ଲଘୁଚାପ ସକ୍ରିୟ; ଆସୁଛି ବନ୍ୟା

ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର  : ଉତ୍ତରପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେବା ଫଳରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ସକ୍ରିୟ ହେବା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଦିନ ତମାମ ବର୍ଷା ଲାଗିରହିଛି। ଲଘୁଚାପ ଘନୀଭୂତ ହୋଇଥିବାବେଳେ ଆଗାମୀ ଦୁଇ ଦିନ ରାଜ୍ୟର ପ୍ରାୟ ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ସହିତ ଉପକୂଳ ଅଞ୍ଚଳରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଏବଂ ୟେଲୋ ୱାର୍ନିଂ ଜାରି କରାଯାଇଛି।
ଆସନ୍ତାକାଲି ଓଡ଼ିଶାର ଉତ୍ତର ଉପକୂଳ, ମୟୂରଭଞ୍ଜ, ସୋନପୁର, କେନ୍ଦୁଝର ବଲାଙ୍ଗିର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୟାଗଡ଼ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡିରେ କିଛି ସ୍ଥାନରେ ଭୀଷଣ ବର୍ଷାର ସମ୍ଭାବନା ରହିଛି। ଏସବୁ ସ୍ଥାନରେ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବର୍ଷା ସମ୍ଭାବନାକୁ ଦେଖି ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହିପରି ଆସନ୍ତା ୧୪ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏସବୁ ଜିଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଯାଜପୁର, ଜଗତସିଂହପୁର, ଅନୁଗୋଳ ଓ ଢ଼େଙ୍କାନାଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ଘଣ୍ଟାରେ ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି।
ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାକୁ ୪୫କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆସନ୍ତା ୪୮ଘଣ୍ଟା ମଧ୍ୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ଆସନ୍ତା ୧୪ତାରିଖରେ ହୀରାକୁଦ ଫାଟକ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବାରୁ ମହାନଦୀ ସମେତ ଏହାର ଶାଖାନଦୀଗୁଡ଼ିକରେ ଜଳ ପ୍ରବାହ ବଢ଼ିବା ସହିତ ତଳମୁଣ୍ଡରେ ଅଧିକ ବର୍ଷା ହେଲେ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ବତନ୍ତ୍ର ବୁଲେଟିନ ପରିପ୍ରେକ୍ଷୀରେ ଏଥିପାଇଁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ସବୁ ଜିଲାପାଳଙ୍କୁ ନିର୍ଦେଶ ଜାରି କରିଛନ୍ତି। ଏସଆରସିଙ୍କ ପକ୍ଷରୁ ଜାରି ହୋଇଥିବା ସ୍ବତନ୍ତ୍ର ସତର୍କ ସୂଚନାରେ କୁହାଯାଇଛି ଯେ ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ସହିତ ବନ୍ୟା ପରିସ୍ଥିତି ଦେଖାଦେବାର ଆଶଙ୍କା ରହିଛି। ବର୍ଷା ଏବଂ ବନ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ସ୍ଥଳେ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ଖୁବ୍ ଜରୁରୀ। ଏଥିପାଇଁ ସମସ୍ତ ଆଶ୍ରୟସ୍ଥଳ ଓ ରିଲିଫ କ୍ୟାମ୍ପରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା କରିବା ସହିତ ପ୍ରଭାବିତ ଲୋକଙ୍କୁ ଜରୁରୀ କାଳୀନ ଭିତ୍ତିରେ ସହାୟତା ଯୋଗାଇବାକୁ କୁହାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ସେବା ବାହିନୀକୁ ପ୍ରସ୍ତୁତ ରଖିବା ଏବଂ ଓଡ଼୍ରାଫ ଟିମର ଆବଶ୍ୟକତା ଥିଲେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ତୁରନ୍ତ ଉଦ୍ଧାର ଓ ସ୍ଥାନାନ୍ତର ପାଇଁ ବିଭିନ୍ନ ବିଭାଗ ସଜାଗ ରହିବା ଜରୁରୀ। ବର୍ଷା କିମ୍ବା ବନ୍ୟା ପ୍ରଭାବରେ ବୁଡ଼ିଯିବାର ସମ୍ଭାବନା ଥିବା ରାସ୍ତାଗୁଡ଼ିକରେ ଯାତାୟାତ ବନ୍ଦ ରଖିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ସମସ୍ତ ଜିଲା ଜରୁରୀ କାଳୀନ ନିୟନ୍ତ୍ରଣ କକ୍ଷ ୨୪ଘଣ୍ଟା ଖୋଲା ରଖିବା ଏବଂ ପରିସ୍ଥିତି ସମ୍ପର୍କରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ସୂଚନା ଦେବା ନିମନ୍ତେ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।
ଲଘୁଚାପ ପ୍ରଭାବରେ ଗତ ୨୪ଘଣ୍ଟା ମଧ୍ୟରେ ଟିଟିଲାଗଡ଼ରେ ସର୍ବାଧିକ ୧୧୪ମିମି ବର୍ଷା ରେକର୍ଡ଼ ହୋଇଛି। ଏହାବ୍ୟତୀତ ଫୁଲବାଣୀରେ ୧୦୯, ବଲାଙ୍ଗୀରରେ ୮୬, ଦାରିଙ୍ଗବାଡ଼ିରେ ୫୪, କଟକରେ ୬୯, ସୋନପୁରରେ ୬୮, ଭବାନିପାଟଣାରେ ୬୬, ଚାନ୍ଦବାଲିରେ ୬୧, ଝାରସୁଗୁଡ଼ାରେ ୪୭, ପୁରୀ​​‌ରେ ୪୬, ପାରାଦ୍ବୀପରେ ୩୯ ମିମି ବର୍ଷା ହୋଇଛି।

Comments are closed.