଥିବାରୁ କେନ୍ଦୁଝର ସମେତ ଭଦ୍ରକ ଓ ଯାଜପୁର ବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ତେବେ ଏହି ଅଞ୍ଚଳରେ ବଡ଼ ବନ୍ୟା ଆଶଙ୍କା ନାହିଁ। ଲଘୁଚାପ ପ୍ରଭାବରେ ଏହି ୩ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆଶଙ୍କା ଥିବାରୁ ସତର୍କତା ଜାରି କରାଯାଇଛି। ଲୋକଙ୍କ ସୁରକ୍ଷା ପାଇଁ କାଇଁଝରୀ ଓ ଦେଓ ଜଳଭଣ୍ଡାରୁ ଆଗୁଆ ଜଳ ନିଷ୍କାସନ ନିମନ୍ତେ କୁହାଯାଇଛି। ସେପଟେ ରେଙ୍ଗାଲି ପାଣି ଖୁବ୍ ତଳେ ଥିବାରୁ ବ୍ରାହ୍ମଣୀରେ ବନ୍ୟା ଆଶଙ୍କା ନାହିଁ।
ଗୁରୁବାର କେବଳ ମହାନଦୀର ତଳିଆ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ମହାନଦୀର ଉପମୁଣ୍ଡରେ ମଧ୍ୟମ ଧରଣର ବର୍ଷା ହେବ। ତେଣୁ ବର୍ଷା ପରିମାଣକୁ ଦୃଷ୍ଟିରେ ରଖି ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ନିମନ୍ତେ ହୀରାକୁଦରୁ ଜଳ ନିଷ୍କାସନ କରିବାକୁ ଯନ୍ତ୍ରୀମାନଙ୍କୁ କୁହାଯାଇଛି ବୋଲି ଏସ୍ଆରସି ସୂଚନା ଦେଇଛନ୍ତି।

Comments are closed.