କେରଳ ବନ୍ୟାରେ ୮ ହଜାର କୋଟି ଟଙ୍କାର କ୍ଷତି

0

କୋଚି: କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ୮ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନ କରଯାଇଛି। ୧୩ଟି ଜିଲାରେ ପୁଣି ଥରେ ରେଡ୍‍ ଆଲର୍ଟ ଜାରି କରାଯାଇଛି। ଜଳ, ସ୍ଥଳ ଓ ବାୟୁସେନା ବାହିନୀ, ଏନ୍‍ଡିଆରଏଫ୍‍ ଟିମ୍‍ ଓ ସ୍ୱେଚ୍ଛାସେବୀ ସଂଗଠନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ପର୍ଯ୍ୟାପ୍ତ ପରିମାଣରେ ରିଲିଫ୍‍ ଓ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍‍ ବଣ୍ଟାଯାଉଛି। ଏଥିପାଇଁ ଦୁଇଟି ହେଲିକୋପ୍ଟର ଓ ୨୦ଟି ବୋଟ୍‍ ନିୟୋଜିତ କରାଯାଇଛି। ଅପରପକ୍ଷରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଗଷ୍ଟ ୮ ତାରିଖରୁ ଏ ପର୍ଯ୍ୟନ୍ତ ବନ୍ୟା ଓ କାନ୍ଥ ପଡ଼ି ୧୬୪ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। କେରଳର ରାଜଧାନୀକୁ ବନ୍ୟା ଜଳ ଛୁଇଁ ପାରିନ ଥିବାରୁ ସେଠାରେ ଅଧିକ ସଂଖ୍ୟକ ଆଶ୍ରୟସ୍ଥଳ ଖୋଲାଯାଇଛି।
ମୁଖ୍ୟମନ୍ତ୍ରୀ ପି ବିଜୟନ୍‍ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ, ବନ୍ୟା ବିପନ୍ନଙ୍କ ଥଇଥାନ ଓ ଆଶ୍ରୟ ପାଇଁ ୧,୫୬୮ଟି ଆଶ୍ରୟସ୍ଥଳ ଖୋଲାଯାଇଛି। ସେଠାରେ ୨, ୨୩,୦୦୦ ଲୋକଙ୍କୁ ରଖାଯାଇଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‍ କଲେଜ୍‍ ବନ୍ଦ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ଫଣ୍ଡକୁ ଦାନ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ବନ୍ୟା ବିପନ୍ନଙ୍କୁ ଉଦ୍ଧାର ଓ ପ୍ରତିକାର ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ରିପୋର୍ଟ ଦେବା ପାଇଁ କେରଳ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି।

Leave A Reply