ମହାନଦୀରେ ବନ୍ୟା ଯୋଗୁ କଖଡିରେ ଶତାଧିକ ଏକର ଧାନଫସଲ ପାଣିରେ ବୁଡି ରହିଛି

ଗୁରୁଡିଝାଟିଆ: ମହାନଦୀରେ ବନ୍ୟାଜଳ ଆସିବା ଫଳରେ ହଜାର ହଜାର ଏକର ଧାନ ଓ ପରିବା ଫସଲ ବନ୍ୟାଜଳରେ ବୁଡିରହିଛି। ଯାହାଫଳରେ କି କୃଷକମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି। କରୋନା ଯୋଗୁଁ ଜୀବନ ଜୀବିକା ଉଜୁଡି ଯାଇଥିବା ବେଳେ ଚାଷ ହିଁ ଥିଲା ଏକମାତ୍ର ବଞ୍ଚିବାର ରାହା। ଏହା ବି ଏବେ ମହାନଦୀର ବନ୍ୟାଜଳରେ ଉଜୁଡି ଯିବାକୁ ବସିଛି। ବନ୍ୟାପାଣି ଆଜି ଯାହା ଅଛି ଆସନ୍ତାକାଲି ଆହୁରି ଅଧିକ ହେବାର ସମ୍ଭାବନା ଥିବାରୁ ଚାଷଜମିରେ ଏବେ ୭ଫୁଟ ଉଚ୍ଚର ବନ୍ୟାଜଳ ରହିଛି। ମହାନଦୀର ଭୂୟାଁଯୋର, ପାଇକରାପୁରଯୋର ଓ ସାପୁଆର ରମ୍ପା ଦେଇ ମହାନଦୀର ଜଳ କୃଷିକ୍ଷେତ୍ରରେ ପ୍ରବେଶ କରି ସଂପୂର୍ଣ୍ଣ ଜଳାର୍ଣ୍ଣବ କରିଦେଇଛି।ଯାହାଫଳରେ କି ମହାକାଳବସ୍ତ, ଦ୍ୱାରାବତୀପୁର, ଧୁରୁଷିଆ, ଗଜାମ୍ବ, ବାଲିସିଗିରି, ଜେନାପୁର, ଗୋପାଳପ୍ରସାଦ, ବୌଦ୍ଧପୁର, ଘଣ୍ଟିଖାଲ, ନିଧିପୁର, ବିଷ୍ଣୁପୁର, ବ୍ରାହ୍ମଣବସ୍ତ, ନାରଙ୍ଗବସ୍ତ, ନୂଆଡିହ, ଲିଙ୍ଗାପଦା, ପ୍ରଶ୍‍ନାପୁର , ମଞେଶ୍ୱର ଓ ପାଇକରାପୁର ମୌଜାର ହଜାର ହଜାର ଏକର ଧାନ ଓ ପରିବା ଫସଲ ପାଣିରେ ବୁଡିରହିଛି। ମହାନଦୀର ବନ୍ୟାଜଳ ପାଇଁ ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି ପଞ୍ଚାୟତରେ ମଧ୍ୟ ଶହଶହ ଏକର ଧାନ ଓ ପରିବା ଫସଲ ପାଣିରେ ବୁଡି ରହିଛି। କଖଡି, ମହାଳପଡା, କାପ୍ତାବରାଇ, ଗୋପିନାଥପଡା ଓ ବିଦ୍ୟାଧରପୁର ଗାଁର କୃଷିକ୍ଷେତ୍ର ବନ୍ୟାଜଳରେ ବୁଡି ରହିଛି। ଏହାଦ୍ୱାରା ବ୍ୟାପକ ମାତ୍ରାରେ ଫସଲ ଉଜୁଡିଯିବାର ସମ୍ଭାବନା ଦେଖାଦେଇଛି। ଆସନ୍ତାକାଲି ବନ୍ୟାଜଳ ମୁଣ୍ଡଳୀରେ ପହଞ୍ଚିବାକୁ ଥିବାରୁ ସ୍ଥିତି ଅଧିକ ଗମ୍ଭୀର ହେବା ସମ୍ଭାବନା ରହିଛି।ପ୍ରଶାସନ ସ୍ତରରେ ଏବେସୁଦ୍ଧା ତତ୍ପରତା ପ୍ରକାଶ ପାଇନାହିଁ।

Comments are closed.