କେରଳ ବନ୍ୟା: ବିଦେଶୀ ସାହାଯ୍ୟ ଗ୍ରହଣ କରିବାକୁ ମନା କଲା କେନ୍ଦ୍ର!

0

ନୂଆଦିଲ୍ଲୀ : କେରଳର ବନ୍ୟାକ୍ଲିଷ୍ଟଙ୍କ ଦୁଃଖରେ ସମଦୁଃଖି ହୋଇଛନ୍ତି ଅନେକ ରାଷ୍ଟ୍ର। ବନ୍ୟା ବିପନ୍ନ ତଥା ସର୍ବହରା ହୋଇପଡିଥିବା କେରଳବାସୀଙ୍କ ସହଯୋଗ ନିମନ୍ତେ ସହସ୍ର କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ବିଭିନ୍ନ ଦେଶର ସରକାର। ମାତ୍ର ଅନ୍ତର୍ଜାତୀୟ ସହଯୋଗ ନେବାକୁ ଭାରତ ସରକାର ମନା କରିଦେଇଛନ୍ତି ବୋଲି ଥାଇଲାଣ୍ଡର ରାଷ୍ଟ୍ରଦୂତ ଚୁତିଟର୍ଣ୍ଣ ସାମ ଗଙ୍ଗସାକଡି ବୁଧବାର ଟ୍ୱିଟର୍‍ ଦ୍ୱାରା ପ୍ରକାଶ କରିଛନ୍ତି। ଏ ନେଇ ତାଙ୍କୁ ଅନୌପଚାରିକ ଭାବେ ସୂଚନା ଦିଆଯାଇଥିବା ସେ ଦର୍ଶାଇଛନ୍ତି। ଅବଶ୍ୟ ଅନ୍ତର୍ଜାତୀୟ ସହାୟତା ଗ୍ରହଣ ନେଇ କେନ୍ଦ୍ର ସରକାର ଏଯାବତ୍‍ ଖୋଲାଖୋଲି ଭାବେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି; କିନ୍ତୁ ଅନ୍ୟ ରାଷ୍ଟ୍ରଠାରୁ କୌଣସି ଆର୍ଥିକ ସହଯୋଗ କେନ୍ଦ୍ର ଗ୍ରହଣ କରିବ ନାହିଁ ବୋଲି ବିଭିନ୍ନ ସୂତ୍ରରୁ ମିଳିଥିବା ଖବରକୁ ନେଇ କେରଳ ଅର୍ଥମନ୍ତ୍ରୀ ଟମାସ୍‍ ଆଇଜାକ୍‍ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ପ୍ରମୁଖ ଗଣମାଧ୍ୟମ ଏନ୍‍ଡିଟିଭି ସହ ସାକ୍ଷାତକାରି ବେଳେ ସେ କହିଛନ୍ତି, କେନ୍ଦ୍ର ସରକାର କେରଳ ପାଇଁ ଯେତିକି ପରିମାଣର ଆର୍ଥିକ ସହଯୋଗ ଘୋଷଣା କରିଛନ୍ତି ତାହା ଆବଶ୍ୟକତାଠାରୁ ବହୁତ୍‍ କମ୍‍। ଏଣୁ କେରଳବାସୀଙ୍କ ଥଇଥାନ ଓ ପୁନରୁଦ୍ଧାର ନିମନ୍ତେ ଅନ୍ୟ ଦିଗରୁ ମିଳୁଥିବା ସହଯୋଗକୁ କେନ୍ଦ୍ର ମନା କରିବା ଉଚିତ ନୁହେଁ।
ଉଲ୍ଲେଖ ଯେ, କେରଳକୁ ୭୦୦ କୋଟି ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‍ଙ୍କୁ ସଂଯୁକ୍ତ ଆରବ ଏମିରେଟ୍‍ସ (ୟୁଏଇ) ପ୍ରାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଆବୁଧାବି ରାଜକୁମାର ଶୈଖ୍‍ ମହମ୍ମଦ ବିନ୍‍ ଜାୟେଦ୍‍ ଅଲ୍‍ ନାହ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲିଫୋନ୍‍ କରି ଏହି ସହଯୋଗ ନିମନ୍ତେ ପ୍ରସ୍ତାବ ଦେଇଥିବା ବିଜୟନ ପ୍ରକାଶ କରିଛନ୍ତି। ମାତ୍ର ବିଗତ ଏକ ଦଶନ୍ଧୀ ଧରି ଭାରତ ଯେଉଁ ନୀତି ଆପଣାଇ ଆସିଛି ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ସହଯୋଗ ଗ୍ରହଣ ନ କରିବାର ସମସ୍ତ ସମ୍ଭାବନା ରହିଛି। ବିଗତ ଏକ ଦଶନ୍ଧି ମଧ୍ୟରେ ସୃଷ୍ଟ ବିନାଶକାରୀ ବିପର୍ଯ୍ୟୟ ପରେ ଭାରତ ସମସ୍ତ ଦ୍ୱିପାକ୍ଷିକ ସହାୟତା ଗ୍ରହଣ କରିବାକୁ ମନା କରି ଆତ୍ମନିର୍ଭରଶୀଳତା ଏକ ନୂତନ ଯୁଗ ଆରମ୍ଭ କରିଛି। ଏପରିକି ୨୦୦୪ରେ ଆସିଥିବା ପ୍ରଳୟଙ୍କରୀ ସୁନାମୀ ପରେ ମଧ୍ୟ ଭାରତ କୌଣସି ଦ୍ୱିପାକ୍ଷିକ (ମିତ୍ର ରାଷ୍ଟ୍ରର) ସହଯୋଗ ସ୍ୱୀକାର କରିନାହିଁ। ଏହି ସୁନାମୀ ପରେ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ, ଆମେ ନିଜ ବଳରେ ନିଜେ ଏହି ସମସ୍ୟାରୁ ମୁକୁଳିପାରିବୁ ବୋଲି ଭାବୁଛୁ। ଆବଶ୍ୟକ ହେଲେ ବିଦେଶୀ ରାଷ୍ଟ୍ରର ସହଯୋଗ ନିଶ୍ଚୟ ଗ୍ରହଣ କରିବୁ।
କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ କେରଳ ଅର୍ଥମନ୍ତ୍ରୀ ଆଇଜାକ୍‍ ରାଜ୍ୟରେ ପୁର୍ନରୁଦ୍ଧାର କାର୍ଯ୍ୟ ଲାଗି ଆବଶ୍ୟକ ମୁତାବକ ଆର୍ଥିକ ସହଯୋଗ ଯୋଗାଇ ଦେବା ନେଇ କେନ୍ଦ୍ରର କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, କେରଳ ଏବଂ ୟୁଏଇ ମଧ୍ୟରେ ଦୀର୍ଘ ଦିନର ସମ୍ପର୍କ ରହିଛି। ୩ ନିୟୁତ ଭାରତୀୟ ସେଠାରେ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୮୦% କେବଳ କେରଳ ବାସିନ୍ଦା। ଏମିତିରେ ଉକ୍ତ ରାଷ୍ଟ୍ରଠାରୁ ସହଯୋଗ ଗ୍ରହଣ କରିବାରେ କି ସମସ୍ୟା ରହିଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ତେବେ ବିଦେଶରେ ବାସ କରୁଥିବା କେରଳବାସୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ସେମାନଙ୍କ ସହଯୋଗ ବାବଦ ଅର୍ଥ ପଠାଇପାରିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ଅର୍ଥ ନ ମିଳିବା ପରିସ୍ଥିତିରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉପରେ ନିର୍ଭରଶୀଳ ରହିଛି ବୋଲି ଟମାସ୍‍ ଦର୍ଶାଇଛନ୍ତି।
ଉଲ୍ଲେଖ ଯେ, ୨୦୧୭ରେ ବିହାର ବନ୍ୟାର ଶିକାର ହେବା ପରେ କେନ୍ଦ୍ରଠାରୁ ୭,୬୦୦ କୋଟି ଟଙ୍କା ସହାୟତା ଲୋଡିଥିଲା; କିନ୍ତୁ ମିଳିଥିଲା କେବଳ ୧୭୦୦ କୋଟି ଟଙ୍କା। କେରଳ ପାଇଁ ରାଜ୍ୟ ସରକାର କେନ୍ଦ୍ରଠାରୁ ୨୦୦୦ କୋଟି ଟଙ୍କା ସହାୟତା ଲୋଡିଥିବା ବେଳେ କେନ୍ଦ୍ର ଇତିମଧ୍ୟରେ ମୋଟ ୬୦୦ କୋଟି ଟଙ୍କା ପ୍ରଦାନ କରିଛି।

Leave A Reply