ଜାତୀୟ ଅଶ୍ବ ଚାଳନାରେ ରାଜ୍ୟ ପାଇଁ ଜିତିଥିଲେ ପ୍ରଥମ ପଦକ

କଟକ: ଫୁଟବଲରୁ ଅଶ୍ବଚାଳକ ଆଉ ଏବେ କ୍ରୀଡ଼ା ସଂଗଠକ। ଏଭଳି ଜଣେ ନିଆରା ବ୍ୟକ୍ତି ହେଉଛନ୍ତି ଏନ୍‌ସିସିର ପୂର୍ବତନ ଉପ ନିର୍ଦେଶକ ତଥା ରାଜ୍ୟର ପ୍ରଥମ ଜାତୀୟ ଅଶ୍ବଚାଳନା ପଦକ ବିଜେତା କ୍ରୀଡ଼ା ସଂଗଠକ ଶୌର୍ଯ୍ୟରଞ୍ଜନ ପରିଜା। ଫୁଟବଲରୁ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ଶ୍ରୀ ପରିଜା ପରବର୍ତ୍ତୀ ସମୟରେ ଜାତୀୟସ୍ତରର ଜଣେ ପ୍ରତିଷ୍ଠିତ ଅଶ୍ବଚାଳକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବା ସହିତ ରାଜ୍ୟ ପାଇଁ ଗୌରବ ଆଣିଥିଲେ।

ଶୌର୍ଯ୍ୟରଞ୍ଜନ ପରିଜା (ଭାନୁଭାଇ) ପିଲାବେଳୁ ଫୁଟବଲ ଖେଳ ପ୍ରତି ଦୁର୍ବଳତା ରଖିଥିଲେ ମଧ୍ୟ ଅଶ୍ବଚାଳନାକୁ ସଉକ ଭାବେ ଗ୍ରହଣ କରିନେଇଥିଲେ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍‌ସିସି)ରେ ଯୋଗ ଦେଇଥିବା ଶ୍ରୀ ପରିଜା ହରିୟାଣାର ଲେପ୍ଟନାଣ୍ଟ କ​‌େ​‌ର୍ଣ୍ଣଲ ଅଜିତ ସିଂହ ପନୱାରଙ୍କୁ ଗୁରୁ ଭାବେ ଗ୍ରହଣ କରି ୧୯୭୭ରେ ଅଶ୍ବ ଚାଳନାକୁ ଆପଣାଇଥିଲେ। ଓଡ଼ିଶାରେ ଉକ୍ତ କ୍ରୀଡ଼ାର ଲୋକପ୍ରିୟତା କି ଭିତ୍ତିଭୂମି ନଥିଲେ ମଧ୍ୟ ନିଜସ୍ବ ଉଦ୍ୟମରେ କିଛି କରିବାକୁ ପ୍ରୟାସ କରିଥିଲେ। ୧୯୭୯ରେ ଦିଲ୍ଳୀରେ ଆୟୋଜିତ ଜାତୀୟ ଅଶ୍ବଚାଳନା ପ୍ରତିଯୋଗିତାରେ ଶ୍ରୀ ପରିଜା ଓଡ଼ିଶା ପାଇଁ ଏନ୍‌ସିସି ଦଳ ପକ୍ଷରୁ ଅଂଶଗ୍ରହଣ କରିଥିଲେ। ଏଥିରେ ଜମ୍ପିଂ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଅଶ୍ବ ଚାଳନାରେ ପ୍ରଥମ ଜାତୀୟ ପଦକ ହାସଲ କରିଥିଲେ। ପରବର୍ତ୍ତୀ ବର୍ଷ ୧୯୮୦ରେ ମଧ୍ୟ ଜାତୀୟ ଅଶ୍ବ ଚାଳନାରେ ଶ୍ରୀ ପରିଜା ରୌପ୍ୟ ପଦକ ବିଜୟୀ ହୋଇଥିଲେ। ୧୯୮୦ ରାଜଧାନୀ ଦିଲ୍ଲୀରେ ଆୟୋଜିତ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେଇ ଓଡ଼ିଶା ଏନ୍‌ସିସି ପକ୍ଷରୁ ଦେଶର ଶ୍ରେଷ୍ଠ ରାଇଡର ଭାବେ ସ୍ବର୍ଣ୍ଣ ପଦକ ପୁରସ୍କାର ହାସଲ କରିଥିଲେ। କେବଳ ଅଶ୍ବଚାଳନା ନୁହେଁ ଜଣେ କ୍ରୀଡ଼ା ପ୍ରଶାସକ ଭାବେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି। ୧୯୯୬ରେ କିଶୋର କ୍ଳବରେ ପ୍ରଥମ ଥର ପାଇଁ ଫୁଟବଲ କ୍ରୀଡ଼ା ଛାତ୍ରାବାସ ଖୋଲି ପିଲାମାନଙ୍କୁ ପ୍ରଶିକ୍ଷଣ ଯୋଗାଇ ଦେବା ନେଇ ପଦକ୍ଷେପ ଗ୍ରହଣ କରିଥିଲେ। ବର୍ତ୍ତମାନ କିଶୋର କ୍ଳବର ସମ୍ପାଦକ ଓ ଓଡ଼ିଶା ଅଶ୍ବ ଚାଳନା ସଂଘର ସମ୍ପାଦକ ସହ ଭୁବନେଶ୍ବର କ୍ରୀଡ଼ା ସଂସଦର ସମ୍ପାଦକ ଦାୟିତ୍ବ ମଧ୍ୟ ନିର୍ବାହ କରୁଛନ୍ତି। ଶ୍ରୀ ପରିଜା କୁହନ୍ତି, ଓଡ଼ିଶାରେ ଅଶ୍ବ ଚାଳନା ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ନେଇ ସରକାରଙ୍କୁ ଜମି ଯୋଗାଇ ଦେବାକୁ ଚିଠି ଲେଖିଛି। ସରକାରଙ୍କ ପକ୍ଷରୁ ଜମି ମିଳିଲେ ଅଶ୍ବ ଚାଳନା ଏକାଡ଼େମୀ ଖୋଲିବି ବୋଲି ଶ୍ରୀ ପରିଜା କହିଛନ୍ତି। ଅଶ୍ବଚାଳନା ପ୍ରତି ମୋର ଦୁର୍ବଳତା ରହିଛି। ୨୦୧୭ରେ ଏନ୍‌ସିସି ଉପ ନିର୍ଦେଶକ ପଦରୁ ଅବସର ନେବା ପରେ ମଧ୍ୟ ଅଶ୍ବଚାଳନାକୁ ଛାଡ଼ି ପାରିନାହିଁ। କ୍ରୀଡ଼ା ସହିତ ରହିଛି ଆଉ ଜୀବନର ଶେଷ ପର୍ଯ୍ୟନ୍ତ ରହିବି ବୋଲି ଶ୍ରୀ ପରିଜା କହିଛନ୍ତି।

Comments are closed.