ବନ୍ୟା ଯୋଗୁଁ ୬୪ବର୍ଷରେ ୧ଲକ୍ଷଙ୍କର ମୃତ୍ୟୁ ହେଲାଣି

0

ନୂଆଦିଲ୍ଲୀ : ବନ୍ୟାଯୋଗୁଁ ଦେଶରେ ପ୍ରାୟ ୧ଲକ୍ଷ ଲୋକଙ୍କର ମୃତ୍ୟୁ ହେଲାଣି ଓ ୮ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ନଷ୍ଟ ହେଲାଣି। ଏକ ସରକାରୀ ରିପୋର୍ଟ ଅନୁଯାୟୀ ବିଗତ ୬୪ବର୍ଷ ମଧ୍ୟରେ ଦେଶରେ ଏହି ଧନ ଓ ଜୀବନ ହାନି ହୋଇଛି। କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ, ନଦୀ ଉନ୍ନୟନ ଓ ଗଙ୍ଗା ପୁନର୍ଗଠନ ମନ୍ତ୍ରଣାଳୟର କହିବା ଅନୁଯାୟୀ ଏହି ସମୟ ମଧ୍ୟରେ ୨,୦୨,୪୭୪ କୋଟି ଟଙ୍କାର ସରକାରୀ ସମ୍ପତ୍ତି ଓ ୨୫.୬ କୋଟି ହେକ୍ଟର ଜମିରେ ପାଣି ମାଡି ୧,୦୯,୨୦୨ କୋଟି ଟଙ୍କାର ଫସଲ ନଷ୍ଟ ହୋଇଛି। ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ବନ୍ୟା ଯୋଗୁଁ ୧୬୫୪ ମଣିଷ, ୯୨, ୭୬୩ ପଶୁ ପ୍ରାଣ ହରାଉଛନ୍ତି। ସେହିପରି ପ୍ରତିବର୍ଷ ୧୬୮୦ କୋଟି ଟଙ୍କାର ୭୧.୬୯ଲକ୍ଷ ହେକ୍ଟର ଚାଷ ଜମି ବନ୍ୟା ଯୋଗୁଁ ନଷ୍ଟ ହେଉଛି ଓ ୧୨.୪୦ ଲକ୍ଷ ଘର ନଷ୍ଟ ହେଉଛି। ୧୯୭୭ରେ ସର୍ବାଧିକ ୧୧, ୩୧୬ ଲୋକ ଓ ୫ଲକ୍ଷ ଜୀବଜନ୍ତୁ ବନ୍ୟାରେ ପ୍ରାଣ ହରାଇଥିଲେ। ୧୯୫୩ରୁ ୨୦୧୭ ମଧ୍ୟରେ ୨୦୫.୮କୋଟି ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ରମଣ ମାଗାସେସେ ପୁରସ୍କାର ବିଜେତା ରାଜେନ୍ଦ୍ର ସିଂହଙ୍କ କହିବା ଅନୁଯାୟୀ ବନ୍ୟା ଓ ମରୁଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଉପଯୁକ୍ତ ଜଳ ପରିଚାଳନା ଯୋଗୁଁ ଏହି ସମସ୍ୟାକୁ ସମାଧାନ କରାଯାଇପାରିବ। ତେଣୁ ସରକାର ନଦୀବନ୍ଧ ନିର୍ମାଣ ଯୋଜନା ସମ୍ପର୍କରେ ଚିନ୍ତା କରିବା ଦରକାର।

Leave A Reply