ଟ୍ରେନ୍‍ରେ କଟି ୫ ମୃତ, ୬ ଗୁରୁତର

0

ପାଟନା : ବିହାର କାଇମୁର ଜିଲା ଭବୁଆ ରେଳ ଷ୍ଟେସନ୍‍ରେ ଶୁକ୍ରବାର ସନ୍ଧ୍ୟାରେ ରେଳରେ କଟି ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟା ସାଢେ ୫ଟା ବେଳେ ଭବୁଆ ରେଳ ଷ୍ଟେସନ୍‍ରେ ବାରାଣାସୀ-ରାଞ୍ଚି ଇଣ୍ଟରସିଟି ଏକ୍ସପ୍ରେସ୍‍ ରେଳ ପହଞ୍ଚିଥିଲା। ଲୋକଙ୍କ ଭିଡ଼କୁ ଦେଖି କିଛି ଲୋକ ପ୍ଲାଟ୍‍ଫର୍ମରେ ନଓହ୍ଲାଇ ଅନ୍ୟ ପଟେ ରେଳ ଧାରଣାକୁ ଓହ୍ଲାଇ ପଡିଥିଲେ। ସେମାନେ ରେଳ ଧାରଣା ଦେଇ ଅନ୍ୟପଟର ପ୍ଲାଟଫର୍ମକୁ ଯିବାକୁ ଚେଷ୍ଟା କରୁଥିବାବେଳେ ସେହି ରେଳ ଧାରଣାରେ ଆସୁଥିବା ଲାଲକୁନ୍‍ ଏକ୍ସପ୍ରେସ୍‍ରେ କଟିଯାଇଥିଲେ। ଦୁର୍ଘଟଣା ଯୋଗୁଁ ରେଳ ଚଳାଚଳ କିଛି ସମୟ ବ୍ୟାହତ ହୋଇଥିଲା ଓ କିଛି ରେଳ ବିଳମ୍ବରେ ପ୍ଲାଟଫର୍ମ ଛାଡ଼ିଥିଲା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ଲାଟଫର୍ମରେ ଥିବା ଓଭରବ୍ରିଜ୍‍କୁ ବ୍ୟବହାର ନ କରି ଲୋକେ ରେଳ ଧାରଣା ଦେଇ ଯାତାୟତ କରୁଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply