ମାଛର ମୂଲ୍ୟ ୩ ଲକ୍ଷ ; ମାଲାମାଲ ହେଲେ ବୃଦ୍ଧା

ପଶ୍ଚିମବଙ୍ଗର ଜଣେ ବୃଦ୍ଧା ମହିଳାଙ୍କର ନା ବ୍ୟାଙ୍କରୁ ନା କୌଣସି ଲଟେରୀ ଟିକେଟ କିଣିଛନ୍ତି ତଥାପି ସେ ଧନୀ ହୋଇଛନ୍ତି, ଏହାର କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ ଉକ୍ତ ମହିଳା ଏକ ବିଶାଳକାୟ ମାଛ ଧରିଥିଲେ, ଯାହା ପାଇଁ ତାଙ୍କୁ ୩ ଲକ୍ଷ ଟଙ୍କା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ୨୪ ପରଗନା ଜିଲାର ସୁନ୍ଦରବନ ଅଞ୍ଚଳର ସାଗରଦ୍ୱୀପରେ ରହୁଥିବା ଜଣେ ବୃଦ୍ଧା ମହିଳା ମାଛ ଧରୁଥିବା ସମୟରେ ନଦୀରୁ ପ୍ରାୟ ୫୨ କିଲୋର ଏକ ମାଛ ଧରିଲେ। ବିଶେଷ କଥା ହେଉଛି, ଏହି ମାଛ କିଲୋ ପ୍ରତି ତାଙ୍କୁ ୬୨୦୦ ଟଙ୍କା ମିଳିଛି। ଏହି କାରଣରୁ ମହିଳାଙ୍କୁ ମାଛ ପାଇଁ ପ୍ରାୟ ୩ ଲକ୍ଷରୁ ଅଧିକ ଟଙ୍କା ମିଳିଥିବା ଜଣାପଡ଼ିଛି। ମହିଳା ଜଣଙ୍କ କେବେ ମଧ୍ୟ ଭାବି ନଥିଲେ ମାଛ ପାଇଁ ତାଙ୍କୁ ଏତେ ଟଙ୍କା ମିଳିବ।
ଗ୍ରାମବାସୀଙ୍କ ମତାନୁଯାୟୀ, ଏହି ବିଶାଳ ମାଛ ହୁଏତ କୌଣସି ଜାହାଜ ସହ ଧକ୍କା ହୋଇଛି। ଭାଗ୍ୟବଶତଃ ଅନ୍ୟ କୌଣସି ସାମୁଦ୍ରିକ ଜୀବ ଏହି ମାଛକୁ ଖାଇ ପାରି ନାହାନ୍ତି। ଉକ୍ତ ମହିଳାଙ୍କ କହିବା ଅନୁଯାୟୀ ସେ ମାଛ ଧରିବାକୁ ନଦୀକୁ ଯାଇଥିଲେ, ସେହି ସମୟରେ ଏହି ବିରାଟକାୟ ମାଛକୁ ପହଁରୁଥିବା ଦେଖି ନଦୀକୁ ଡ଼େଇଁ ତାଙ୍କୁ ଧରିବା ପାଇଁ ସକ୍ଷମ ହୋଇଥିଲେ।
ମାତ୍ର ଏହି ବିଶାଳକାୟ ମାଛକୁ ଧରିବା ପାଇଁ ମହିଳା ଜଣଙ୍କୁ ଖୁବ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଲୋକଙ୍କ କହିବା ଅନୁଯାୟୀ, ଏହା ଭୋଲା ମାଛ। ମାଛଟିର ଅବସ୍ଥା ଧିରେ ଧିରେ ଖରାପ ହୋଇ ଆସିଥିଲା ଏହା ଖାଇବାର ଉପଯୋଗୀ ନହେଲେ ମଧ୍ୟ ଏହା ବ୍ୟବହାର ଯେପରି (ଔଷଧୀୟ) ପାଇଁ ଏହାକୁ ରଖାଗଲା।

 

Comments are closed.