ଲଘୁଚାପ ବର୍ଷାର ପ୍ରଭାବ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଆଶଙ୍କା

0

ଆରଡି : ଭଦ୍ରକ ଜିଲା ଧାମରା ସମୁଦ୍ର ମୁହାଣ ଲଘୁଚାପ ପ୍ରଭାବରେ ଅଶାନ୍ତ ହୋଇ ପଡିବା ଯୋଗୁଁ ଉଚ୍ଚ ଜୁଆର ଢେଉ ମାଡି ଆସୁଛି । ଏହି କାରଣରୁ ଚାନ୍ଦବାଲି , ଆରଡି, ସୁନ୍ଦରପୁର ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏପରିକି ନଦୀର ଜଳସ୍ତର ବୃଦ୍ଧି ପାଇବା ଦ୍ୱାରା ବିଭିନ୍ନ ନଈଯୋର ଓ ମାହାରା ଦେଇ ଜନ ବସତି ଆଡକୁ ଜୁଆର ପାଣି ପ୍ରବେଶ କରିଛି। ବିଶେଷକରି ଚାନ୍ଦବାଲି ବ୍ଲକର ଆରଡି, ଶୀତଳପୁର, ପାଲଟପୁର, ମୁଆଁ, ସନ୍ତରା, ଷାଠିବାଙ୍କୁଡା, ବୋଡକ, ବାତୋଳ, ସିଙ୍ଗିପୁର, ସାନପଙ୍କି  ଆଦି ଗାଁ ଚତୁପାଶ୍ୱର୍ରେ ଜଳମଗ୍ନ ହୋଇ ପଡିଛି। ଏପରିକି ୩ଦିନ ହେଲା ଶୀତଳପୁର ଗାଁ ରାସ୍ତାର ୩/୪ଟି ସ୍ଥାନରେ ୩/୪ ଫୁଟ୍ ଉଚ୍ଚରେ ଜୁଆରପାଣି ପ୍ରବାହିତ ହେଉଥିବାରୁ ଗାଁ ଲୋକ ଡଙ୍ଗା ସାହାର୍ଯ୍ୟରେ ଯାତାୟତ କରୁଥିବା ବେଳେ କୁମ୍ଭୀର ଭୟରେ ଶତାଧିକ ଛାତ୍ରଛାତ୍ରୀଙ୍କ ପାଠପଢା ସମ୍ପର୍ଣ୍ଣ ଠପ୍ ହୋଇଯାଇଛି। ବିଶେଷକରି ନଦୀକୂଳରେ ବସବାସ କରୁଥିବା ୧୦/୧୫ ପରିବାରଙ୍କ ଘର ଦାଣ୍ଡରେ ଜୁଆର ପାଣି ଲହଡି ମାରିବା ଫଳରେ କୁମ୍ଭୀର ଭୟରେ  ନିଜର ଭିଟାମାଟି ଛାଡି ଅନ୍ୟତ୍ର ମୁଣ୍ଡ ଗୁଞିଛନ୍ତି। ସେହିପରି ଆରଡି-ତିହିଡି ରାସ୍ତାର ସତସଙ୍ଗ ବିହାର ନିକଟ ଘୋଷରାରେ ୨/୩ଫୁଟ୍ ଉଚ୍ଚରେ ଜୁଆରପାଣି ପ୍ରବାହିତ ହେଉଥିବାରୁ ନାନ୍ଦପୁର, ବାଙ୍କମୁଆ, କୋଇଲିଖା, ତଳଦୁମୁକା, ଇଶ୍ୱରପୁର, ଦପା, ଭୁଇଁପୁର, ବଡତଳ, ଉପରଦୁମୁକା ଆଦି ଗାଁ ଲୋକଙ୍କ ଯାତାୟତରେ ବାଧା ଉପୁଜିଛି। ଏପଟେ ଚାଷଜମିରେ ଦୀର୍ଘ ୩/୪ଦିନ ହେବ ଜୁଆରପାଣି ଲହଡି ମାରୁଥିବାରୁ ସାରଦ ଧାନତଳି ପଚିବା ଆରମ୍ଭ କଲାଣି ବୋଲି ଚାଷୀ ପ୍ରକାଶ କରିଛନ୍ତି। ତାହାସହ ବେଉସଣ ହୋଇଥିବା ଧାନତଳି ଜୁଆରପାଣିରେ ବୁଡି ରହିଥିବାରୁ ଚଳିତବର୍ଷ ସାରଦଧାନ ସମ୍ପୁର୍ଣ୍ଣ ଉଜୁଡିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

Leave A Reply