କରୋନା ଅପଡେଟ: ଫ୍ରାନ୍ସରେ ପ୍ରଥମ ମୃତ୍ୟୁ – ବିଶ୍ୱରେ ୬୭ ହଜାର ଆକ୍ରାନ୍ତ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୁତାଣୁ ଆକ୍ରାନ୍ତରେ ଫ୍ରାନ୍ସରେ ପ୍ରଥମ ମୃତ୍ୟୁ ଘଟିଛି। ଏହି ଭୁତାଣୁରେ ସାରା ବିଶ୍ୱରେ ଏ ଯାବତ ୬୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଚୀନରେ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି। ଚୀନ ବାହାରେ ଏହି ଭୁତାଣୁରେ ଆକ୍ରାନ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୧ ହଜାର ୫୨୦ ଜଣ ଅତିକ୍ରମ କରିଛି। ଜଣେ ଚୀନ ପର୍ଯ୍ୟଟକଙ୍କ ରକ୍ତ ନମୁନାରେ କରୋନା ଭୁତାଣୁ ଚିହ୍ନଟ ହେବା ପରେ ସମ୍ପୃକ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବା ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି।

ଇତି ମଧ୍ୟରେ ଚୀନରେ ୧ ହଜାର ୭ ଶହ ସ୍ୱାସ୍ଥ୍ୟ କର୍ମୀ କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଚୀନରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାକୁ ନେଇ ତଥ୍ୟ ମେଳ ଖାଉନଥିବା ନୂଆ ସମସ୍ୟା ସୃଷ୍ଟି କରିଛି। କରୋନା ସଂକ୍ରମଣର ସମସ୍ତ ଲକ୍ଷଣ ଥିଲେ ମଧ୍ୟ ଅନେକଙ୍କ ରକ୍ତ ନମୁନା ପରୀକ୍ଷା ହୋଇ ନ ଥିବାରୁ ସେମାନଙ୍କୁ ସଂକ୍ରମିତ ତାଲିକାରେ ସାମିଲ କରାଯାଇ ନାହିଁ ତେଣୁ ଏହା ହେଲେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡିଛି।

ଫ୍ରାନ୍ସରେ ମୃତ୍ୟୁବରଣ କରିଥିବା ଚୀନ ପର୍ଯ୍ୟଟକ ଗତ ମାସ ୨୫ରେ ମେଡିକାଲରେ ଭର୍ତି ହୋଇଥିଲା ଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଖରାପ ଆଡକୁ ଗତି କରିଥିଲା। ସେହି ପର୍ଯ୍ୟଟକଙ୍କ ଜଣଙ୍କ ଚୀନର ହୁବେଇ ଅଂଚଳର ଓ ସେ ଗତ ମାସ ୧୬ରେ ଫ୍ରାନ୍ସରେ ପହଂଚିଥିଲେ। ଅନ୍ୟ ପକ୍ଷରେ ସେହି ରୋଗୀଙ୍କ ଝିଅକୁ କରୋନା ହୋଇଥିବା ବେଳେ ଏବେ ତାଙ୍କୁ ପାରିସର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି ଓ ଖୁବ ଶୀଘ୍ର ସେ ଘରକୁ ସୁସ୍ଥ ହୋଇ ଫେରିବେ ବୋଲି ଡାକ୍ତରଖାନା କର୍ତୃପକ୍ଷ କହିଛନ୍ତି। ଫ୍ରାନ୍ସରେ ୧୧ଟି କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ସହ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୬ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.