ରୁଟ୍‌ଙ୍କ ଦ୍ବିଶତକ ପରେ ଅମିତାଭଙ୍କ ୫ ବର୍ଷ ପୁରୁଣା ଟ୍ବିଟ୍‌ର ଜବାବ ଦେଲେ ଫ୍ଲିଣ୍ଟଫ

ଲଣ୍ଡନ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଯେତେବେଳେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୁଏ, ତାହାର ଜୋଶ୍‌ କେବଳ ଖେଳାଳିଙ୍କ ମଧ୍ୟରେ ନୁହେଁ, ପ୍ରଶଂସକଙ୍କ ମଧ୍ୟରେ ବି ଦେଖିବାକୁ ମିଳିଥାଏ। ପଡ଼ିଆରେ ଖେଳାଳିମାନେ ବଲ୍‌ ଓ ବ୍ୟାଟ୍‌ରେ ଜବାବ ଦେଉଥିବାବେଳେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ବାକ୍‌ବିତଣ୍ଡା ଚାଲିଥାଏ। ଚେନ୍ନାଇରେ ଚାଲିଥିବା ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ଦ୍ବିଶତକ ପରେ ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି।

ଫ୍ଲିଣ୍ଟଫ କେବଳ ଉତ୍ସାହିତ ହୋଇନାହାନ୍ତି, ବରଂ ତାଙ୍କ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ ୫ ବର୍ଷ ପୁରୁଣା ଏକ ଟ୍ବିଟ୍‌ର ଜବାବ ମଧ୍ୟ ଦେଇଛନ୍ତି। କଥା ହେଉଛି, ୨୦୧୬ରେ ଯେତେବେଳେ ଇଂଲଣ୍ଡ ଟିମ୍‌ ଭାରତ ଗସ୍ତରେ ଆସିଥିଲା, ସେତେବେଳେ ଅମିତାଭ ବଚ୍ଚନ ଏକ ଟ୍ବିଟ୍‌ କରିଥିଲେ। ସେ ବିରାଟ କୋହଲି, ଜୋ ରୁଟ୍‌ ଏବଂ ଫ୍ଲିଣ୍ଟଫଙ୍କୁ ଟ୍ୟାଗ୍‌ କରି ଲେଖିଥିଲେ, ରୁଟ୍‌ କିଏ ? ରୁଟ୍‌ଙ୍କୁ ମୂଳରୁ ଉପାଡ଼ିଦେବୁ। ସୂଚନାଯୋଗ୍ୟ, ସେତେବେଳେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ୪-୦ରେ ପରାଜିତ ହୋଇଥିଲା।

ଚେନ୍ନାଇ ଟେଷ୍ଟରେ ରୁଟ୍‌ ଦ୍ବିଶତକ ହାସଲ କରିବା ପରେ ଫ୍ଲିଣ୍ଟଫ ଅମିତାଭଙ୍କୁ ଜବାବ ଦେଇଛନ୍ତି। ତାଙ୍କ ଜବାବରୁ ଜଣାପଡ଼ୁଛି ଯେ, ସେ ଏହି ଦିନକୁ ବୋଧହୁଏ ଅପେକ୍ଷା କରି ରହିଥିଲେ। ଫ୍ଲିଣ୍ଟଫ ଅମିତାଭଙ୍କ ସେହି ପୁରୁଣା ଟ୍ବିଟ୍‌କୁ ରିଟ୍ବିଟ୍‌ କରିଛନ୍ତି। ଏହା ଉପରେ ଜଣେ ପ୍ରଶଂସକ ଉତ୍ତର ଦେଇ କହିଛନ୍ତି, ଆପଣ ୫ବର୍ଷ ପୁରୁଣା ଟ୍ବିଟ୍‌କୁ ଖୋଜି ବାହାର କରି ଭଲ କାମ କରିଛନ୍ତି। ଏହାର ଉତ୍ତରରେ ଫ୍ଲିଣ୍ଟଫ କହିଛନ୍ତି, ସେଭଳି କିଛି ନାହିଁ, ମୁଁ ଏହାକୁ ମନୋରଞ୍ଜନ ଉଦ୍ଦେଶ୍ୟରେ କରିଛି। ଆଶା କରୁଛି ଅମିତାଭ ବଚ୍ଚନଙ୍କୁ ବି ଏପରି ଅନୁଭବ ହେବ।

Comments are closed.