ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଦି ଇଣ୍ଟେଲେକ୍ଟସର ଅଭିନବ ପ୍ରୟାସ

ସାତ ଦିନିଆ ଉଚ୍ଚ ଶିକ୍ଷା ମାର୍ଗଦର୍ଶନ ୱେବ-କର୍ମଶାଳା ଉଦଘାଟିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଓ ଶୋଭିତ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ଉଚ୍ଚଶିକ୍ଷା ଜନିତ ସମସ୍ୟାର ସମାଧାନ ପାଇଁ ଏକ ଦେୟମୁକ୍ତ ସାତଦିନିଆ ୱେବ କର୍ମଶାଳା ଉଦଘାଟିତ ହୋଇଯାଇଛି। ସଂଗଠନର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିନବ କାର୍ୟ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଶୋଭିତ ବିଶ୍ବବିଦ୍ୟାଳୟର କୁଳାଧିପତି କୁଅଁର ଶେଖର ବିଜେନ୍ଦ୍ର, ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତ୍ତନ କୁଳପତି ପ୍ରଫେସର ଇଶାନ କୁମାର ପାତ୍ର, ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁରେଖା ସୁନ୍ଦରୀ ସ୍ବାଇଁ ଅତିଥି ଭାବରେ ଯୋଗଦେଇ ଏହି ପ୍ରୟାସ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ତାଙ୍କ ଉଚ୍ଚ ଶିକ୍ଷା ପାଇଁ ଏକ ନୂତନ ମାର୍ଗଦର୍ଶିକା ଭାବରେ କାର୍ୟ୍ୟକରିବ ବୋଲି ପ୍ରକାଶ କରିଥିଲେ। ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ ସଠିକ ଭାବରେ ମିଳି ପାରୁନଥିବାରୁ ପ୍ରତି ବର୍ଷ ଅନେକ ମେଧାବୀ ଛାତ୍ରଛାତ୍ରୀ ଦିଶାହୀନ ଭାବରେ ପାଠ୍ୟକ୍ରମରେ ଯୋଗଦେଇ ନିଜର ଭବିଷ୍ୟତକୁ ଉପଯୁକ୍ତ ମାର୍ଗରେ ନେବାରେ ବିଫଳ ହୋଇଥାନ୍ତିଜ୍ଝ ସାଧାରଣତଃ ଇଞ୍ଜିନିୟରିଂ ବା ଡାକ୍ତରୀ ଶିକ୍ଷା ଉପରେ ଓଡ଼ିଶାର ଅଭିଭାବକ ମାତ୍ରାଧିକ ଗୁରୁତ୍ବ ଦେବାସହିତ ନିଜର ପିଲାମାନଙ୍କ ଦକ୍ଷତାକୁ ଅଣଦେଖା କରି ଏହି ଦୁଇ ପାଠ୍ୟକ୍ରମରେ ମନୋନିବେଶ କରିବା ପାଇଁ ମାନସିକ ସ୍ତରରେ ଚାପ ସୃଷ୍ଟି କରିବା ଦ୍ବାରା ଅନେକ ମେଧାବୀ ଛାତ୍ର ଦିଗହରା ହୋଇଥାନ୍ତି। ବର୍ତ୍ତମାନ ସମୟରେ ଉତ୍ତମ କର୍ମସଂସ୍ଥାନ ପାଇଁ ଅନେକ ପାଠ୍ୟକ୍ରମ ଉନ୍ମୁକ୍ତ ଥିବା ବେଳେ ପାରମ୍ପାରିକ ଚିନ୍ତାଧାରାର ବଶବର୍ତ୍ତୀ ହୋଇ ଏପରି ଚାପ ସୃଷ୍ଟି କରିବା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶରେ ମୁଖ୍ୟ ଅନ୍ତରାୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେଜ୍ଝ ଦି ଇଣ୍ଟେଲେକ୍ଟସର ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରି ସାଂସଦ ଡ. ପଟ୍ଟନାୟକ ଏହାକୁ ରାଜ୍ୟର ପ୍ରତ୍ୟକ ସ୍ଥାନରେ ବିଦ୍ୟାଳୟ ସ୍ତରରେ ଆରମ୍ଭ କରିବା ପାଇଁ ସଙ୍ଗଠନକୁ ପ୍ରସ୍ତାବ ଦେଇଥିଲେଜ୍ଝ କାର୍ୟ୍ୟକ୍ରମରେ ପ୍ରାରମ୍ଭିକ ସ୍ବାଗତ ସହିତ ଏହି ପ୍ରୟାସର ମହତ ଉଦେଶ୍ୟ ବିଷୟରେ ଶ୍ରୀ ରାଉତ ଅବଗତ କରାଇଥିଲେ ଓ ଭାରତର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଶୋଭିତ ବିଶ୍ବବିଦ୍ୟାଳୟର କୁଳାଧିପତି ଶ୍ରୀ ଶେଖର ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଏକ ନୂତନ ସୋପାନକୁ ଯିବାପାଇଁ ଆହ୍ବାନ ଦେଇଥିଲେ। ପ୍ରଫେସର ପାତ୍ର ଏହି ପ୍ରୟାସ ଆଗାମୀ ପିଢୀକୁ ଶିକ୍ଷାର ଏକ ଭିନ୍ନ ଦିଗକୁ ପ୍ରେରିତ କରିବା ବୋଲି ଆଶା ପ୍ରକାଶ କରିଥିଲେ।

