ଅପହରଣକାରୀଙ୍କ କବଳରୁ ଓଡ଼ିଆ ନାବିକଙ୍କ ସମେତ ୫ଜଣ ଭାରତୀୟ ମୁକ୍ତ

ନୂଆଦିଲ୍ଲୀ : ଚଳିତ ବର୍ଷ ଅପ୍ରେଲ ୧୯ରୁ ଅପହରଣକାରୀଙ୍କ କବଳରେ ବନ୍ଧକ ଥିବା ଓଡ଼ିଆ ନାବିକ ପ୍ରଦୀପ୍ତ କୁମାର ଚୌଧୁରୀଙ୍କ ସମେତ ୫ ଜଣ ଭାରତୀୟଙ୍କୁ ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟର ସୂଚନା ଅନୁଯାୟୀ ନାଇଜେରିଆର ଲାଗୋସରୁ ଅପହୃତ ଏହି ଜାହଜର ବନ୍ଧକଙ୍କୁ ନାଇଜେରିଆ ମାରିଟାଇମ ଆଡମିନିଷ୍ଟ୍ରେସନ ଓ ସେଫଟି ଏଜେନ୍ସି, ନାଇଜେରିଆ ପୋଲିସ ଓ ନାଇଜେରିଆ ନୈବାହିନୀର ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଏମାନଙ୍କୁ ନାଇଜେରିଆ ଆବୁଜା ସ୍ଥିତ ଭାରତୀୟ ଦୁତାବାସର କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା। ମୁକ୍ତି ପାଇଥିବା ନାବିକଙ୍କ ମଧ୍ୟରେ ଓଡ଼ିଆ ନାବିକ ଶ୍ରୀ ଚୌଧୁରୀଙ୍କ ସମେତ ହରିଆଣାର ଅଙ୍କିତ ହୋଡା, ମହାରାଷ୍ଟ୍ରର ଚିରାଗ ଯାଦବ, ଆନ୍ଧ୍ର ପ୍ରଦେଶର ଅଭିନାଶ ରେଡ୍ଡି ଓ ମୁଗୁ ରବି ଅଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ମାସ ଜୁନ ୧୩ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବନ୍ଧକଙ୍କୁ ମୁକୁଳାଇବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ସଂଯୁକ୍ତ ଆରବ ଏମିରେଟରେ କାମ କରିବାକୁ ଯାଇ ଫସି ରହିଥିବା ୧୦ ଜଣ ଓଡ଼ିଆଙ୍କୁ ଗତ ମଙ୍ଗଳବାର ଦିନ ସ୍ୱଦେଶ ଫେରାଇ ଆଣିବା ପରେ ସପ୍ତାହକ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଯୋଗୁଁ ଓଡ଼ିଆ ନାବିକ ପ୍ରଦୀପ୍ତ କୁମାର ଚୌଧୁରୀ ବନ୍ଧକଙ୍କ କବଳରୁ ମୁକ୍ତି ପାଇଛନ୍ତି।

Comments are closed.