ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନରେ ‘ଫିଟ୍‌ନେସ୍‌ କ୍ଲବ’

ଭୁବନେଶ୍ୱର: ଏଣିକି ରାଜ୍ୟ ସମେତ ସାରା ଦେଶରେ ଥିବା ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ‘ଫିଟ୍‍ ଇଣ୍ଡିଆ କ୍ୟାମ୍ପେନ୍‍’ ଆରମ୍ଭ କରାଯିବ। ଛାତ୍ରଛାତ୍ରୀଙ୍କୁ ସୁସ୍ଥ ରଖିବା ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଏଥିପାଇଁ ୟୁଜିସି ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ‘ଫିଟ୍‍ ଇଣ୍ଡିଆ କ୍ୟାମ୍ପେନ୍‍’ ପାଇଁ ନିୟମାବଳି ଜାରି କରିଛି। ଏଥିସହ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ‘ଫିଟେନସ୍‌ କ୍ଲବ୍‌’ ପ୍ରତିଷ୍ଠା କରିବାକୁ ମଧ୍ୟ ୟୁଜିସି ପକ୍ଷରୁ କୁହାଯାଇଛି। ଦେଶର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଏହି ନିୟମାବଳୀ ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି। ଫିଟନେସ୍‍ କିମ୍ବା କ୍ରୀଡ଼ାରେ ରୁଚି ରଖୁଥିବା ବିଦ୍ୟାର୍ଥୀ ଏହି କ୍ଲବର ସଦସ୍ୟ ହୋଇପାରିବେ। ଶିକ୍ଷାନୁଷ୍ଠାନର ଜଣେ ଅଧ୍ୟାପକ ଏହି କ୍ଲବର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବେ।

ଆସନ୍ତା ନୂଆବର୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଗୋଟିଏ ପିରିୟଡ୍‍କୁ ଫିଟନେସ୍‌ ପାଇଁ ଧାର୍ୟ୍ୟ କରାଯିବ। ୪୫ ମିନିଟ୍‍ରୁ ୬୦ ମିନିଟ୍‍ ମଧ୍ୟରେ ଏହି ପରିୟଡ ରହିବ। ଏହି ଅବଧି ମଧ୍ୟରେ ଛାତ୍ରଛାତ୍ରୀଙ୍କ ନିୟମିତ ରୁଟିନରେ ‘ଫିଟନେସ୍‍ ଆାୱାର୍‍’କୁ ସ୍ଥାନିତ କରାଯିବ। ଶିକ୍ଷାନୁଷ୍ଠାନ ପକ୍ଷରୁ ପୂର୍ବରୁ ଥିବା ସମୟ ସାରଣୀକୁ ଆବଶ୍ୟକସ୍ଥଳେ ପରିବର୍ତ୍ତନ କରାଯିବ। ଫିଟନେସ୍‌ ପିରିୟଡରେ କେଉଁ କାର୍ୟ୍ୟକ୍ରମ କଲେ ଛାତ୍ରଛାତ୍ରୀ ଫିଟ୍‌ ରହିବେ ସେ ସମ୍ବନ୍ଧରେ ଶିକ୍ଷାନୁଷ୍ଠାନ ପକ୍ଷରୁ ସ୍ଥିର କରାଯିବ। ନିୟମିତ ଭାବେ ଏହି ପରିୟଡ ଯେଭଳି ଚାଲିବ ସେଥିପ୍ରତି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଧ୍ୟାନ ଦେବେ। ମୁଖ୍ୟତଃ କ୍ରୀଡ଼ା, ଯୋଗ, ସାଇକଲିଂ, ପହଁରା ଭଳି ବିଭିନ୍ନ ଶାରୀରିକ ବ୍ୟାୟାମ ସଂକ୍ରାନ୍ତ କାର୍ୟ୍ୟକୁ ଗୁରୁତ୍ୱ ଦିଆଯିବ। ଏଥିରେ ପ୍ରତି ମାସରେ ୟୁଜିସି ପକ୍ଷରୁ ଗୋଟିଏ ବିଷୟରେ ଥିମ୍‍ ପ୍ରଦାନ କରାଯିବ। ସେହି ଥିମ୍‍ ମୁତାବକ ସାରା ଦେଶରେ ଗୋଟିଏ ମାସଧରି ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରିବେ। ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବେ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କୃତୀ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ଓ ଶେଷରେ ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।

ଏଥିପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକୁ ଷ୍ଟାର୍‍ ରେଟିଂ ପ୍ରଦାନ କରାଯିବ। ଶିକ୍ଷାନୁଷ୍ଠାନ ପାଇଁ ୫ଟି ଷ୍ଟାର ରେଟିଂ ବ୍ୟବସ୍ଥା କରାଯାଇଛି। ଖେଳ ପଡ଼ିଆର ବ୍ୟବହାର ତଥା ୨ଟି ଆଉଟଡୋର୍‍ ଗେମ୍‍କୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଆୟୋଜନ କରିବେ। ଏହା ବ୍ୟତୀତ ମାସିକ ଫିଟନେସ୍‍ ସଚେତନତା ଓ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାକୁ ମଧ୍ୟ ରେଟିଂ ସମୟରେ ବିଚାରକୁ ନିଆଯିବ। ୟୁଜିସିର ଆକ୍ଟିଭିଟି ମନିଟରିଂ ପୋର୍ଟାଲରେ ଫିଟ୍‍ ଇଣ୍ଡିଆ କ୍ୟାମ୍ପେନର କରିଥିବା କାର୍ୟ୍ୟକ୍ରମ ଓ ସେ ସମ୍ବନ୍ଧରେ ଫଟୋକୁ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଅପଲୋଡ୍‌ କରିବାକୁ ୟୁଜିସି ନିର୍ଦେଶ ଦେଇଛି।

Comments are closed.