ଆସନ୍ତାକାଲି ଆସାମ ଓ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଗୁଆହାଟୀ/କଲକତା : ଆସାମ ଓ ପଶ୍ଚିମବଙ୍ଗରେ ଶନିବାର (ଆସନ୍ତାକାଲି) ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି। କରୋନା କଟକଣା ମଧ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ପୁଲିଂ ପାର୍ଟି ବିଭିନ୍ନ ସ୍ଥାନରେ ପହଞ୍ଚିବାରେ ଲାଗିଛନ୍ତି। ଶାନ୍ତପୁର୍ଣ୍ଣ ମତଦାନ ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ଓ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

ଏହି ପର୍ଯ୍ୟାୟରେ ଆସାମରେ ୪୭ଟି ଆସନରେ ୨୬୪ ଜଣ ପ୍ରାର୍ଥୀ ଏବଂ ପଶ୍ଚିମବଙ୍ଗର ୩୦ଟି ନିର୍ବାଚନ ମଣ୍ଡଳୀରେ ୧୯୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ
ବିଧାନସଭା ନିର୍ବାଚନ ହେବ। ପଶ୍ଚିମବଙ୍ଗର ୩୦ଟି ଆସନ ମଧ୍ୟରୁ ବିଜେପି ୨୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଏହାର ସହଯୋଗୀ ଦଳ ଏଜେଏସୟୁ​‌ ପୁରୁଲିଆ ଜିଲ୍ଲାର ବାଘମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି।
ସେହିଭଳି ତୃଣମୂଳ କଂଗ୍ରେସ ୨୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଆଉ ଗୋଟିଏ ଆସନରେ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସ, ବାମପନ୍ଥୀ ଦଳ ଓ ସେମାନଙ୍କର ସହଯୋଗୀ ଭାରତୀୟ ଧର୍ମନିରପେକ୍ଷ ସାମୁଖ୍ୟ’ ସଂଯୁକ୍ତ ମୋର୍ଚ୍ଚା ଗଠନ କରି ନିର୍ବାଚନ ଲଢ଼ୁଛନ୍ତି।

ଆସାମ ଓ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି। ଅନ୍ୟ ପକ୍ଷରେ ଉଭୟ ରାଜ୍ୟର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି। ସେହି ଦୁଇ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ସହିତ କେରଳ, ତାମିଲନାଡୁ ଓ ପୁଡୁଚେରୀ କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ।

ଆସାମ ଓ ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଏପ୍ରିଲ୍‍ ପହିଲାରେ ହେବ। ଏହି ପର୍ଯ୍ୟାୟରେ ଆସାମର ୩୯ଟି ଆସନ ଓ ପଶ୍ଚିମବଙ୍ଗର ୩୦ଟି ଆସନରେ ଭୋଟ୍‍ ନିଆଯିବ। ଉଭୟ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ୍‍ ୬ ତାରିଖରେ ହେବ। ଏହି ପର୍ଯ୍ୟାୟରେ ଆସାମର ୪୦ଟି ନିର୍ବାଚନ ମଣ୍ଡଳୀରୁ ୩୩୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ପଶ୍ଚିମବଙ୍ଗର ୩୧ଟି ଆସନରୁ ୨୦୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏପ୍ରିଲ୍‍ ୬ ତାରିଖରେ କେରଳ, ତାମିଲନାଡୁ
ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍‍ ନିଆଯିବ। କେରଳର ୧୪୦ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନରେ ୯୫୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିଭଳି ତାମିଲନାଡୁର ୨୩୪ଟି ନିର୍ବାଚନ ମଣ୍ଡଳୀରେ ୪ହଜାର ୧୨୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର ୩୦ଟି ଆସନରେ ୩୨୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ପଶ୍ଚିମବଙ୍ଗର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଇତମଧ୍ୟରେ ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ଶୁକ୍ରବାର ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ପଶ୍ଚିମବଙ୍ଗର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ୩୦ ତାରିଖ ଥିବା ବେଳେ ୩୧ ତାରିଖରେ ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ଚ୍‍ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଏପ୍ରିଲ୍‍ ୩ ତାରିଖ ରହିଛି।

Comments are closed.