ବନ୍ୟାରେ ବର୍ଷକର ଅମଳ ଧୋଇଯିବା ଆଶଙ୍କା; ୫ଦିନ ହେଲା ଶହଶହ ଏକର ଚାଷଜମିରେ ଲହଡି ମାରୁଛି ବନ୍ୟାପାଣି

ଆରଡି: ଚାନ୍ଦବାଲି ବ୍ଲକରେ ପ୍ରବାହିତ ହେଉଥିବା ବୈତରଣୀ ନଦୀରେ ଦେଖାଦେଇଥିବା ବନ୍ୟା ତଳମୁଣ୍ଡରେ ଅର୍ଥାତ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ୪ଟି ପଞ୍ଚାୟତରେ ସମାନ୍ୟ ବନ୍ୟାପାଣି କମିଛି। ହେଲେ ସୋମବାର ପୂର୍ଣ୍ଣିମା ତିଥି ଯାଇଥିବାରୁ ଜୁଆର ସମୟରେ ବନ୍ୟାପାଣି ନିଷ୍କାସନ ହେଉନାହିଁ। ଫଳରେ ୫ଦିନ ହେଲା ଶହଶହ ଏକର ଚାଷଜମିରେ ଲହଡି ଭାଙ୍ଗୁଛି ବନ୍ୟାପାଣି, ଯାହାକି ଧାନତଳି ପଚିଯିବା ସହ ବର୍ଷକର ଫସଲ ଉଜୁଡିଯିବ ବୋଲି ଚାଷୀ କହିଛନ୍ତି। ସେହିପରି ଏବେବି ଆଖଣ୍ଡଳମଣିତିହିଡିଚାନ୍ଦବାଲି ରାସ୍ତାରେ ୨ଦ୩ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ବନ୍ୟାଘେରରେ ଥିବା ବୋଡକ, ମୁଆଁ, ସନ୍ତରା, ଭୂଇଁପୁର, କୋଇଲିଖା ଆଦି ୧୪ଦ୧୫ ଗାଁର ଲୋକମାନେ ନିତ୍ୟ ବ୍ୟବହାର ଜିନିଷ ପତ୍ର ନେବା ଓ ମେଡିକାଲକୁ ଆସିବା ପାଇଁ ଆଣ୍ଠୁଏ ଅଣ୍ଟାଏ ପାଣିରେ ପଶି ଯାତାୟତ କରୁଛନ୍ତି। ବନ୍ୟାପାଣି ଛାଡିଥିଲେ ମଧ୍ୟ ବହୁ ନଳକୂପ ଭିତରେ ବନ୍ୟାପାଣି ପଶିଯାଇଥିବାରୁ ପିଇବାପାଣିର ସମସ୍ୟା ଦେଖାଦେଇଛି। ଉକ୍ତ ଅଞ୍ଚଳର ଲୋକମାନେ ପିଇବାପାଣି ପାଇଁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏବେ ତଳିଆ ଅଞ୍ଚଳରୁ ବନ୍ୟାପାଣି ଛାଡିଥିବାରୁ ବିପନ୍ନଙ୍କ ଦୁର୍ଦଶା ବଢିବାରେ ଲାଗିଛି। ଉଜୁଡାଘରକୁ ସଜାଡୁଛନ୍ତି ବିପନ୍ନମାନେ। ଗୃହପାଳିତ ପଶୁ ବିଲକୁ ଯାଇନପାରି ଦୀର୍ଘ ୫ଦିନ ହେବ ଗାଁ ଦାଣ୍ଡରେ ବନ୍ଧା ହୋଇ ରହିଛନ୍ତି। ଅନ୍ୟପଟେ ବନ୍ୟାଞ୍ଚଳର ସ୍ଥିତି ପରଖିବା ପାଇଁ ଜିଲା ପ୍ରଶାସନ, ଜଳସେଚନ ବିଭାଗୀୟ ଅଧିକାରୀ, କୃଷିବିଭାଗ ଓ ସ୍ଥାନୀୟ ବିଧାୟକ ଘନଘନ ଗସ୍ତ କରିବା ସହ ସମୀକ୍ଷା କରୁଛନ୍ତି।

Comments are closed.