ଚନ୍ଦ୍ର, ତାରା ସମ୍ବଳିତ ସବୁଜ ପତାକା ନିଷେଧ ନେଇ ଜବାବ ଲୋଡ଼ିଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଚନ୍ଦ୍ର ଏବଂ ତାରା ଚିହ୍ନ ସମ୍ବଳିତ ସବୁଜ ପତାକାକୁ ସମଗ୍ର ଭାରତରେ ନିଷେଧ କରିବା ଲାଗି ହୋଇଥିବା ଜନସ୍ୱାର୍ଥ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ସମ୍ମତି ପ୍ରକାଶ କରିଛନ୍ତି। ଏ ସମ୍ବନ୍ଧରେ ଏକ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କ ମତାମତ ସମ୍ବଳିତ ସତ୍ୟପାଠ ଦାଖଲ କରିବାକୁ ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ତୁଷାର ମେହତାଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶର ସିହା ୱାକଫ୍‍ ବୋର୍ଡ ଅଧ୍ୟକ୍ଷ ୱାସିମ ରିଜୱି ଏପ୍ରିଲ ୧୭ରେ ଏହି ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଆବେଦନରେ ସେ ଦର୍ଶାଇଥିଲେ ଯେ ପାକିସ୍ତାନ ଜାତୀୟ ପତାକା ସହିତ ଏହି ପତାକାର ସାମଞ୍ଜସ୍ୟ ରହୁଛି। କିଛି ମୌଲବି ତ୍ରୁଟିପୂର୍ଣ୍ଣ ଭାବେ ଏହି ପତାକାକୁ ଇସ୍‍ଲାମ ସହିତ ଯୋଡିଦେଇଛନ୍ତି; ମାତ୍ର ବାସ୍ତବରେ ଇସ୍‍ଲାମ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଏହି ପତାକା ଯୋଗୁ ଅନେକ ସମୟରେ ସାମ୍ପ୍ରଦାୟିକ ଦଙ୍ଗା ବ୍ୟାପୁଥିବାରୁ ଏହାକୁ ତୁରନ୍ତ ନିଷେଧ କରିବା ଆବଶ୍ୟକ। ରିଜୱି ଆହୁରି ଦର୍ଶାଇଛନ୍ତି ଯେ ଏହି ପତାକାର ପ୍ରଚଳନ ସର୍ବପ୍ରଥମେ ଅଲ୍‍ ଇଣ୍ଡିଆ ମୁସ୍‍ଲିମ୍‍ ଲିଗ୍‍ ଦ୍ୱାରା ଆରମ୍ଭ ହୋଇଥିଲା। ୧୯୦୬ରେ ନୱାଜ୍‍ ୱାକର ଉଲ୍‍-ମଲ୍ଲିକ୍‍ ଏବଂ ମହମ୍ମଦ ଅଲ୍ଲୀ ଜିନ୍ନା ଢାକାଠାରେ ଏହି ପାର୍ଟିର ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ ସମୟରେ ଭାରତୀୟ ମୁସଲମାନମାନେ ଏହାକୁ ଏକ ଇସ୍‍ଲାମ ପତାକା ଭାବେ ବ୍ୟବହାର କରୁଛନ୍ତି।

Leave A Reply