ପାଞ୍ଚ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ

0

ନୂଆଦିଲ୍ଲୀ : ଦେଶର ୫ଟି ହାଇକୋର୍ଟରେ ବୁଧବାର ନୂଆ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତ ମିଳିଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ୱାଧୀନ କଲେଜିୟମ୍‍ ସୁପାରିସ ଅନୁଯାୟୀ ବମ୍ବେ, କଲକାତା, ଉତ୍ତରାଖଣ୍ଡ, ଗୁଆହାଟି, ସିକିମ୍‍ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ବୁଧବାର କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି। ବରିଷ୍ଠ ବିଚାରପତି ଜଷ୍ଟିସ୍‍ ଏନରେଶ ହରିଶ୍ଚନ୍ଦ୍ର ପାଟିଲଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ସେହିପରି କଲକାତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଦେବାଶିଷ କର ଗୁପ୍ତାଙ୍କୁ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ରମେଶ ରଙ୍ଗନାଥନଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ମିଳିଛି। କର୍ଣ୍ଣାଟକର ବରିଷ୍ଠ ବିଚାରପତି ଜଷ୍ଟିସ ଏଏସ୍‍ ବୋପାନାଙ୍କୁ ଗୁଆହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ଦିଆଯାଇଛି। ଉତ୍ତରାଖଣ୍ଡର ବରିଷ୍ଠ ବିଚାରପତି ଜଷ୍ଟିସ ବିଜୟ କୁମାର ବିଷ୍ଟଙ୍କୁ ସିକିମ୍‍ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ମିଳିଛି। ଏହି ନୂଆ ନିଯୁକ୍ତି ସହ ଦେଶର ସମସ୍ତ ୨୪ ହାଇକୋର୍ଟରେ ମୁଖ୍ୟ ବିଚାରପତି ପଦ ପୂର୍ଣ୍ଣ ହୋଇଛି।
ଗତ ବର୍ଷ ଡିସେମ୍ବରରେ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ୍‍ ମଞ୍ଜୁଳା ଚେଲୁର ଅବସର ନେବା ପରଠାରୁ ଏହି ପଦ ଖାଲି ପଡ଼ିଥିଲା। ଏହି ପଦରେ ଜଷ୍ଟିସ୍‍ ଏନ୍‍.ଏଚ୍‍ ପାଟିଲଙ୍କୁ ଅବସ୍ଥାପିତ କରାଯାଇଛି। ସେ ଆସନ୍ତା ବର୍ଷ ଏପ୍ରିଲ ମାସରେ ଅବସର ଗ୍ରହଣ କରିବେ।
କଲକାତା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ଡିକେ ଗୁପ୍ତାଙ୍କୁ ମୁଖ୍ୟ ବିଚାରପତି ପଦକୁ ପଦୋନ୍ନତି ମିଳିଛି। କଳକତା ହାଇକୋର୍ଟ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ୍‍ ଜ୍ୟୋର୍ତିମୟୀ ଭଟ୍ଟାଚାର୍ଯ୍ୟ ଅବସର ନେବା ପରେ ଏହି ପଦ ଖାଲି ପଡ଼ିଥିଲା। ଜଷ୍ଟିସ ଡିକେ ଗୁପ୍ତା ଚଳିତ ବର୍ଷ ଡିସେମ୍ବର ମାସରେ ଅବସର ନେବେ।
ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ବରିଷ୍ଠ ବିଚାରପତି ଜଷ୍ଟିସ ରମେଶ ରଙ୍ଗନାଥନଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ମିଳିଛି। ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‍ କେଏମ୍‍ ଯୋଶେଫ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇବା ପରଠାରୁ ଏହି ପଦ ଖାଲି ପଡ଼ିଥିଲା। ରଙ୍ଗନାଥନ ଆସନ୍ତା ବର୍ଷ ଜାନୁଆରୀ ମାସରେ ଅବସର ଗ୍ରହଣ କରିବେ।
କର୍ଣ୍ଣାଟକର ବରିଷ୍ଠ ବିଚାରପତି ଜଷ୍ଟିସ ଏଏସ୍‍ ବୋପାନାଙ୍କୁ ଗୁଆହାଟି ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ଦିଆଯାଇଛି। ଗୁଆହାଟି ହାଇକୋର୍ଟ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ୍‍ ଅଜିତ ସିଂ ଅବସର ନେବା ପରଠାରୁ ଏହି ପଦ ଖାଲି ପଡ଼ିଥିଲା।
ଅନୁରୂପ ଭାବେ ଉତ୍ତରାଖଣ୍ଡର ବରିଷ୍ଠ ବିଚାରପତି ଜଷ୍ଟିସ ବିଜୟ କୁମାର ବିଷ୍ଟଙ୍କୁ ସିକିମ୍‍ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ମିଳିଛି। ସିକିମ୍‍ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ୍‍ ଏସ୍‍.କେ ଅଗ୍ନିହୋତ୍ରୀ ଅବସର ସେବା ପରଠାରୁ ଏହି ପଦ ଖାଲି ପଡ଼ିଥିଲା।
ଉଲ୍ଲେଖ ଯେ ଅବସରକୁ ଏକ ବର୍ଷ କିମ୍ବା ତାଠାରୁ କମ୍‍ ସମୟ ଥିଲେ ହାଇକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କୁ ସେହି ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ଦେବା ପାଇଁ ଥିବା (ଏମ୍‍ଓପି) ଅନୁସାରେ କଲେଜିୟମ ପକ୍ଷରୁ ଏହି ସୁପାରିସ୍‍ କରାଯାଇଥିଲା।

Leave A Reply