ଫ୍ଲିପ୍‍କାର୍ଟ ଡେଲିଭରି ବୟଠାରୁ ଲୁଟ୍‍ପାଟ୍‍

ଭୁବନେଶ୍ୱର: ସହିଦନଗର ଥାନା ଅଧୀନ ପଥରବନ୍ଧ ବସ୍ତିରେ ଶନିବାର ଅପରାହ୍ଣରେ ଜଣେ ଫ୍ଲିପ୍‍କାର୍ଟ ଡେଲିଭରି ବୟ ଭାବେ କାମ କରୁଥିବା ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ନାମକ ଜଣେ ଯୁବକଙ୍କୁ କିଛି ଅସାମାଜିକ ସଂଘବଦ୍ଧ ଭାବେ ଆକ୍ରମଣ କରି ୫ଟି ଦାମୀ ମୋବାଇଲ୍‍ ଫୋନ୍‍ ଛଡ଼ାଇ ନେଇଛନ୍ତି। ପୂର୍ଣ୍ଣଚନ୍ଦ୍ର ଥାନାରେ କରିିଥିବା ଅଭିଯୋଗ ମୁତାବକ ସେ ଭିଏସ୍‍ଏସ୍‍ନଗର ଅଞ୍ଚଳରୁ ଫେରୁଥିବାବେଳେ ପଥରବନ୍ଧ ବସ୍ତି ନିକଟରେ ୩ ଜଣ ଯୁବକ ତାଙ୍କ ବାଟ ଓଗାଳିଥିଲେ। ତାଙ୍କୁ ମାଡ଼ ମାରିବା ସହ ବ୍ୟାଗ୍‍ରେ ଥିବା ୫ଟି ମୋବାଇଲ୍‍ ଫୋନ୍‍ ପ୍ୟାକେଟ୍‍ ନେଇ ଯାଇଥିଲେ। ଯାହାର ମୂଲ୍ୟ ୫୫,୦୦୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅନ୍ୟାନ୍ୟ ପ୍ୟାକେଟ୍‍କୁ କାଢ଼ି ଫିଙ୍ଗି ଦେଇଥିଲେ। ତେବେ ପୂର୍ଣ୍ଣଚନ୍ଦ୍ରଙ୍କ ସହିତ ଥିବା ବିକ୍ରମ ବେହେରା ନାମକ ଅନ୍ୟ ଜଣେ ଯୁବକ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ସେମାନେ ଆଖପାଖ ଲୋକଙ୍କଠାରୁ ପଚରାଉଚରା କରିବା ପରେ ଜଣେ ଯୁବକଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ। ୩ ଆକ୍ରମଣ ଯୁବକଙ୍କ ମଧ୍ୟରେ ଜଣଙ୍କୁ ଚିହ୍ନଟ କରିଥିଲେ। ରାତି ସୁଦ୍ଧା ୩ ଯୁବକଙ୍କର କୌଣସି ପତ୍ତା ମିଳିପାରିନାହିଁ। ତେବେ ଏସମ୍ପର୍କରେ ସହିଦନଗର ଥାନା ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି, ପୂର୍ଣ୍ଣଚନ୍ଦ୍ର ଉକ୍ତ ବସ୍ତିରେ ରହୁଛନ୍ତି। ତେବେ ବସ୍ତିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ସେପଟେ ଫେରୁଥିଲେ। ତେବେ ୩ ଜଣ ଯୁବକ ଏହାର ସୁଯୋଗ ନେଇ ତାଙ୍କୁ ମାଡ଼ ମାରି ସାମଗ୍ରୀ ଛଡ଼ାଇ ନେଇଛନ୍ତି। ଉକ୍ତ ଯୁବକମାନଙ୍କ ସମ୍ପର୍କରେ ସୂଚନା ମିଳିଛି। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

Comments are closed.