ଚିକିଟିରେ କୃତ୍ରିମ ବନ୍ୟା, ଜବରଦଖଲ ହଟାଇବାକୁ ଦାବି

0

ଚିକିଟି: ଗଞ୍ଜାମ ଜିଲା ଚିକିଟି ତହସିଲ ଅନ୍ତର୍ଗତ ସୁରଲ ଜଙ୍କସନ ଠାରୁ ମାତ୍ର ଅଳ୍ପ ଦୂରରେ ଏକ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁନପୁର ମୁଖ୍ୟ ରାସ୍ତା ଉପରେ ଉପର ମୁଣ୍ଡର ଜଳ ନିଷ୍କାସନ ପାଇଁ ଏକ କଲଭର୍ଟ ନିର୍ମାଣ ହୋଇଥିଲା । ସେହି କଲଭର୍ଟ ନିକଟରେ ଜଣେ ବ୍ୟକ୍ତି ବିରାଟ ଅଟ୍ଟାଳିକା ନିର୍ମାଣ କରି ଦେବାରୁ ଉପର ମୁଣ୍ତର ଜଳ ନିଷ୍କାସନ ହୋଇ ନପାରି ବିଲରେ ଜମି ରହିଛି । ସବୁ ବିଲରେ ପାଣି ଜମି ରହିବା ଫଳରେ କୃତ୍ତିମ ବନ୍ୟା ପରିସ୍ଥିତି  ସୃଷ୍ଟି ହୋଇଛି । ଚାଷ ବିଲରେ ପାଣି ଜମି ରହି ଧାନ ଗଛ ପଚି ନଷ୍ଟ ହୋଇ ଯାଇଥିବା ବେଳେ ଜଳ ନିଷ୍କାସନକୁ ନେଇ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି ।

ସୂଚନାଯୋଗ୍ୟ, ଆଜି ସକାଳୁ ଏଭଳି ପରିସ୍ଥିତି ଦେଖି ଚାଷୀମାନେ ହତବାକ ହୋଇ ପଡିଥିଲେ । ଏଠାରେ ପୂର୍ବରୁ ଥିବା ନାଳକୁ ଜବର ଦଖଲ କରାଯାଇ ଥିବା ଅଭିଯୋଗ କରି ଚାଷୀମାନେ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତୁରନ୍ତ ଜଳ ନିଷ୍କାସନ ନହେଲେ ଫସଲ ଉଜୁଡ଼ି ଯିବାର ଆଶଙ୍କା କରାଯାଉଛି । ତେବେ ଏନେଇ ପ୍ରଶାସନ ପକ୍ଷରୁ କ’ଣ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।

Leave A Reply