ଦିଲ୍ଲୀ: ଗୋଟିଏ ଘରୁ ମିଳିଲା ୫ ମୃତଦେହ, ୩ ପିଲାଙ୍କ ସମେତ ବାପା-ମା’ ସାମିଲ  

ନୂଆଦିଲ୍ଲୀ: ଦିଲ୍ଲୀର ଭଜନପୁରା ଅଞ୍ଚଳରେ ଏକ ଘର ମଧ୍ୟରୁ ୫ ଜଣଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଛି। ତିନି ଜଣ ପିଲାଙ୍କ ସମେତ ବାପା ଓ ମା’ଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ଶମ୍ଭୁନାଥ (୪୩), ସୁନୀତା (୩୮), ଶିଭମ (୧୭), ସଚିନ (୧୪) ଏବଂ କୋମଳ (୧୨)। ଭଜନପୁରା ଅଞ୍ଚଳରେ ଶମ୍ଭୁନାଥଙ୍କ ପରିବାର ଭଡାରେ ରହୁଥିଲେ।

ପୁଲିସ ସୂଚନା ଅନୁଯାୟୀ, ବୁଧବାର ଦିନ ସାଢେ ୧୧ଟାରେ ଏନେଇ ଖବର ମିଳିଥିଲା। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଘରର କବାଟ ଭିତର ପଟରୁ ବନ୍ଦ ଥିଲା। ପୁଲିସ କବାଟ ଭାଙ୍ଗି ଘର ମଧ୍ୟକୁ ପସିଥିଲା। ଘରେ ଜିନିଷପତ୍ର ଖେଳାଇ ହୋଇ ପଡିବା ସହ କିଛି ଆସବାବ ପତ୍ର ଭଙ୍ଗାରୁଜା ଅବସ୍ଥାରେ ପଡିଥିଲା। ପାରିପାର୍ଶ୍ବିକ ପରିସ୍ଥିତିରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାର ପୁଲିସ ଛାନଭିନ୍ ଚଳାଇଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି।ମୃତଦେହଗୁଡିକ ଏକ ସପ୍ତାହ ପୂର୍ବରୁ ପଡି ରହିଥିବା ପୁଲିସ ସନ୍ଦେହ କରୁଛି।

Comments are closed.