ଟାଇଗର୍‌ଙ୍କ ରହସ୍ୟ

ସିନେଜଗତର ଜଣେ ଫିଟ୍ ଅଭିନେତା ଭାବେ ପରିଚିତ ଟାଇଗର୍ ଶ୍ରଫ୍ ନିଜ ସୁସ୍ଥତାର ସୂତ୍ର ବଖାଣିଛନ୍ତି। ୨୦୧୪ରେ କ୍ୟାରିୟର ଆରମ୍ଭ କରିଥିବା ଏହି ଯୁବ ଅଭିନେତା ଏବେ ଭାରତର ଜଣେ ଦାମୀ କଳାକାର ଭାବେ ଜଣାଯାଉଛନ୍ତି, ବାପା ଜ୍ୟାକି ଶ୍ରଫ୍‌୍ ତାଙ୍କୁ ସବୁବେଳେ ପ୍ରୋତ୍ସାହନ କରୁଥିବାର କଥା ବରାବର କହିଛନ୍ତି ଟାଇଗର୍। ହେଲେ ପୁଅର ଏହି ଫିଟ୍‌ନେସ୍‌ ଆସକ୍ତି ଦେଖିଲେ ସେ କହନ୍ତି ଏସବୁ ଏକ ପ୍ରକାର ପାଗଳାମି। ଭଗବାନ ଶିବଙ୍କର ପରମ ଭକ୍ତ ଟାଇଗର୍ ପ୍ରତି ସୋମବାର ଉପାସ ରଖିବା ସହ ପ୍ରତି ବର୍ଷ ମହାଶିବରାତ୍ରୀ ସେ ନିର୍ଜଳା ରହନ୍ତି। ଦୈନିକ ୧୨ ଘଣ୍ଟା ସେ ବିଭିନ୍ନ ପ୍ରକାର ସାମରିକ ତାଲିମ ନଚେତ୍ ନୃତ୍ୟ କରିବାରେ ଅତିବାହିତ କରୁଥିବାର ଜଣାପଡ଼ିଛି। ତାଙ୍କର ଏଭଳି ଜୀବନଶୈଳୀ ଦେଖି ମା’ କୃଷ୍ଣା ଶ୍ରଫ୍ ଆରମ୍ଭ ଦିନରେ ଭାରି ବ୍ୟତିବ୍ୟସ୍ତ ହେଲେ କିନ୍ତୁ ପୁଅ କୋଉ ତାଙ୍କ କଥା ଶୁଣୁଛି। ଏସବୁ ସହ ଟାଇଗର୍‌ ନିଜ ଖାଇବା-ପିଇବାକୁ ନେଇ ବେଶ୍ ସଚେତନ, ପ୍ରତିଦିନ ସେ କଦଳୀ, ଖଜୁରୀ ଫଳ, କମଳା ନିଜ ଖାଦ୍ୟତାଲିକାରେ ଯେପରି ହେଉ ସାମିଲ କରନ୍ତି। ଘର ରନ୍ଧା ଖେଚୁଡ଼ି ଠାରୁ ଆରମ୍ଭ କରି ବିରିୟାନୀ ସବୁକିଛି ଖାଆନ୍ତି ଟାଇଗର୍, ସାଙ୍ଗସାଥି କିମ୍ବା ପରିବାରଲୋକଙ୍କ ସହ ରେସ୍ତୋରାଁ ଗଲେ ସେଠି ପାଣି ଗିଲାସେ ଛଡ଼ା ଆଉ କିଛି ଖାଆନ୍ତିନାହିଁ। ବିଦେଶ ସୁଟିଂ ସମୟରେ ମଧ୍ୟ ସେ ନିଜେ ହାତରେ ରାନ୍ଧି ଖାଇବାକୁ ପସନ୍ଦ କରନ୍ତି। ଅଯଥାରେ ପ୍ରଯୋଜକଙ୍କ ଖର୍ଚ୍ଚ ବଢ଼ାଇ ରୋଷେୟାର ବୋଝ ଲଦିବାକୁ ପସନ୍ଦ କରିନଥାନ୍ତି ବୋଲି ହସିହସି କହିଛନ୍ତି ଟାଇଗର୍।

Comments are closed.