 

ଅତୀତରୁ ଚାଲି ଆସୁଥିବା ପାରମ୍ପାରିକ ସମସ୍ୟା ଠାରୁ ଛାତ୍ରଛାତ୍ରୀଙ୍କୁ ଦୂରେଇ ନେଇ ଏକ ସଂକଳ୍ପିତ ବୃତି ପ୍ରତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବ ବୋଲି ପ୍ରଫେସର ସୁରେଖା ସ୍ବାଇଁ ମତ ରଖିଥିଲେ। ଏହି ପ୍ରାରମ୍ଭିକ ଦିବସରେ ଇଂଜିନୟରିଂ ଶିକ୍ଷା ଉପରେ ମାର୍ଗଦର୍ଶନ ଦେବାପାଇଁ ଚାରି ଜଣ ବିଶେଷଜ୍ଞ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଦ୍ବାରା ଆଗତ ସମସ୍ତ ପ୍ରଶ୍ନର ଉତ୍ତର ଦେବାସହିତ ତାଙ୍କ ମନର ସଂଶୟ ଦୂର କରିଥିଲେ। ସେମାନଙ୍କ ମଧ୍ୟରେ ଡଃ ତରୁ ଶର୍ମା, ଡଃ ଶିବା ଶର୍ମା, ଡଃ ଦୀପିକା ଅରୋରା ଓ ଡଃ ଅଳ୍ପନା ଜୋଶୀ ଇଂଜିନୟରିଂ ଶିକ୍ଷାର ବିଭିନ୍ନ ଦିଗ ଉପରେ ବିଷଦ ଭାବେ ଆଲୋଚନା କରିଥିଲେ। ଓଡ଼ିଶାର ବିଭିନ୍ନ କୋଣରୁ ତଥା ଓଡ଼ିଶା ବାହାରୁ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ଏହି କାର୍ୟ୍ୟକ୍ରମରେ ଯୋଗଦେଇ ନିଜର ମନର ସଂଶୟ ଦୂରୀଭୂତ କରିବା ସହିତ ଉଚିତ ମାର୍ଗଦର୍ଶନ ଗ୍ରହଣ କରିଥିଲେ। ଏହି ଦେୟମୁକ୍ତ କର୍ମଶାଳା ଓଡ଼ିଶାରେ ପ୍ରଥମ ଥର ପାଇଁ କରାଯାଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଥି ପ୍ରତି ଯଥେଷ୍ଟ ଉତ୍ସାହ ପରିଲିଖିତ ହେଉଛି। ଚଳିତ ମାସ ୨୪, ୨୬ ଓ ୩୦ ତାରିଖ ଓ ଆସନ୍ତା ମାସ ୨, ୪ ଓ ୬ ତାରିଖ ଅପରାହ୍ନ ୩.୩୦ ସମୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ଛାତ୍ରଛାତ୍ରୀ ମାନେ ନିଜକୁ ପଞ୍ଜୀକୃତ କରୁଛନ୍ତି। ଏହି ଦିନ ମାନଙ୍କରେ ପାଠ୍ୟକ୍ରମର ଅବଶିଷ୍ଟ ଦିଗ ଗୁଡିକ ବିଶେଷଜ୍ଞଙ୍କ ଦ୍ବାରା ବିଷଦ ଭାବରେ ଆଲୋଚନା କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

Comments are closed.