ମହାନଦୀରୁ ଧରାହେଲା ୨୫ କିଲୋ ଓଜନର ବୁଦ ମାଛ

ବୌଦ୍ଧ : ବୌଦ୍ଧଠାରେ ଚିରସ୍ରୋତା ମହାନଦୀରେ ଜଳସ୍ରୋତ କମିବାରେ ଲାଗିଥିବାବେଳେ ମାଛମରାଳୀମାନଙ୍କ ଜାଲରେ ବଡ଼ ବଡ଼ ପୁରୁଣା ମାଛ ସବୁ ଧରାପଡିବା ଏକ ସାଧାରଣ ଘଟଣା ହେବାରେ ଲାଗିଲାଣି। ବୌଦ୍ଧ ଟୁଟୁସିଙ୍ଗା ଗ୍ରାମର ଶ୍ରୀପତି ବେହେରା ସୋମବାର ସକାଳୁ ମାଛ ମାରିବାକୁ ଯାଇଥିବାବେଳେ ତାଙ୍କ ଜାଲରେ ୨୫ କିଲୋ ଓଜନର ଏକ ବୁଦ ମାଛ ଲାଗିଥିଲା। ଏହି ମାଛକୁ ସେ ନିକଟସ୍ଥ ବଜାରରେ ୫୫୦୦ ଟଙ୍କାରେ ବିକ୍ରୟ କରିଥିବା ଜଣାପଡିଛି। ତେବେ ଶ୍ରୀପତି ଗତ ଜୁନ ମାସରେ ୪୦ କିଲୋ ଓଜନର ଏକ ବୁଦ ମାଛ ଧରି ୧୦ ହଜାର ଟଙ୍କାରେ ବିକ୍ରୟ କରିଥିଲେ। ନଦୀରେ ବାଲି ପୋତି ହୋଇଯିବା ଯୋଗୁଁ ମାଛ ବଂଶ ଲୋପ ହେବାରେ ଲାଗିଛି। ବୌଦ୍ଧର ମଧୁରଜଳ ଚିଙ୍ଗୁଡି ଦେଶ ବିଦେଶରେ ଉଚ୍ଚ ଦରରେ ବିକ୍ରୟ ହେଉଥିବାବେଳେ ବର୍ତ୍ତମାନ ଏହି ଚିଙ୍ଗୁଡି ମିଳିବା ସ୍ୱପ୍ନ ହେବାକୁ ବସିଲାଣି। ସ୍ୱଳ୍ପମାତ୍ରାରେ ମିଳୁଥିବା ବୌଦ୍ଧର ଚିଙ୍ଗୁଡି ଚଢା ଦରରେ ବିକ୍ରୟ ହେଉଅଛି, ଯାହାକି ସାଧାରଣ ଖାଉଟିର ପହଞ୍ଚଠାରୁ ଅନେକ ଦୂରରେ। ସେହିପରି ପୂର୍ବରୁ ମହାନଦୀରେ କୁକିଆ, ଜରଡା, ବାଉଁଶପାତି, ରୋହୀ, ଭାକୁର, ବଇଁରା, ଥୁମ୍ବେଇ ଆଦି ଅନେକ ପ୍ରଜାତିର ମାଛ ମିଳୁଥିବାବେଳେ ବର୍ତ୍ତମାନ ନଦୀରେ ବର୍ଷକୁ ୧୦ ମାସ ଜଳାଭାବ ଯୋଗୁଁ ଏହି ପ୍ରଜାତିର ମାଛ ଲୋପ ହେବାକୁ ବସିଲେଣି। ତେଣୁ ୨୫ କିଲୋ ଓଜନର ବୁଦ ଭଳି ମାଛ ଧରାହେବା ପରେ ଲୋକମାନଙ୍କ ମଧ୍ୟରେ ବଡ ମାଛ ଦେଖିବାକୁ ଉତ୍କଣ୍ଠା ଦେଖିବାକୁ ମିଳୁଛି।

Comments are closed.