ଉମା ସରକାରୀ ବନ୍ଧରେ ଶହ ଶହ ଲୋକେ ମାରିଲେ ମାଛ

କଣ୍ଟାମାଳ : ମଣିଷର ଲାଳଶା ପାଖରେ ହାର ମାନିଛି ଜୀବନ। ମହାମାରୀ କରୋନା ପାଇଁ କୋଭିଡ଼ ନିୟମକୁ ସରକାର କଡା କଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ଏକ ସରକାରୀ ବନ୍ଧରେ ଆଜି ସ୍ଥାନୀୟ ଲୋକେ ଶହ ଶହ ସଂଖ୍ୟାରେ ଏକାଠି ହୋଇ ମାଛ ମାରିଥିବା ଦୃଶ୍ୟ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚଙ୍କ ନିଜ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଘଟଣା ଜନମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ସଂପ୍ରତି କଣ୍ଟାମାଳ ବ୍ଳକ ଉମା ପଞ୍ଚାୟତରେ ଥିବା କ୍ଷୁଦ୍ର ଜଳ ସେଚନ ବିଭାଗର ଏକ ବୃହତ୍ତ ଜଳାଶୟରେ ଗ୍ରାମ ପଞ୍ଚାୟତ ମାଛ ଚାଷ କରିଥିବା ବେଳେ ଆଜି ଏହି ଜଳାଶୟର ମାଛ ମାରିବା ପାଇଁ ଆଖ ପାଖ ଗ୍ରାମର ଶହ ଶହ ଲୋକ କୋବିଦ ନିୟମକୁ ଜଳାଞ୍ଜଳି ଦେଇ ଏକାଠି ହୋଇ ଦୀର୍ଘ ୬ ଘଣ୍ଟା ଧରି ମାଛ ମାରିଥିଲେ। ମାଛ ମାରିବାରେ ଛୁଆ ଠାରୁ ବୁଢା ଏପରିକି ମହିଳାମାନେ ମଧ୍ୟ ବିନା ସାମାଜିକ ଦୂରତ୍ୱ ଓ ବିନା ମାକ୍ସରେ ସାମିଲ ହୋଇଥିବା ନେଇ ସ୍ଥାନୀୟ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏହା ଗ୍ରାମ ପଞ୍ଚାୟତର ଦାୟୀତ୍ୱ କହି ସଭିଏଁ ନୀରବ ରହିଥିଲେ। ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ କରୋନାର ମୁକାବିଲା ନିମନ୍ତେ ଆଗଧାଡି କରୋନା ଯୋଦ୍ଧାଭାବେ ମାନ୍ୟତା ଦେଇଥିଲେ ହେଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ମାଛ ମରା ଏବଂ ଏହାରି ପ୍ରତିରୋଧ ପାଇଁ ପ୍ରଶାସନିକ ଆନ୍ତରିକତା ଅଭାବକୁ ନେଇ ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.