ବନ୍ୟାଜଳରେ ବୁଡି ବୃଦ୍ଧ ମୃତ

ବାଲିଚନ୍ଦ୍ରପୁର : ବଡଚଣା ବ୍ଲକ୍ ଅଣକା ପଞ୍ଚାୟତର ରାହାଳ ଗ୍ରାମର ଶ୍ୟାମସୁନ୍ଦର ବେହେରା(୬୨) ବୁଧବାର ବନ୍ୟାଜଳରେ ବୁଡିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ଶ୍ୟାମସୁନ୍ଦରଙ୍କ ସମେତ ଗ୍ରାମର ଅନ୍ୟ ପାଞ୍ଚ ଜଣ ରାମ ଚନ୍ଦ୍ର ସାହୁ(୬୨), ଫକିର ଚରଣ ଦାସ(୫୫), ମଇନ ମହାନ୍ତି(୬୩), ରମେଶ ଚନ୍ଦ୍ର ବେହେରା(୪୫) ଓ ଫତୁ ମହାନ୍ତି ପ୍ରମୁଖ ବୁଧବାର ସକାଳ ସମୟରେ ନିଜ ଚାଷ ଜମିକୁ ଦଳ ଛଡାଇବାକୁ ଯାଇଥିଲେ। ଦଳ ଛଡାଇବାକୁ ପହଁରି ପହଁରି ଯାଉଥିବାବେଳେ ଗାଁ ପାଟର ଖାଲୁଆ ସ୍ଥାନ ନିକଟରେ ଶ୍ୟାମ ସୁନ୍ଦର ଅସାବଧାନତାବସତଃ ପାଣିରେ ବୁଡିଯାଇଥିଲେ। ଦୂରରୁ ଥାଇ ଫତୁ ମହାନ୍ତି ଦେଖି ଗାଁ ଲୋକଙ୍କୁ ଡାକ ପକାଇଥିଲେ। ହେଲେ ଘଟଣାସ୍ଥଳଟି ଗାଁ ପାଖରୁ କିଛି ଦୂର ହୋଇଥିବାରୁ ଗ୍ରାମବାସୀ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ। ଖୋଜାଖୋଜି କରି ଶ୍ୟାମ ସୁନ୍ଦରଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଶ୍ୟାମସୁନ୍ଦରଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ସେଠାରେ ପହଞ୍ଚି ଏକ ଅପ ମୃତ୍ୟୁ ମାମଲା ରୁଜ୍ଜୁ କରିବା ସହ ବ୍ୟବଛେଦ ପାଇଁ ପଠାଇଥିଲେ।

Comments are closed.