ମିଳିବ ବନ୍ୟା, ମରୁଡ଼ିର ଆଗୁଆ ସୂଚନା

ମିଳିତ ଜାତିସଂଘକୁ ଜଳବାୟୁ ପରିବର୍ତ୍ତନ ତଥ୍ୟ ଯୋଗାଇବ ଆଇଏମ୍‌ଡି

ଭୁବନେଶ୍ବର : ଜଳବାୟୁରେ କିପରି ପରିବର୍ତ୍ତନ ହେଉଛି, ଭବିଷ୍ୟତ​ରେ ଏହାର ପ୍ରଭାବ କିପରି ରହିବ, ଏପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସଠିକ୍ ପୂର୍ବାନୁମାନ କରିବା ଆରମ୍ଭ କରିବ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)। ପାଣିପାଗ ବଦଳିବା ଯୋଗୁଁ ଆଗକୁ ବାତ୍ୟା ହେବ କିମ୍ବା ମରୁଡି ଦେଖାଦେବ, ତାହାର ପୂର୍ବାନୁମାନ କରିହେବ। ଆସନ୍ତା ବର୍ଷ ଠାରୁ ମିଳିତ ଜାତିସଂଘକୁ ନିୟମିତ ଭାବେ ଏହି ରିପୋର୍ଟ ପ୍ରଦାନ କରିବ ଆଇଏମ୍‌ଡି। ଏଥିପାଇଁ ପୃଥ୍ବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ କ୍ଲାଇମେଟ୍ ମଡେଲ ଆର୍ଥ ସିଷ୍ଟମ୍ ସ୍ଥାପନ କରାଯାଇଛି। ଏହା ଜରିଆରେ ଆସନ୍ତା ଏକ ବର୍ଷରେ ଜଳବାୟୁରେ କିପରି ପରିବର୍ତ୍ତନ ଆସିବ ତାହାର ସଠିକ୍ ପୂର୍ବାନୁମାନ କରିହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡ଼ଃ ମୃତ୍ୟୁଞ୍ଜୟ ମହାପାତ୍ର।
ଓୟୁଏଟିରେ ଆୟୋଜିତ ଭାରତୀୟ ଜଳବାୟୁ କଂଗ୍ରେସ୍‌ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେବାକୁ ଆସିଥିବା ଅବସରରେ ଡ଼ଃ ମହାପାତ୍ର କହିଥିଲେ, ମିଳିତ ଜାତିସଂଘର ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ୍ ଚେଞ୍ଜ (ଆଇପିସିସି) ସମଗ୍ର ବିଶ୍ବରୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥାଏ। ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ, ଏହାର ପ୍ରଭାବ ଆଦି ସମ୍ପର୍କରେ ଯଥେଷ୍ଟ ପୂର୍ବରୁ ସଠିକ୍ ସୂଚନା ଆଧାରରେ ପ୍ରତିକାର ବ୍ୟବସ୍ଥାକୁ ଅଧିକ ଦକ୍ଷ କରାଯାଇ ଥାଏ। ତେବେ ଆମ ପାଖରେ ଅତ୍ୟାଧୁନିକ ବ୍ୟବସ୍ଥା ନଥିବାରୁ ଆଇଏମ୍‌ଡି ପକ୍ଷରୁ କେବଳ ପିଛିଲା ତଥ୍ୟ ଆଇପିସିସିକୁ ପ୍ରଦାନ କରାଯାଉଥିଲା। କିନ୍ତୁ ମନ୍ତ୍ରାଳୟ ଅଧୀନରେ ଥିବା ସେଣ୍ଟର ଫର କ୍ଲାଇମେଟ୍ ଚେଞ୍ଜ ରିସର୍ଚ୍ଚ ଠାରେ କ୍ଲାଇମେଟ୍ ମଡେଲ କାର୍ଯ୍ୟକ୍ଷମ କରାଯାଉଛି। ଏଥିରେ ଅତ୍ୟନ୍ତ ଉନ୍ନତମାନର ବ୍ୟବସ୍ଥା ରହିଛି। ଯଦ୍ଦ୍ବାରା ଏହି ମଡେଲ୍‌ ଜରିଆରେ ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ପ୍ରାକୃତିକ ଦୁର୍ବିପାକ ଏହାର ପ୍ରଭାବ ଆଦି ସମ୍ପର୍କରେ ଆଗୁଆ ପୂର୍ବାନୁମାନ କରିପାରିବ। ଏହି ତଥ୍ୟକୁ ଆମେ ନିୟମିତ ଭାବେ ଆଇପିସିସିକୁ ପ୍ରଦାନ କରିବୁ। ଏହା ଭାରତୀୟ ପାଣିପାଗ ବିଜ୍ଞାନ କ୍ଷେତ୍ରରେ ବଡ଼ ଉପଲବ୍ଧି ବୋଲି ଡ଼ଃ ମହାପାତ୍ର କହିଛନ୍ତି।

Comments are closed.