ହାଥରସ୍‌ ଗଣବଳାତ୍କାର ଓ ହତ୍ୟା ଘଟଣା; ଏସ୍‌ପି, ଡିଏସ୍‌ପି, ଇନ୍ସପେକ୍ଟର ନିଲମ୍ବିତ

ନୂଆଦିଲ୍ଲୀ :ଉତ୍ତରପ୍ରଦେଶ ହାଥରସ୍‌ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ବିରୋଧ କରି ଶୁକ୍ରବାର ଦିଲ୍ଲୀର ଜନ୍ତରମନ୍ତରରେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୀଡିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଏହି ବିକ୍ଷୋଭରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଭୀମ ଆର୍ମି ​‌ମୁଖ୍ୟ ଚନ୍ଦ୍ରଶେଖର ଆଜାଦ, ସିପିଆଇ ନେତା ଡି ରାଜା, ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ବ୍ରିନ୍ଦା କାରାତ ପ୍ରମୁଖ ସାମିଲ ହୋଇଛନ୍ତି। ପ୍ରଥମେ ଏହି ବିକ୍ଷୋଭକୁ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଆୟୋଜନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା; ମାତ୍ର ପୁଲିସ ଏଥିପାଇଁ ଅନୁମତି ଦେଇ ନଥିଲା। ଇଣ୍ଡିଆ ଗେଟ୍ ନିକଟରେ ପ୍ରଶାସନ ୧୪୪ ଧାରା ଜାରି କରିବା ପରେ ବିକ୍ଷୋଭ କାର୍ଯ୍ୟକ୍ରମ ଜନ୍ତରମନ୍ତରକୁ ସ୍ଥାନାନ୍ତର କରାଯାଇଥିଲା।
ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାର ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମାମଲାକୁ ପରିଚାଳନାରେ ବିଫଳତା ପାଇଁ ମୁଖ୍ୟମନ୍ତ୍ରୀ ହାଥରସ ଜିଲା ପୁଲିସ ଅଧୀକ୍ଷକ (ଏସପି) ବିକ୍ରାନ୍ତ ବୀର, ପୁଲିସ ଉପ ଅଧୀକ୍ଷକ (ଡିଏସପି) ରାମ ସବଦ, ଇନ୍ସପେକ୍ଟର ଦୀନେଶ କୁମାର ବର୍ମା, ସବ୍‌ ଇନ୍ସପେକ୍ଟର ଜାଗବୀର ସିଂହ ଓ ହେଡ କନଷ୍ଟେବଳ ମହେଶ ପାଲଙ୍କୁ ନିଲମ୍ବନ କରିଛନ୍ତି। ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ଏହି ଅଧିକାରୀମାନେ ମାମଲାକୁ ପରିଚାଳନା କରିବାରେ ବିଫଳ ହୋଇଛନ୍ତି। ଏହି ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ ସେମାନଙ୍କ ନାର୍କୋ ପଲିଗ୍ରାଫ ଟେଷ୍ଟ କରାଯିବ।
କେଜରିୱାଲ କହିଛନ୍ତି ଯେ ଘଟଣାର ସମ୍ପୃକ୍ତି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର। କେତେକ ଲୋକ ଭାବୁଛନ୍ତି ଯେ ଦୋଷୀଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ ହେଉଛି। ଏପରି ଭାବନା ଭୁଲ। ଘଟଣାକୁ ନେଇ କୌଣସି ପ୍ରକାର ରାଜନୀତି ହେବା ଉଚିତ ନୁହେଁ। ଦେଶର କୌଣସି ସ୍ଥାନରେ ମହିଳା ବିରୋଧୀ ହିଂସା ଘଟିବା ଠିକ୍ ନୁହେଁ। ବର୍ତ୍ତମାନ ସମୟରେ ପୀଡିତାଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବା ଦରକାର। ସେହିପରି ସୀତାରାମ ୟେଚୁରୀ କହିଛନ୍ତି ଯେ ହାଥରସ୍ ଗଣବଳାତ୍କାର ଘଟଣା ପରେ ଉତ୍ତରପ୍ରଦେଶ ସରକାର କ୍ଷମତାର ରହିବାର ଅଧିକାର ହରାଇଛନ୍ତି। ପୀଡିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଆମର ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି। ସେହିପରି ଆଜାଦ କହିଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ। ପୂର୍ବରୁ ଆଜାଦ ଏକ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦଳିତଙ୍କ ପାଦ ଧୋଇଥିଲେ। ଏବେ ଦଳିତଙ୍କ ଉପରେ ନିର୍ଯାତନା ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନିରବ ବସିଛନ୍ତି। ହାଥରସ୍ ଗଣବଳାତ୍କାର ଘଟଣାକୁ ନେଇ ଦିଲ୍ଲୀର ବାଲ୍ମକୀ ମନ୍ଦିରରେ କଂଗ୍ରେସ ପକ୍ଷରୁ ଏକ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା। ଏହି ପ୍ରାର୍ଥନା ସଭାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଭଦ୍ରା ଓ ରାହୁଲ ଗାନ୍ଧୀ ଉପସ୍ଥିତ ରହିଥିଲେ। ପ୍ରିୟଙ୍କା କହିଛନ୍ତି ଯେ ପୀଡିତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆମେ ଏଠାରେ ଏକାଠି ହୋଇଛୁ। ଆମର ଭଉଣୀକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ। ହାଥରସ ଘଟଣାରେ ସରକାର ଯେଉଁ ଅନ୍ୟାୟ କରିଛନ୍ତି ସେଥିପାଇଁ ଦେଶବ୍ୟାପୀ ସ୍ବର ଉତ୍ତୋଳନ କରିବାକୁ ପ୍ରିୟଙ୍କା ସମସ୍ତ ମହିଳାଙ୍କୁ ନିବେଦନ କରିଛନ୍ତି। ଶୁକ୍ରବାର ପୀଡିତାଙ୍କ ପରିବାରକୁ ଭେଟିବା ଲାଗି ତ୍ରୁଣମୂଳ କଂଗ୍ରେସ ନେତା ଡେରେକ ଓବ୍ରାଏନ ହାଥରସ୍ ଯାଇଥିବାବେଳେ ପୁଲିସ ତାଙ୍କୁ ଅଟକାଇଥିଲା। ପୀଡିତାଙ୍କ ପରିବାର ଠାରୁ ଦେଢ କିମି ଦୂରରୁ ଓବ୍ରାଏନଙ୍କୁ ପୁଲିସ ଅଟକାଇବା ସହିତ ଠେଲାପେଲା କରିଥିବା ଅଭିଯୋଗ ହୋଇଛି।
ହାଥରସ୍ ଗଣବଳାତ୍କାର ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜୋର ଧରିଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁହଁ ଖୋଲିଛନ୍ତି। ଶୁକ୍ରବାର ଆଦିତ୍ୟନାଥ କହିଛନ୍ତି ଯେ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ଯେ ଉତ୍ତରପ୍ରଦେଶ ସରକାର ରାଜ୍ୟର ପ୍ରତିଟି ମା’ ଓ ଭଉଣୀଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ଗୁରୁବାର ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରାଙ୍କୁ ଅଟକ ରଖାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଛି। ତେବେ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ରାଜନେତା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ଦେବା ଲାଗି ବିଜେପି ନେତ୍ରୀ ଉମା ଭାରତୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୪ ତାରିଖରେ ଦଳିତ ବର୍ଗର ଜଣେ ଯୁବତୀ (୧୯)ଙ୍କୁ ଉଚ୍ଚବର୍ଗର ୪ଜଣ ଯୁବକ ଗଣବଳାତ୍କାର କରିଥିଲେ। ବଳାତ୍କାର ପରେ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ପୀଡିତା ଜଣଙ୍କ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।

Comments are closed.